ଅପହରଣ ପରେ ଯୁବକଙ୍କୁ ହତ୍ୟା, ଫତେଗଡ଼ରେ ଉତ୍ତେଜନା, ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ

ଅପହରଣ ପରେ ଯୁବକଙ୍କୁ ହତ୍ୟା, ଫତେଗଡ଼ରେ ଉତ୍ତେଜନା, ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ଥାନା ମଣିପୁର ଗ୍ରାମ ପୁଣି ଅଶାନ୍ତ ହୋଇଉଠିଛି। ଗୁଳି ଓ ବୋମା ମାଡ଼ କରି ଜଣେ ଯୁବକଙ୍କୁ ଅପହରଣ କରିବ‌ା ପରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। ଗ୍ରାମଠାରୁ ୩ କିଲୋମିଟର ଦୂର ଏକ ନିକାଞ୍ଚନ ସ୍ଥାନରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କର ଗିରଫ ଦାବି କରି ଥାନା ସମ୍ମୁଖରେ ଶବ ରଖି ଉତ୍ତ୍ୟକ୍ତ ଲୋକେ ଫତେଗଡ଼-ଖଣ୍ତପଡ଼ା ଏବଂ ଫତେଗଡ଼-କଂଟିଲୋ ରାଜ୍ୟ ରାଜପଥ ଅବରୋଧ କରିଥିଲେ।

ପୁଲିସଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ମଣିପୁର ଗାଁର ବୀରବର ଖଟେଇଙ୍କ ପୁଅ ଅର୍ଜୁନ(୩୨) ଗତକାଲି ସନ୍ଧ୍ୟା ବେଳେ ଦୁଇ ତିନି ଜଣ ସାଙ୍ଗଙ୍କ ସହିତ ଗ୍ରାମ ନିକଟସ୍ଥ କାଚରା ପାଟକୁ ଶୌଚ ପାଇଁ ଯାଇଥିଲେ। ଘରକୁ ଫେରିବା ବେଳେ ସେହି ଗ୍ରାମର ବାହାନ ଖଟେଇ, ଶଙ୍କର ଦଳେଇ, ତାପସ ଜେନା, ଅଶୋକ ଖଟେଇ, ଟୁଲୁ ଜେନା, ଜିତେନ୍ଦ୍ର ଦଳେଇ, ଧରମା ରାଉତ ଏବଂ ପ୍ରତାପ ଦଳେଇ ୪/୫ଟି ମୋଟର ସାଇକେଲରେ ଆସି କାଚରାପାଟ ନିକଟରେ ଥିବା ପାଞ୍ଚଟିକିଆ ପୋଲ ଉପରେ ଅର୍ଜୁନଙ୍କୁ ଘେରି ଯାଇଥିଲେ। ପରେ ଖଣ୍ତା, ଭୁଜାଲି, ଫାର୍ସା ସହିତ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଜବରଦସ୍ତ ତାଙ୍କୁ ବାଇକ୍‌ରେ ବସାଇଥିଲେ। ସେମାନଙ୍କ କବଳରୁ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ତାଙ୍କ ସହିତ ଥିବା ଗ୍ରାମର ଯଦୁନାଥ ସାମନ୍ତରାୟ, ବିକ୍ରମ ଜେନା, କବିରାଜ ଖଟେଇ ଆପ୍ରାଣ ଉଦ୍ୟମ କରି ବିଫଳ ହୋଇଥିଲେ। ସେହି ସମୟରେ ଶଙ୍କର ହଠାତ୍ ଅଣ୍ଟାରୁ ଏକ ପିସ୍ତଲ ବାହାର କରି ଉପରକୁ ଦୁଇ ରାଉଣ୍ତ ଗୁଳି ଫୁଟାଇବା ସହିତ ବାହାନ ଓ ତାପସ୍‌ ଦୁଇଟି ବୋମା ଫୁଟାଇ ଅର୍ଜୁନଙ୍କୁ ଜବରଦସ୍ତ ବାଇକ୍‌ରେ ବସାଇ ଅପହରଣ କରିନେଇଥିଲେ। ଅର୍ଜୁନଙ୍କ ସାଙ୍ଗମାନେ ଗ୍ରାମରେ ପହଞ୍ଚି ସମସ୍ତ ଘଟଣା କହିଥିଲେ।

ଘଟଣା ସଂପର୍କରେ ଅର୍ଜୁନଙ୍କ ସ୍ତ୍ରୀ ରଶ୍ମିତା ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। ପରେ ଗ୍ରାମବାସୀ ଏବଂ ଫତେଗଡ଼ ପୁଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମଣିପୁର ଗ୍ରାମଠାରୁ ୩ କିଲୋମିଟର ଦୂର କଟକ ଜିଲ୍ଲା କଳାପଥର ପଞ୍ଚାୟତର ମଧୁଆପଲ୍ଲୀ ଗ୍ରାମ ନିକଟରୁ ଅର୍ଜୁନଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଫତେଗଡ଼ ପୁଲିସ ଉଦ୍ଧାର କରି ପ୍ରଥମେ କଳାପଥର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଯାଇଥିଲା। ନୟାଗଡ଼ରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳରୁ ୩ଟି ଚପଲ, ଦୁଇଟି ଖୋକା ଏବଂ ବୋମା ସୁତୁଲି ଜବତ୍ ହୋଇଛି।

ଘଟଣାକୁ ନେଇ ମଣିପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଆଜି ଶବ ରଖି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହି ଦାବିରେ ‌େସମାନେ ଫତେଗଡ଼-ଖଣ୍ତପଡ଼ା ଏବଂ ଫତେଗଡ଼-କଂଟିଲୋ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଅତିରିକ୍ତ ଏସ୍‌ପି ଦିଲୀପ ସାହାଣୀ ଏବଂ ଭାପୁର ଅତିରିକ୍ତ ତହସିଲଦାର ବିରଞ୍ଚି ନାରାୟଣ ବେହେରା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe