ବୌଦ୍ଧରେ ଅଟକିଛି ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ

Advertisment

ହୋଇପାରୁନି ଜଙ୍ଗଲ ଜମି ହସ୍ତାନ୍ତର, ୨୦୨୩ରେ ରେଳ ଗଡ଼ିବା ନେଇ ସନ୍ଦେହ

ହୋଇପାରୁନି ଜଙ୍ଗଲ ଜମି ହସ୍ତାନ୍ତର, ୨୦୨୩ରେ ରେଳ ଗଡ଼ିବା ନେଇ ସନ୍ଦେହ

ଓଡ଼ିଶାରେ କେନ୍ଦ୍ରୀୟ ପ୍ରକଳ୍ପର ନଗ୍ନ ଚେହେରା: ୪୭ ପ୍ରକଳ୍ପ ବିଳମ୍ବିତ, ୨୨ଟିରେ ଖର୍ଚ୍ଚ ବଢ଼ିଛି

Railways Year Book

ବୌଦ୍ଧ : ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଏକ ହଜାର କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଯାହା ଗତବର୍ଷଠାରୁ ଦୁଇ ଗୁଣ। ଏହି ଘୋଷଣା ପରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଚଳାଚଳକୁ ନେଇ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଏପଟେ ବଲାଙ୍ଗୀରରୁ ଭଇଁଷାପାଲି ମଧ୍ୟରେ ଓ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି। ହେଲେ ଭଇଁଷାପାଲିରୁ ନୟାଗଡ଼ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାମ ଧିମେଇ ଚାଲିଛି। ବୌଦ୍ଧ ଜିଲ୍ଲା‌ରେ ୧୧୦ କିମି ଦୀର୍ଘ ଲାଇନ‌ରେ ପଡ଼ୁଥିବା ବ୍ୟକ୍ତିଗତ ଜମି ଓ ଜଙ୍ଗଲ ଜମି ହସ୍ତାନ୍ତର ହୋଇ ନଥିବାରୁ କାମ ଅଟକି ରହିଛି।

ସୂଚନା ଅନୁସାରେ ଭଇଁଷାପାଲିରୁ ସୋନପୁର ମଧ୍ୟରେ ରେଳପଥ ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ବୌଦ୍ଧ ଜିଲ୍ଲା ମଧ୍ୟରେ ରେଳପଥ କାମ ଅଟକି ରହିଛି। ଜିଲ୍ଲାର ପ୍ରଭାବିତ ହେଉଥିବା ୯୮ଟି ଗାଁ ମଧ୍ୟରୁ କଣ୍ଟାମାଳ ତହସିଲର ୯ଟି, ବୌଦ୍ଧ ତହସିଲର ୩୩ଟି ଓ ହରଭଙ୍ଗା ତହସିଲର ୫୬ଟି ଗାଁ ରହିଛି। ଏଥି ସହିତ ରେଳ ଧାରଣା ମଧ୍ୟରେ ୭ଟି ଗ୍ରାମ୍ୟ ଜଙ୍ଗଲ ପଡ଼ୁଛି। ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ଭୂ-ଅର୍ଜନ ବିଭାଗ ମିଳିତ ଭାବରେ କାର୍ଯ୍ୟ ଆରମ୍ଭ କରି ୨୦୫୮.୮୩୫ ଏକରରୁ କଣ୍ଟାମାଳ ଓ ବୌଦ୍ଧ ତହସିଲର ସମସ୍ତ ଗ୍ରାମ ଓ ହରଭଙ୍ଗା ତହସିଲର ଗୁଡ଼ପଡ଼ା ଗାଁ ପର୍ଯ୍ୟନ୍ତ ୭୪ଟି ଗାଁର ୧୨୪୭.୭୮୫ଏକର ଜମି ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ଘରୋଇ ଜମି ଅଧିଗ୍ରହଣ ଶେଷ କରାଯାଇ ରେଳ ବିଭାଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଭୂ-ଅର୍ଜନ ଅଧିକାରୀ ଅମୂଲ୍ୟ ସାହୁ ପ୍ରକାଶ କରିଛନ୍ତି। ତେବେ ରେଳପଥ ମଧ୍ୟରେ ଥିବା ୭୯୦ ଏକର ଜଙ୍ଗଲ ଜମି ମଧ୍ୟରୁ ୩୨.୫ ଏକରକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ଦେଇଛି। ବଳକା ୭୫୮ ଏକର ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟା ଅଟକି ରହିଛି। ଫଳରେ ଜଙ୍ଗଲ ଜମି ହସ୍ତାନ୍ତର ନେଇ ଏକ ଦୀର୍ଘ ମିଆଦି ପ୍ରକ୍ରିୟା ବାକି ରହିଛି। ଦୁଇ ବର୍ଷ ମଧ୍ୟରେ ଜଙ୍ଗଲ ଜମି ହସ୍ତାନ୍ତର ଏବଂ ଏହା ପରେ ୨୦୨୩ ସୁଦ୍ଧା ରେଳପଥ ନିର୍ମାଣ ହୋଇ ରେଳ ଗଡ଼ିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe