୫-ଟି ସଚିବଙ୍କ ପ୍ରତିଶ୍ରୁତିକୁ ୩ ମାସ ବିତିଲା; ବଦଳୁନି ଖୋର୍ଦ୍ଧା ଶିଳ୍ପାଂଚଳ ସମସ୍ୟା

Advertisment

ଅସନ୍ତୁଷ୍ଟ ଶିଳ୍ପାଂଚଳ ମାଲିକଙ୍କୁ ବୁଝାଶୁଝା କରି ଆଉ ୨ ମାସ ସମୟ ମାଗିଲେ ଜିଲ୍ଲାପାଳ

ଅସନ୍ତୁଷ୍ଟ ଶିଳ୍ପାଂଚଳ ମାଲିକଙ୍କୁ ବୁଝାଶୁଝା କରି ଆଉ ୨ ମାସ ସମୟ ମାଗିଲେ ଜିଲ୍ଲାପାଳ

୫-ଟି ସଚିବଙ୍କ ପ୍ରତିଶ୍ରୁତିକୁ ୩ ମାସ ବିତିଲା; ବଦଳୁନି ଖୋର୍ଦ୍ଧା ଶିଳ୍ପାଂଚଳ ସମସ୍ୟା

ଖୋର୍ଦ୍ଧା: ଆସନ୍ତା ୩ ମାସ ମଧ୍ୟରେ ଖୋର୍ଦ୍ଧା ଶିଳ୍ପାଂଚଳର ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଆସୁଥିବା ଟ୍ରକ ପାଇଁ ପାର୍କିଂ ବ୍ୟବସ୍ଥା, ବିଜୁଳି ଆଲୁଅ, ରାସ୍ତାଘାଟ ମରାମତି, ଶିଳ୍ପାଂଚଳର ପରିମଳ ବ୍ୟବସ୍ଥା ସବୁ ସୁଧାର ହେବ, ସେପ୍ଟମ୍ବର ୨୦ ତାରିଖ ୨୦୨୨ରେ ରାଜ୍ୟର ୫-ଟି ସଚିବ ଖୋର୍ଦ୍ଧା ଶିଳ୍ପାଂଚଳକୁ ଗସ୍ତ କରି ଶିଳ୍ପାଂଚଳରେ ଥିବା ଶିଳ୍ପାନୁଷ୍ଠାନର ମାଲିକଙ୍କ ସହ ୨ ଘଂଟା ନିଭୃତ ଆଲୋଚନା କରି ଏଭଳି ପ୍ରତିଶ୍ରୁତି ଦେଇଥିଲେ । ଆଜିକୁ ୩ ମାସରୁ ଉଦ୍ଧ୍ୱର୍ ସମୟ ବିତିଗଲାଣି, କିନ୍ତୁ ଶିଳ୍ପାଂଚଳର କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଶେଷରେ ଗତକାଲି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅସନ୍ତୁଷ୍ଟ ଶିଳ୍ପାନୁଷ୍ଠାନର ମାଲିକଙ୍କୁ ଡାକି ବୁଝାଶୁଝା କରିଛନ୍ତି ।

ଗତକାଲି ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଖୋର୍ଦ୍ଧା ଶିଳ୍ପାଂଚଳ, ଖୋଲାଦ୍ୱାର, ବିଶିପଡ଼ା, ଚମ୍ପାଝର, କୈଲେଶ୍ୱରପୁର, ସାରୁଅ, ଜୟମଙ୍ଗଳ ଆଦି ନୂତନ ଶିଳ୍ପାଂଚଳରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିବା ମାଲିକଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ଶିଳ୍ପାଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ଆଉ ୨ ମାସ ସମୟ ମାଗିଛନ୍ତି ।

୨୦୨୨ ସେପ୍ଟମ୍ବର ୨୦ ତାରିଖରେ ୫-ଟି ସଚିବ କାର୍ତିକେୟନ ପାଣ୍ଡିଆନ୍, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ଇଡ୍କୋର ପରିଚାଳନା ନିଦେ୍ର୍ଦଶକ ଭୂପିନ୍ଦର ସିଂହ ପୁନିଆ ପ୍ରମୁଖ ଖୋର୍ଦ୍ଧା ଶିଳ୍ପାଂଚଳ ପହଂଚି ଏସ୍ଏମ୍ଏସ୍ କାରଖାନାର ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନର ମାଲିକଙ୍କ ସହ ନିଭୃତ ଆଲୋଚନା କରିଥିଲେ । ପୌର ପରିଷଦର ହୋଲଡିଂ ଟିକସ ଆଦାୟ, ୮ଶହ ମିଟର ଦୀର୍ଘ ବର୍ଷାଜଳ ନିଷ୍କାସନ ନାଳ, ପାନୀୟ ଜଳ ସୁବିଧା, ପରିମଳ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁର ପରିଚାଳନା, ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟ ଜଳର ପରିଚାଳନା ଆଦି ନେଇ ୩୫ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ଆସନ୍ତା ୩ ମାସ ମଧ୍ୟରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହା ମଧ୍ୟରେ ୩ ମାସରୁ ଉଦ୍ଧ୍ୱର୍ ସମୟ ବିତିଯାଇଛି, କିନ୍ତୁ କେବଳ ଶିଳ୍ପାଂଚଳରେ ପୌର ପରିଷଦର ହୋଲିଡିଂ ଟିକସ ବାବଦକୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଓ ଶିଳ୍ପାଂଚଳରେ ନିୟମିତ ପାଟ୍ରୋଲିଂ ଗାଡ଼ି ପଇଁତରା ମାରୁଥିଲେ ମଧ୍ୟ ଅନ୍ୟ କୌଣସି ଭିତ୍ତିଭୂମିଜନିତ ସମସ୍ୟାର ସମାଧାନ ହୋଇପାରିନାହିଁ । ମିଳିଥିବା ସୂଚନାରେ, ଶିଳ୍ପାଂଚଳ ମଧ୍ୟରେ ଥିବା ଏନ୍ସିସି ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ୧୨ ଏକର ଜମିକୁ ଟ୍ରକ୍ ଆଦି ପାର୍କିଂ ପାଇଁ ଚିହ୍ନଟ କରାଯାଇଛି, କିନ୍ତୁ ସେଠାରେ ବିଜୁଳିଆଲୁଅ, ଚାଳକ ଓ ସହାୟକଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା, ସିସି ଟିଭିର ବ୍ୟବସ୍ଥା ହୋଇପାରିନାହିଁ । ସେହିଭଳି ବର୍ଷାଜଳ ନିଷ୍ପାସନ ପାଇଁ ନାଳ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା, ବିଜୁଳି ଆଲୁଅ ସଂଯୋଗ, ରାସ୍ତାଘାଟ ମରାମତି ଆଦି ହୋଇନାହିଁ ।

ଏନେଇ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କହିଛନ୍ତି ଯେ ମେକ୍ ଇନ୍ ଇଣ୍ଡିଆ ଓ ବିଶ୍ୱ କପ୍ ହକି ପାଇଁ ଇଡ୍କୋ ଓ ଅନ୍ୟ ବିଭାଗୀୟ ଅଧିକାରୀ ବ୍ୟସ୍ତ ଥିବାରୁ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିନାହିଁ । ଆଉ ୨ ମାସ ସମୟ ଦେଲେ ବିଶ୍ୱ କପ୍ ହକି ପରେ ଏହାର ସମାଧାନ ହେବ । ଅପରପକ୍ଷରେ, ଶିଳ୍ପାଂଚଳରେ ଅଦ୍ୟାବଧି ଅସାମାଜିକ ବ୍ୟକ୍ତି ଓ ନିଶାଡ଼ିଙ୍କ ଦୌରାତ୍ମ୍ୟ ଜାରି ରହିଥିବା ବେଳେ ପୁଲିସ ଦାୟିତ୍ୱ ଶିଳ୍ପାନୁଷ୍ଠାନର ମାଲିକଙ୍କ ଉପରକୁ ଠେଲି ଦେଇଛି । ନିଜର ଶିଳ୍ପାନୁଷ୍ଠାନ ଆଗରେ ସିସିଟିଭି ଲଗାଇ ଏହାର ସଂଯୋଗ ପୁଲିସ ଥାନାକୁ କରିବା ଓ ପୁଲିସ ସେଠାରୁ ମନିଟରିଂ କରିବ ବୋଲି କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe