ଜବାହରଲାଲ୍ ନେହରୁ ଇନ୍‌ଡୋର ଷ୍ଟାଡିୟମରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ : ଖେଲେଙ୍ଗେ ସାନ୍‌ ସେ...ଜିତେଙ୍ଗେ ସାନ୍‌ ସେ....

ଜବାହରଲାଲ୍ ନେହରୁ ଇନ୍‌ଡୋର ଷ୍ଟାଡିୟମରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ : ଖେଲେଙ୍ଗେ ସାନ୍‌ ସେ...ଜିତେଙ୍ଗେ ସାନ୍‌ ସେ....

କଟକ,  (ଦୀପ୍ତିରଂଜନ ସାମଲ): ଶନିବାର ସଂଧ୍ୟାରେ ଝୁମିଥିଲା କଟକ। ପାଖାପାଖି ୪୫ ମିନିଟ୍‌ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନାଚିଥିଲେ ଦର୍ଶକ। ସୁଯୋଗ ଥିଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବ। ଜବାହାରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆରମ୍ଭରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଗ୍ରୁପ୍‌ ଦ୍ବାରା ‘କଳିଙ୍ଗର ମାଟି କହେ ସ୍ବାଗତମ୍‌’ ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ ସମ୍ବଲପୁରୀ ନୃତ୍ୟ ‘ଡାଲ୍‌ ଖାଇ’, ରଥଯାତ୍ରାର ପହଣ୍ଡି ଇତ୍ୟାଦିକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ସୋନା ମହାପାତ୍ର ଓ ରାମ ସମ୍ପଦଙ୍କ ଟାଇଟଲ ଗୀତ ‘ଖେଲେଙ୍ଗେ ସାନ୍‌ ସେ’ ଉପରେ ବିଶେଷ କାର୍ଯ୍ୟକ୍ରମ। ନିଜେ ଝୁମିବା ସହ ଦର୍ଶକଙ୍କୁ ମଧ୍ୟ ଗୀତ ମାଧ୍ୟମରେ ଖୁବ୍‌ ଝୁମାଇଥିଲେ‌ ସୋନା ଓ ସମ୍ପଦ। ସଂଗୀତ ସଂଯୋଜକ ନକାଶ ଅଜିଜ୍‌ଙ୍କ ଦ୍ବାରା ‘ଖେଲୋ ଖେଲୋ’ ଗୀତ ଓ ବିଭିନ୍ନ ପ୍ରକାରର ନୃତ୍ୟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନୋରଂଜନ ହୋଇଥିଲା। (ଫଟୋ: ଚିତ୍ତ ରଂଜନ ମହାନ୍ତି)

publive-image

ରିଲେ ଟର୍ଚ୍ଚ ଧରିଲେ ଦିଲୀପ, ଶପଥ ନେଲେ ଦୂତି
ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଆକର୍ଷଣ ଥିଲା ଖେଲୋ ଇଣ୍ଡିଆ ଟର୍ଚ୍ଚ ରିଲେ। ରିଲେରେ ପ୍ରଥମେ ଭାରତୀୟ ତୀରନ୍ଦାଜ ଖେଳାଳି ମୁସ୍କାନ କିରଣ ନେତୃତ୍ବ ନେଇଥିଲେ। ଏହାପରେ ସେ ସନ୍ତରଣକାରୀ ଏସ୍‌.ପି. ଲିକିଥଙ୍କୁ ଏହି ଟର୍ଚ୍ଚ ହସ୍ତାନ୍ତର କରିଥିଲେ। ଶେଷରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍‌ ଦିଲୀପ ତିର୍କି ଟର୍ଚ୍ଚକୁ ପୋଡ଼ିୟମ ପାଖରେ ପହଞ୍ଚାଇ ଥିଲେ। କ୍ରୀଡ଼ାବିତ୍‌ଙ୍କୁ ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦ ସଚ୍ଚୋଟ ଓ ନିଷ୍ଠାପର ଭାବେ ଖେଳୁଆଡ଼ ମନୋଭାବ ନେଇ ଖେଳିବା ପାଇଁ ଶପଥ ପାଠ କରାଇଥିଲେ।

publive-image

ସାମିଲ ହେଲେ ୪ ହଜାର ବିଦ୍ୟାଳୟ ଛାତ୍ରଛାତ୍ରୀ
ଇନ୍‌ଡୋର ଷ୍ଟାଡିୟମରେ ହୋଇଥିବା ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ପାଖାପାଖି ୪ ହଜାର ବିଦ୍ୟାଳୟ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। ସାଧାରଣ ଦର୍ଶକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲାବେଳେ ବିଶେଷ ଅତିଥି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏ‌ହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ସହ ସହରର କିଛି ରାଜନୈତିକ ନେତୃବୃନ୍ଦ ଓ ପୂର୍ବତନ କ୍ରୀଡ଼ାବିତ୍‌ମାନେ ଉପସ୍ଥିତ ଥିଲେ। ଷ୍ଟାଡିୟମ ବାହାରେ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe