ଟଙ୍କା କାରବାରକୁ ନେଇ ଯୁବକଙ୍କୁ ଅପହରଣ: ପୁଲିସ୍ କନେଷ୍ଟବଳ ସମେତ ୫ ଗିରଫ, ୪ ଫେରାର

Advertisment
ଟଙ୍କା କାରବାରକୁ ନେଇ ଯୁବକଙ୍କୁ ଅପହରଣ: ପୁଲିସ୍ କନେଷ୍ଟବଳ ସମେତ ୫ ଗିରଫ, ୪ ଫେରାର

ରାୟଗଡ଼ା: ଟଙ୍କା କାରବାରକୁ ନେଇ ଯୁବକଙ୍କୁ ଅପହରଣ ମାମଲାର ପର୍ଦାଫାଶ କରିଛି ଅଣ୍ଡିରାକଞ୍ଚ ପୁଲିସ୍। ଅପହୃତ ଯୁବକ ପଶୁର୍ରାମ ଝୋଡ଼ିଆକୁ ପୁଲିସ୍ କଳାହାଣ୍ଡି ଜିଲ୍ଲାରୁ ଉଦ୍ଧାର କରିବା ସହ ମାମଲାରେ ସଂପୃକ୍ତି ଅଭିଯୋଗରେ ଦୋରାଗୁଡା ଥାନା କନେଷ୍ଟବଳ ରାମ ପ୍ରସାଦ ନାୟକ, ଥାନାର ବେସରକାରୀ ଡ୍ରାଇଭର ମହେଶ ନାୟକ, କଳାହାଣ୍ଡି ଜିଲ୍ଲା ଛତବନଦୁଗୁଡା ଗାଁର ଶଙ୍କର ନାୟକ, କାଶୀପୁର ଡାଙ୍ଗଶେଷଖାଲର କବିସ ମାଝି, ମନୋଜ କୁମାର ନାୟକଙ୍କୁ ଗିରଫ କରିଛି। ଅପହରଣରେ ବ୍ୟବହୃତ ଗାଡ଼ି ସମେତ ଅନ୍ୟ ୪ ଜଣ ଫେରାର୍ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍।

ଟଙ୍କା କାରବାରକୁ କେନ୍ଦ୍ର କରି ଅଣ୍ଡିରାକଞ୍ଚ ଥାନା ଝିରିଗାଁର ପର୍ଶୁରାମ ଝୋଡ଼ିଆ ଓ ଅଭିଯୁକ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୀର୍ଘ ଦିନ ଧରି ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ମାର୍ଚ୍ଚ ୧୯ ତାରିଖରେ ଅଭିଯୁକ୍ତମାନେ ପର୍ଶୁରାମଙ୍କୁ ରାୟଗଡ଼ା ଯିବା କହି ଘରୁ ଡାକି ଆଣି ଅପହରଣ କରିଥିଲେ। ନିଜ ସାଙ୍ଗସାଥୀଙ୍କ ସହ କୁଆଡେ ଯାଇଥିବେ ଭାବି ପରିବାର ଲୋକ ଦିନେ ଦୁଇ ଦିନ ଅପେକ୍ଷା କରିଥିଲେ। କିନ୍ତୁ ପର୍ଶୁରାମ ଘରକୁ ନ ଫେରିବା ଯୋଗୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ଘଟଣାର ୧୦ ଦିନ ପରେ ପର୍ଶୁରାମଙ୍କ ସ୍ତ୍ରୀ ସ୍ବାମୀକୁ ଅପହରଣ କରି ନେଇଥିବା ନେଇ ଏପ୍ରିଲ୍ ୧ ତାରିଖରେ ଅଣ୍ଡିରାକଞ୍ଚ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ମୋବାଇଲ୍ ନଂବର ଟ୍ରାକିଂ କରି ପୁଲିସ୍ ୨ ତାରିଖ ସକାଳୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଇଲାକାରୁ ଅପହୃତ ପର୍ଶୁରାମଙ୍କ ସମେତ ୫ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରେ ଦୋରାଗୁଡା ଥାନା କନେଷ୍ଟବଳ ରାମ ପ୍ରସାଦ ନାୟକ, ବେସରକାରୀ ଡ୍ରାଇଭର ଡଙ୍ଗାସିଲ ଗ୍ରାମର ମହେଶ ନାୟକଙ୍କ ସଂପୃକ୍ତି ଥିବା ଜଣା ପଡ଼ିଥିଲା। ଗିରଫ ଅଭିଯୁକ୍ତଙ୍କୁ ପୁଲିସ୍ ପଚରା ଉଚରା କରିବା ପରେ ମାମଲାରେ ଅନ୍ୟ ୪ ଜଣ ସଂପୃକ୍ତି ଥିବା ଅଣ୍ଡିରାକଞ୍ଚ ପୁଲିସ୍ ଜାଣିଥିଲା। ଅପହରଣରେ ବ୍ୟବହୃତ ଗାଡ଼ି ସମେତ ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଚଢ଼ଉ ଚାଲିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe