Khiching is bustling on the second Monday of Shravan. Photograph: (sambad.in)
ମୟୂରଭଞ୍ଜ: ଶ୍ରାବଣର ଦ୍ଵିତୀୟ ସୋମବାରରେ ଖିଚିଂ ଚଳଚଞ୍ଚଳ ହୋଇ ଉଠିଛି। ମୟୂରଭଞ୍ଜ ଜିଲ୍ଲାର ବହୁ ପୁରାତନ ଶୈବ ପୀଠ ଭାବେ ଚନ୍ଦ୍ରଶେଖର ମନ୍ଦିର ବେଶ୍ ପରିଚିତି ହାସଲ କରିଛି। ଏହି ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ପାଖରେ ରହିଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଏହି ମନ୍ଦିର ପାଖାପାଖି ୧୨ ଶହ ବର୍ଷ ପୁରୁଣା।
ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ରାଜା ରାଜୁଡ଼ା ଅମଳରେ ମନ୍ଦିର ନିର୍ମାଣ କରାଯାଇ ଥିଲା। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଏହି ମନ୍ଦିରରେ କାଉଡ଼ିଆମାନେ ଜଳାଭିଷେକ କରିବା ପାଇଁ ଭିଡ଼ ଲଗାଇ ଥାଆନ୍ତି। ବହୁ ଦୂରଦୂରାନ୍ତରୁ ଓଡ଼ିଶା ତଥା ବାହାର ରାଜ୍ୟରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।
ବାବା ଚନ୍ଦ୍ରଶେଖର ଏବଂ ମା’ କିଚକେଶ୍ୱରୀଙ୍କ ଠାରେ ମଣ୍ଡା ମାନସିକ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ବାସ ରହିଛି।
ଚଳିତ ବର୍ଷ ଶ୍ରାବଣର ଦ୍ଵିତୀୟ ସୋମବାରରେ କାଉଡ଼ିଆମାନେ ବାବା ଚନ୍ଦ୍ରଶେଖରଙ୍କ ପାଖରେ ଜଳାଭିଷେକ କରିବା ପାଇଁ ଲମ୍ବା ଧାଡ଼ି ଲଗାଇଥିଲେ।
ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳିତ ଭାବରେ ଦୂରଦୂରାନ୍ତରରୁ ଆସିଥିବା କାଉଡ଼ିଆମାନେ ବାବାଙ୍କ ପାଖରେ ଜଳାଭିଷେକ କରି ଘରକୁ ଫେରିଥିଲେ ।
Mayurbhanj | chandrasekhar temple | Kichakeswari Temple | Khiching
Follow Us