ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ କେବେ?

ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ କେବେ?

RailNews Media India Ltd

ନୟାଗଡ଼ : ଅର୍ଦ୍ଧଶତାବ୍ଦୀରୁ ଅଧିକ ଅର୍ଥାତ୍‌ ୭୦ ବର୍ଷର ବହୁଚର୍ଚ୍ଚିତ ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନେଇ ପାରିଲାନାହିଁ। ଆସନ୍ତାକାଲି ରେଳବଜେଟ୍‌ରେ ଏଥିପାଇଁ ବ୍ୟୟବରାଦ ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିଛି।

ନୟାଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଣ୍ଠେଇଥିବା ଦେଖାଯାଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ଆଇନ, କ୍ଷତିପୂରଣ ଆଦି ନାନା ସମସ୍ୟା ନେଇ ଏହି ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଛି। ନୂଆଗାଁ ବ୍ଲକ୍‌ର ସୋରଡ଼ା ଓ ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଜମି ଅଧିଗ୍ରହଣ ନେଇ ପ୍ରକଳ୍ପ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ବଲାଙ୍ଗୀର ପାର୍ଶ୍ବରୁ ଜମି ଅଧିଗ୍ରହଣ ନେଇ ବିଶେଷ ସମସ୍ୟା ନଥିବା ବେଳେ, ନୟାଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ସମସ୍ୟା ହେଉଥିବା ଆଳ ଦେଖାଯାଉଛି। ବିଭାଗୀୟ ଅଧିକାରୀ ଏନେଇ ତତ୍ପରତା ଦେଖା‌ଉନଥିବା ଅଭିଯୋଗ ଆସିଛି।

ନୟାଗଡ଼ ଟାଉନ୍‌ରୁ ମହିପୁର ପର୍ଯ୍ୟନ୍ତ ରେଳ ଚଳାଚଳ ୨୦୧୯ ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ମହିପୁରରୁ ନୂଆଗାଁ ବ୍ଲକ୍‌ର କୋରଡ଼ା ପର୍ଯ୍ୟନ୍ତ ଟ୍ରାକ୍‌ କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ରେଳ ଚଳାଚଳ ହୋଇ ପାରିନାହିଁ। ‌ଏହି ପରିପ୍ରେକ୍ଷୀରେ କୋରଡ଼ାରୁ ଦଶପଲ୍ଲା, ଦଶପଲ୍ଲାରୁ ବିଗୁଡ଼ା ପର୍ଯ୍ୟନ୍ତ ରାସ୍ତା କାମ ଅତ୍ୟନ୍ତ ଧିମା ଚାଳିଛି। ମଝିରେ ଜମି ଅଧିଗ୍ରହଣ ସମସ୍ୟା ମଧ୍ୟ ରହିଛି। ଟ୍ରାକ୍‌ ପଡ଼ିବା କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳ‌ରେ ଏହି ପ୍ରକଳ୍ପ ତ୍ବରାନ୍ବିତ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ ରେଳ ବିଭାଗର ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ୍‌-ମହିପୁର ଟ୍ରେନ୍‌ ଚଳାଚଳ ବ୍ୟବସ୍ଥାର ଉଦ୍‌ଘାଟନ ବେଳେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରେଳ ଲାଇନ୍ ୨୦୨୨ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା‌ ଓ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ଛୁଇଁବ ବୋଲି ଘୋଷଣା କରିଥିଲେ। ତେବେ ପ୍ରକଳ୍ପ କାର୍ଯ୍ୟ ଦେଖିଲେ ଏହା ବଲାଙ୍ଗୀର ଦୂର କଥା, ଦଶପଲ୍ଲା ମଧ୍ୟ ନିକଟ ଭବିଷ୍ୟତରେ ପହଞ୍ଚିବା ଭଳି ସ୍ଥିତିରେ ନାହିଁ। ବଲାଙ୍ଗୀର ଛୁଇଁବାକୁ ଆହୁରି ତିନି ଚାରି ବର୍ଷ ଲାଗିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe