ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ: ୨୦୨୫ ସୁଦ୍ଧା ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ କାମ ସରିବ

Advertisment
ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ: ୨୦୨୫ ସୁଦ୍ଧା ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ କାମ ସରିବ

ଭୁବନେଶ୍ବର: ୨୦୨୫ ଶେଷ ସୁଦ୍ଧା  ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ କାମ ସରିବ। ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ପରିବହନ ବିଭାଗର ଅତିରିକ୍ତ ସଚିବ ଏସ.କେ.ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ପଟୁ ୭୦ କିଲୋମିଟର ଓ ବଲାଙ୍ଗୀର ପଟୁ ୧୪ କିଲୋମିଟର ରେଳ ଲାଇନ କାର୍ଯ୍ୟ ଶେଷ ହୋଇଛି। ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି। ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ଏନେଇ ୭ ନମ୍ବର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ନୟାଗଡ଼ ଯାଏ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳ ମଧ୍ୟ ଗଡ଼ିଛି। କିନ୍ତୁ ଦୁର୍ଭାଗ୍ୟର କଥା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିମନ୍ତେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଇଂଚ ଜମି ବି ଏଯାଏ ଅଧିଗ୍ରହଣ ହୋଇପାରିନାହିଁ। ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବ ହେତୁ ଅଧିଗ୍ରହଣ କାର୍ଯ୍ୟ ଆଗେଇପାରୁନଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ଆଗକୁ ଏହା କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ସେପଟେ ବୌଦ୍ଧ ଜିଲ୍ଲାରେ ୨୨୭୦ ଏକର ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଏକ ହଜାରରୁ ଅଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ତେବେ ସେମାନଙ୍କୁ ୨୦୦୬ ମସିହାର ଦରରେ ମୁଲ୍ୟାଙ୍କନ କରି କ୍ଷତିପୂରଣ ଦିଆଯାଇଥିବାକୁ ବିରୋଧ କରି ସମିତି ପକ୍ଷରୁ ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ପ୍ରାୟ ଦୁଇ ବର୍ଷ ତଳେ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଅନିଶ୍ଚିତତା ଦେଇ ଗତିକରୁଥିବା ଏହି ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ନିମନ୍ତେ ସରକାର ଦୃଷ୍ଟି ଦେଇ ତୁରନ୍ତ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଦାବି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe