ପାରାଦୀପରେ ପୁଣି ଚାଞ୍ଚଲ୍ୟ: ହାତଗୋଡ଼ ବାନ୍ଧି ଚୋରକୁ ଅପହରଣ!

Advertisment

ଟ୍ରକ୍‌ରେ ନେଉଥିବା ବେଳେ ପୁଲିସ ଧରିଲା

ଟ୍ରକ୍‌ରେ ନେଉଥିବା ବେଳେ ପୁଲିସ ଧରିଲା

ପାରାଦୀପରେ ପୁଣି ଚାଞ୍ଚଲ୍ୟ: ହାତଗୋଡ଼ ବାନ୍ଧି ଚୋରକୁ ଅପହରଣ!

ଜଗତସିଂହପୁର : ପାରାଦୀପରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମୋବାଇଲ ଚୋରକୁ ଟ୍ରକ୍ ସାମ୍ନାରେ ବାନ୍ଧି ଦଣ୍ଡଦେବା ଘଟଣାର କେଇଦିନ ନ ପୂରୁଣୁ ‌ଗତକାଲି ରାତିରେ ପୁଣି ସେମିତି ଏକ ଘଟଣା ଘଟିଛି। ଜଣେ ଚୋରକୁ ହାତ ଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ଯାଉଥିବା ବେଳେ ପୁଲିସ ତାକୁ ଉଦ୍ଧାର କରିଛି। ଏହି ମାମଲାରେ ଟ୍ରକ୍ ଚାଳକ ସଦାନନ୍ଦ ରାଉତଙ୍କୁ ପାରାଦୀପ ଲକ୍ ଥାନା ପୁଲିସ ଗିରଫ କରିଥିବା ବେଳେ ଏହାର ହେଲପର କାଳିଆ ଫେରାର ହୋଇଯାଇଛନ୍ତି। ଟ୍ରକ୍‌ଟିକୁ ମଧ୍ୟ ପୁଲିସ ଜବତ କରିଛି।

ଲକ୍ ଥାନା ଇନସପେକ୍ଟର ସବ୍ୟସାଚୀ ରାଉତଙ୍କ ସୂଚନା ମୁତାବକ, ସଦାନନ୍ଦ ଚଳାଉଥିବା ଟ୍ରକ (ଓଡି୦୫ ଏନ୍୭୫୭୮)ଟିକୁ ଗତକାଲି କାର୍ବନ ଛକ ନିକଟରେ ପାର୍କିଂ କରିଥିଲା। ଏହି ସମୟରେ ଭିତରଗଡ଼ ଅଞ୍ଚଳର ଯୁବକ ମିଥୁନ ମଲ୍ଲିକ ଉକ୍ତ ଟ୍ରକରୁ ୧୧ ହଜାର ଟଙ୍କା ଚୋରି କରିଥିଲା। ଏହାର କିଛିଘଣ୍ଟା ପରେ ସେ ପୁଣିଥରେ ସେଠାକୁ ଆସି ଆଉ ଗୋଟିଏ ଟ୍ରକ୍‌ରୁ ମୋବାଇଲ ଚୋରି କରିବା ପାଇଁ ଉଦ୍ୟମ କରୁଥିବାବେଳେ ସଦାନନ୍ଦ ଓ କାଳିଆ ତାଙ୍କୁ କାବୁ କରି ନେଇଥିଲେ। ସେମାନେ ମିଥୁନକୁ ନିସ୍ତୁକ ମାଡ଼ ମାରିଥିଲେ। ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ନେଇ ପଳାଇ ଯାଇଥିଲେ। କେନ୍ଦ୍ରାପଡ଼ା ହଜାରି ନିକଟରେ ସେମାନେ ଚା’ ପିଇବା ପାଇଁ ଟ୍ରକ ରଖିଥିଲେ। ଏହାର ସୁଯୋଗନେଇ ମିଥୁନ ଜୋରରେ ଚିତ୍କାର କରିଥିଲା। ଏହାଦେଖି ସଦାନନ୍ଦ ଓ କାଳିଆ ତୁରନ୍ତ ସେଠାରୁ ଆସି ଟ୍ରକ୍‌କୁ ନେଇ ପଳାଇ ଯାଉଥିଲେ।

ଏହିସମୟରେ ନିକଟରେ ଉପସ୍ଥିତ ଥିବା ଲୋକମାନେ ସ୍ଥାନୀୟ ମାର୍ଶାଘାଇ ଥାନାକୁ ଖବର ଦେଇଥିଲେ। ମାର୍ଶାଘାଇ ଥାନା ପୁଲିସ ଉକ୍ତ ଟ୍ରକ୍‌ଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିବାବେଳେ ହେଲପର କାଳିଆ ସେଠାରୁ ଫେରାର ହୋଇ ଯାଇଥିଲେ। ମାତ୍ର ସଦାନନ୍ଦ ଓ ମିଥୁନକୁ ପୁଲିସ ଥାନାକୁ ଆଣିଥିଲା। ସେଠାରେ ପଚରାଉଚରା କରିବାରୁ ସଦାନନ୍ଦ ସବୁ ସତ ମାନି ଯାଇଥିଲେ। ଯେହେତୁ ଘଟଣାଟି ପାରାଦୀପରେ ଘଟିଥିଲା, ସେଥିପାଇଁ ପୁଲିସ ଏହି ଦୁଇ ଜଣଙ୍କୁ ସମ୍ପୃକ୍ତ ଲକ୍ ଥାନାକୁ ହସ୍ତାନ୍ତର କରିଥିଲା। ମାମଲାର ତଦନ୍ତ କରି ପୁଲିସ ସଦାନନ୍ଦଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe