ମଙ୍ଗୁଳି ଜେନା ହତ୍ୟାର ପ୍ରତିବାଦ, ୬ ଘଣ୍ଟିଆ ଖୋର୍ଧା ବନ୍ଦ

Advertisment

ରାଜନୈୖତିକ ଗୋଷ୍ଠୀ ବିବାଦରୁ ହତ୍ୟା: ଆଇଜି, ୩ଟି ଟିମ୍‌ କରୁଛନ୍ତି ଘଟଣାର ତଦନ୍ତ: ଡିଜି

ରାଜନୈୖତିକ ଗୋଷ୍ଠୀ ବିବାଦରୁ ହତ୍ୟା: ଆଇଜି, ୩ଟି ଟିମ୍‌ କରୁଛନ୍ତି ଘଟଣାର ତଦନ୍ତ: ଡିଜି

ମଙ୍ଗୁଳି ଜେନା ହତ୍ୟାର ପ୍ରତିବାଦ, ୬ ଘଣ୍ଟିଆ ଖୋର୍ଧା ବନ୍ଦ

photo by : Hindustan Times

ଭୁବନେଶ୍ବର/ ‌ଖୋର୍ଧା : ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ନେଇ ସମଗ୍ର ଖୋର୍ଧା ବିଧାନସଭା ନିର୍ବାଚନମଣ୍ଡଳୀରେ ଉତ୍ତେଜନା ଦେଖା ଦେଇଛି। ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ପକ୍ଷରୁ ଖୋର୍ଧା ଥାନା ଘେରାଉ କରାଯାଇ ଖୋର୍ଧା ବନ୍ଦ ଡାକରା ଦିଆଯାଇଥିଲା। ମଙ୍ଗୁଳି ଜେନାଙ୍କୁ ହତ୍ୟା କରିଥିବା ସାର୍ପ ସୁଟରଙ୍କ ଟାର୍ଗେଟ୍ ବିଜେପି ‌ବିଧାୟକ ପ୍ରାର୍ଥୀ ଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଉଥିବା ବେଳେ ବଡ଼ବେପାଖରିଆ ଅଞ୍ଚଳର ଦୁଇ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ତେବେ ଆସନ୍ତା ୨୩ ତାରିଖ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ବିଜେପି ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।

ଏହି ହତ୍ୟାକାଣ୍ଡ ପ୍ରତିବାଦରେ ଜିଲ୍ଲା ଓ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ଥାନା ଆଗରେ ଧାରଣାରେ ବସିବା ସହ ୬ ଘଣ୍ଟିଆ ଖୋର୍ଧା ବନ୍ଦର ଡାକରା ଦେଇଥିଲେ। ଆଜି ସକାଳେ ୭ଟାରୁ ଖୋର୍ଧା ସହରର ମେଡିକାଲ୍ ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକମାନେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ।। ବନ୍ଦ ଯୋଗୁଁ ଖୋର୍ଧା ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଭିନ୍ନ ରାସ୍ତାରେ ବସ୍‌ ଓ ଗାଡ଼ି ଚଳାଚଳ କରିଥିଲା।

ଭାରପ୍ରାପ୍ତ ଡିଜି ବିଜୟ କୁମାର ଶର୍ମା କହିଛନ୍ତି, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ହତ୍ୟାକାଣ୍ଡର ତଦନ୍ତ ଆଗେଇ ଚାଲିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ ପକ୍ରିୟା ଆରମ୍ଭ କରାଯାଉଛି। ଯାହା ଯାହା ବିରୋଧରେ ସାକ୍ଷ୍ୟ ପ୍ରମାଣ ମିଳିବ ପୁଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କୁ ସାମିଲ କରାଯାଇଛି। ଏହା ଛଡ଼ା ଖୋର୍ଧାର ୩ଟି ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖୋର୍ଧା ଆଦର୍ଶ ଥାନା ଇନ୍ସପେକ୍ଟର ଏହି ହତ୍ୟାକାଣ୍ଡ ତଦନ୍ତର ନେତୃତ୍ବ ନେଉଛନ୍ତି। କ୍ରାଇମ ବ୍ରାଞ୍ଚର ସାଇବର ଟିମ୍, ରାଜ୍ୟ ଫୋରେନସିକ ଟିମ ଓ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଏହି ତଦନ୍ତ ପ୍ରକ୍ରିୟା ସାମିଲ କରାଯାଇଛି। ଖୁବ ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦାଫାସ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି। ସେହିପରି ଖୋର୍ଧାର ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

କେନ୍ଦ୍ରାଞ୍ଚଳ ଆଇଜି କହିଲେ, ବଡ଼ପୋଖରିଆରେ ଦୁଇ ପ୍ରଭାବଶାଳୀ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦରୁ ଏହି ହତ୍ୟାକାଣ୍ତ ଘଟିଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି। ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁସନ୍ଧାନ ଦାୟିତ୍ବ ଟାଉନ୍ ଥାନା ଆଇଆଇସିଙ୍କୁ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe