ନୂଆପଡ଼ା: ଅନ୍ଲାଇନ୍ରେ ବିଭିନ୍ନ ଆପ୍ ଜରିଆରେ ଋଣ ନେବା ଏବେ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ବୋଇରଭାଡ଼ି ଗାଁର ବୈକୁଣ୍ଠ ନାଏକ (୩୧)ଙ୍କୁ କେହି ଅପହରଣ କରି ନେଇଛି। ତାଙ୍କୁ ଛାଡ଼ିବାକୁ ଅପହରଣକାରୀ ସାନଭାଇ ପବିତ୍ର ନାଏକଙ୍କୁ ସାଢ଼େ ୩ ଲକ୍ଷ ଟଙ୍କା ମାଗୁଛି। ଏଥିସହ ପରିବାର ଲୋକଙ୍କୁ ଭୟଭୀତ କରିବାକୁ ବୈକୁଣ୍ଠଙ୍କୁ ମାଡ଼ମାରି ଭିଡିଓ ପଠାଇଥିବା ଜଣାଯାଇଛି। ଅଭିଯୋଗ ମୁତାବକ, ଗତ ଦୁଇବର୍ଷ ତଳେ ବୋଇରଭାଡ଼ି ଗାଁର ଜୟରାମ ନାଏକଙ୍କ ସାନପୁଅ ପବିତ୍ର ଅନ୍ଲାଇନରେ ବିଭିନ୍ନ ଆପ୍ ଜରିଆରେ ପ୍ରାୟ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହି ଋଣ ଟଙ୍କା ଶୁଝିବା ପାଇଁ ପରିବାର ଲୋକଙ୍କୁ ଚାପ ପକାଇଥିଲେ। ପରେ ବାପା ଜୟରାମ ଜମିବାଡ଼ି ବନ୍ଧକ ରଖିବା ସହ ଧାରଉଧାର କରି ଟଙ୍କା ଶୁଝିବାକୁ ପବିତ୍ରଙ୍କୁ ଦେଇଥିଲେ। ପବିତ୍ର ମଧ୍ୟ ଟଙ୍କା ଶୁଝି ଦେଇଥିବା ପରିବାର ଲୋକଙ୍କୁ କହିଥିଲେ।
ତେବେ, ଗତ ୨ ତାରିଖରେ ଜୟରାମଙ୍କ ବଡ଼ପଅ ବୈକୁଣ୍ଠ ନାଏକ(୩୧)ଙ୍କୁ କେହି ଅପହରଣ କରି ନେଇଥିଲା। ଏବେ ବୈକୁଣ୍ଠଙ୍କୁ ରାଜ୍ୟ ବାହାରେ ରଖି ଅପହରଣକାରୀ ସାନଭାଇ ପବିତ୍ରଙ୍କୁ ସାଢ଼େ ୩ ଲକ୍ଷ ଋଣ ଟଙ୍କା ମାଗିଥିଲେ। ପ୍ରଥମେ ପରିବାର ଲୋକେ ଅପହରଣକାରୀଙ୍କ କଥାକୁ ବିଶ୍ବାସ ନକରି ଟଙ୍କା ପଠାଇନଥିଲେ। ଏଥିରେ ଅପହରଣକାରୀ ଉତ୍କ୍ଷିପ୍ତ ହୋଇ ବୈକୁଣ୍ଠଙ୍କୁ ନିସ୍ତୁକ ମାଡ଼ ମାରି ପରିବାର ଲୋକଙ୍କୁ ଭିଡିଓ ପଠାଇଥିଲେ। ଏ ନେଇ ଗତ ୬ ତାରିଖରେ ପରିବାର ଲୋକେ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଜୋଙ୍କ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, ଭିଡିଓ ଏଡିଟ୍ ହୋଇଥିବା ପୁଲିସ ଅନୁମାନ କରିଛି। ବୁଧବାର ମଧ୍ୟାହ୍ନରେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନେତୃତ୍ବରେ ପରିବାର ଲୋକେ ଏସ୍ପି ଜିଆର୍ ରାଘବେନ୍ଦ୍ରଙ୍କୁ ଭେଟି ପୁଅକୁ ସୁରକ୍ଷିତ ଭାବେ ତୁରନ୍ତ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି। ଏନେଇ ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଖୁବ୍ଶୀଘ୍ର ଅପହରଣକାରୀଙ୍କୁ ଧରାଯିବ ଓ ବୈକୁଣ୍ଠଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି କହିଛନ୍ତି।
Follow Us