ଖୋର୍ଦ୍ଧା: ଆଜି ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଖୋର୍ଦ୍ଧାର ଶିଶୁ ରୋଗ ବିଶେଷଜ୍ଞ ଡା. ମାନସ ଦାସ ଓ ତାଙ୍କ ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତର ଦାସ ଓ ତାଙ୍କ ସହଯୋଗୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଏସ୍ପି ଅଜୟ ପ୍ରତାପ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଆକ୍ରମଣର କାରଣ ଜଣାପଡ଼ି ନାହିଁ।
ଡାକ୍ତର ମାନସ ଦାସ ଗତ ମେ ମାସରେ ବୌଦ୍ଧ ମେଡିକାଲ୍ରୁ ଅବସରଗ୍ରହଣ କରିଥିଲେ। ସେ ଭୁବନେଶ୍ବରରେ ରହୁଥିଲେ ହେଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୫୭ ନମ୍ବର ଜାତୀୟ ରାଜପଥର ବଡ଼ଶଙ୍ଖ ନିକଟରେ ନିଜ ଘରେ କ୍ଲିନିକ୍ କରିଥିଲେ। ଭୁବନେଶ୍ବରରୁ ସେ ନିୟମିତ ଆସି ରୋଗୀଙ୍କ ଚିକିତ୍ସା କରୁଥିଲେ। ଆଜି ରବିବାର ଥିବାରୁ ଡାକ୍ତର ଦାସ ସସ୍ତ୍ରୀକ କ୍ଲିନିକ୍କୁ ଆସିଥିଲେ। ପ୍ରାୟ ସାଢେ଼ ୬ଟା ବେଳେ କ୍ଲିନିକ୍ ଭିତରେ ଡା. ଦାସ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଜଣେ ବ୍ୟକ୍ତି ମୁହଁରେ ମଂକିକ୍ୟାପ୍ ଘୋଡ଼ାଇ ସାଧାରଣ ରୋଗୀଙ୍କ ଭଳି ଜୋତା ଖୋଲି କ୍ଲିନିକ୍ରେ ପ୍ରବେଶ କରିଥିଲା। ଦୁର୍ବୃତ୍ତ ଜଣକ ସିଧାସଳଖ ଡାକ୍ତରଙ୍କ କ୍ୟାବିନ୍ ଭିତରେ ପଶି ଡାକ୍ତର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳି କରିଥିଲା। ଗୋଟିଏ ଗୁଳି ଡାକ୍ତରଙ୍କ ବାମପଟ ଛାତି ତଳେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତଳିପେଟରେ ବାଜିଥିଲା। ଗୁଳି ଶବ୍ଦ ଓ ଲୋକଙ୍କ ପାଟି ଶୁଣି ତଳେ କୋଠାରେ ଥିବା ଏକ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁ ଡାକ୍ତରଙ୍କ ପାଖକୁ ଦୌଡ଼ିଆସିଥିଲେ। ଦୁର୍ବୃତ୍ତକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ଗୁଳିଟି କୃଷ୍ଣଚନ୍ଦ୍ରଙ୍କ ଡାହଣ ପଟ ତଳିପେଟରେ ବାଜିଥିଲା। ଏହାପରେ ଦୁର୍ବୃତ୍ତ ଜଣକ ସେଠାରୁ ଚାଲିଯାଇଥିଲା। ଆଖପାଖର ଲୋକ ଓ ସେଠାରେ ଅପେକ୍ଷା କରିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଦାସ ଓ କୃଷ୍ଣଚନ୍ଦ୍ରଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ବର ଆମ୍ରି ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା। ଏସ୍ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ ଦୁର୍ବୃତ୍ତର ପରିଚୟ ମିଳିନାହିଁ। ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଇଛି। ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତ ଜଣକ ସେଠାରେ ଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଫେରାର ହୋଇଯାଇଛି। ଘଟଣା ସମ୍ପର୍କରେ ଟାଉନ୍ଥାନାରେ ୪୬୭/୨୦୧୯ରେ ଏକ ମାମଲା ରୁଜୁ କରାଯାଇଛି। ଏସ୍ପିଙ୍କ ନେତୃତ୍ବରେ ଅତିରିକ୍ତ ଏସ୍ପି, ଏସ୍ଡିପିଓ ଓ ଟାଉନ୍ ଥାନା ଆଇଆଇସି ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି ଓ ସମସ୍ତ ଥାନାକୁ ଏନେଇ ସୂଚନା ଦିଆଯାଇଛି। ଖୁବ୍ ଶୀଘ୍ର ଦୁର୍ବୃତ୍ତର ପରିଚୟ ମିଳିଯିବ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଏଡିଏମ୍ଓ ଡା. ନାରାୟଣ ବେହେରା କହିଛନ୍ତି ଯେ ଉଭୟଙ୍କ ପେଟରେ ଗୁଳି ବାଜିଛି।
Follow Us