କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣା: ନକଲି ଡିସ୍‌ଚାର୍ଜ ସାର୍ଟିଫିକେଟ୍ ଦେଖାଇ ଉଠାଇ ନେଇଥିଲେ

Advertisment

ଦମ୍ପତି ଗିରଫ: ସୁରକ୍ଷାକର୍ମୀ ବହିଷ୍କୃତ, ୪ ଜଣଙ୍କୁ ନୋଟିସ୍‌

ଦମ୍ପତି ଗିରଫ: ସୁରକ୍ଷାକର୍ମୀ ବହିଷ୍କୃତ, ୪ ଜଣଙ୍କୁ ନୋଟିସ୍‌

ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

Worldorgs.com

କଟକ: କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏସ୍‌ଏନ୍‌ସିୟୁରୁ ପିଲାଚୋରି ଘଟଣାରେ ଗିରଫ ହୋଇଛନ୍ତି ସ୍ବାମୀ-ସ୍ତ୍ରୀ। ନବଜାତ ଶିଶୁକନ୍ୟା ଚୋରି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ନକଲି ଡିସ୍‌ଚାର୍ଜ ସାର୍ଟିଫିକେଟ୍ ଓ ନକଲି ଗେଟ୍ ପାସ୍ ବ୍ୟବହାର କରି ସଦର ଥାନା ପ୍ରତାପନଗରୀ କୈବର୍ତ୍ତ୍ୟ ସାହିର ସ୍ବିଟି ରାଉତ(୨୧) ଓ ବବୁଲ ବେହେରା(୨୬) ଶିଶୁ କନ୍ୟାକୁ ଚୋରି କରିଥିଲେ। ୪ ବର୍ଷ ହେବ ବିବାହ ହୋଇଥିବା ବେଳେ ପିଲାପିଲି ହୋଇନଥିବାରୁ ସ୍ବିଟି ଶିଶୁ ଚୋରି କରିବାପାଇଁ ଗଲା ୪ଦିନ ହେବ ଉଦ୍ୟମ କରିଆସୁଥିଲେ। ଗତ ୨୬ ତାରିଖରେ ସେ ଏଥିରେ ସଫଳ ହୋଇଥିବା ଜଣାପଡ଼ିଛି। ଉଭୟ ସ୍ବିଟି ଓ ବବୁଲ୍‌ଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସର ତଦନ୍ତରୁ ଜଣାପଡ଼ିଛି, ଗଲା ୪ ଦିନ ହେବ ସ୍ବିଟି ବଡ଼ ଡାକ୍ତରଖାନା ଆସି ଆଉଟଡୋର୍ ଟିକେଟ୍ କରୁଥିଲେ। ନିଜ ହାତରେ ଗେଟ୍ ପାସ୍ ଓ ଡିସ୍‌ଚାର୍ଜ ସାର୍ଟିଫିକେଟ୍ କରି ଏସ୍‌ଏନ୍‌ସିୟୁରୁ ଶିଶୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ୨୬ ତାରିଖ ଅପରାହ୍ନରେ ନର୍ସଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶିଶୁ ଚୋରି କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

ସ୍ବିଟି ଓ ତାଙ୍କ ଶାଶୂ ଏସ୍‌ଏନ୍‌ସିୟୁରେ ନକଲି ଗେଟ୍ ପାସ୍ ଦେଖାଇ ଭିତରକୁ ପ୍ରବେଶ କରିଥିଲେ। କଟକ ବଡ଼ ଡାକ୍ତରଖାନାର ନକଲି ଡିସ୍‌ଚାର୍ଜ ସାର୍ଟିଫିକେଟ୍ ସୁରକ୍ଷାକର୍ମୀଙ୍କୁ ଦେଖାଇ ଶିଶୁଟିକୁ ବେଡ୍‌ରୁ ବାହାରକୁ ଆଣିଥିଲେ। ଏହାପରେ ପୂର୍ବରୁ ବାହାରେ ଅପେକ୍ଷା କରିଥିବା ସ୍ବାମୀ ବବ୍‌ଲୁ ସହିତ ସ୍ବିଟି ଓ ଶାଶୂ ଫେରାର ହୋଇଯାଇଥିଲେ। ଏହି ଦମ୍ପତିଙ୍କୁ ପୁଲିସ ଗିରଫ କରିବାପରେ ସେମାନଙ୍କ ନିକଟରୁ ବଡ଼ ଡାକ୍ତରଖାନାରର ୩ଟି ନକଲି ଡିସଚାର୍ଜ ସାର୍ଟିଫିକେଟ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ଟିକେଟ୍, ଚାଉଳିଆଗଞ୍ଜର ଏକ ନର୍ସିଂହୋମର ଡାକ୍ତରଙ୍କ ପ୍ରେସକ୍ରିପସନ୍ ଇତ୍ୟାଦି ପୁଲିସ ଜବତ କରିଛି। ଏହି ଘଟଣାରେ ଏସ୍‌ସିବି କର୍ତ୍ତୃପକ୍ଷ ଏସ୍‌ଏନ୍‌ସିୟୁ ଦାୟିତ୍ବରେ ଥିବା ୪ଜଣ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ସୂଚନା ଦେଇଛନ୍ତି। ନର୍ସିଂ ସୁପରିନ୍‌ଟେଣ୍ଡେ‌ଣ୍ଟ୍ ରୁକ୍ମିଣୀ ବେହେରା ଓ ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତିଙ୍କ ରିପୋର୍ଟ ଆଧାରରେ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଭାଇ ପେସାଦାର ଠକ; ଭଉଣୀ ଛୁଆଚୋରିରେ ସଂପୃକ୍ତ!

କଟକ: କଟକ ବଡ଼ ଡାକ୍ତରଖାନା ଏସ୍‌ଏନ୍‌ସିୟୁରୁ ଛୁଆଚୋରି କରିଥିବା ସ୍ବିଟି ରାଉତଙ୍କ ବଡ଼ଭାଇ ଜଣେ ପେସାଦାର ଠକ। ବିହାର ପାଟଣାରେ ଥିବା ଏମ୍‌ସ ସର୍ଜରି ବିଭାଗର ଡାକ୍ତର ପରିଚୟ ଦେଇ କଟକ ଓ ଭୁବନେଶ୍ବରର ବିଭିନ୍ନ ବ୍ୟାଙ୍କରୁ ତା’ନାମରେ ୪୩ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ରହିଛି। ବଡ଼ଭାଇ ଏହିଭଳି କାରନାମା ଦେଖାଇ ଥିବାବେଳେ ଏବେ ସାନ ଭଉଣୀ ସ୍ବିଟି ନକଲି ଡିସ୍‌ଚାର୍ଜ ସାର୍ଟିଫିକେଟ୍ ଓ ଗେଟ୍ ପାସ୍ ସାର୍ଟିଫିକେଟ୍ ପ୍ରସ୍ତୁତ କରି ପିଲାଚୋରି କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁଯାୟୀ, ସଦର ଥାନା ଗୋପାଳପୁର ପାଇକସାହିର ଶ୍ରୀଧର ରାଉତ ୟୁକ୍ରେନରେ ଡାକ୍ତରୀ ପଢ଼ିବା ପାଇଁ ଯାଇଥିଲା। କିନ୍ତୁ, ସେଠାରେ ଡାକ୍ତରୀ ପାଠ ଅଧାରୁ ଛାଡ଼ି ଓଡ଼ିଶା ଚାଲି ଆସିଥିଲା। ଦାମୀ କାର୍ ଚଢ଼ିବା ଶ୍ରୀଧରର ସଉକ ଥିବାରୁ ବିହାର ପାଟଣାରେ ଥିବା ଏମ୍‌ସରେ ଡାକ୍ତର ଚାକିରି କରୁଥିବା ସଂକ୍ରାନ୍ତରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିଲା। ଏହି କାଗଜପତ୍ର ବଳରେ ୨୦୧୯ ଡିସେମ୍ବର ୧ ତାରିଖରେ ନୟାପଲ୍ଲୀ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଋଣ ଉଠାଇଥିବା ସଂପର୍କରେ ନୟାପଲ୍ଲୀ ଥାନାରେ ମାମାଲା ହୋଇଥିଲା। ପୁଲିସ ତାକୁ ୨୦୨୦ ଜାନୁଆରି ୩ରେ ଗିରଫ କରିଥିଲା। ସେହିଭଳି, ସେ ୨୦୨୧ ଜୁନରେ କଟକ ବଜ୍ରକବାଟୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୧୬ ଲକ୍ଷ ୫୦ ହଜାର ଟଙ୍କାର ଏକ କାର୍ ଋଣ ନେଇଥିଲା। ୟୁନିଅନ୍ ବ୍ୟାଙ୍କରୁ ଋଣ ନେବାର ଏକ ସପ୍ତାହ ପରେ ରାଣୀହାଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ୧୦ ଲକ୍ଷ ଟଙ୍କାର କାର୍ ଋଣ ଆଣିଥିଲା। ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ କଲେଜ ଛକ ଶାଖା, ଚାଉଳିଆଗଞ୍ଜ ଶାଖା, ମଧୁପାଟଣା ଶାଖା, ଚୌଧୁରୀବଜାର ଶାଖା, ଭୁବନେଶ୍ବର ବୁଦ୍ଧେଶ୍ବର କଲୋନି ଶାଖା, ବରମୁଣ୍ଡା ଶାଖାରୁ ୧୦ଲକ୍ଷ ଟଙ୍କା ଲେଖାଏ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିଥିଲା। ବଜ୍ରକବାଟୀ ଶାଖା ପକ୍ଷରୁ ବାଦାମବାଡ଼ି ଥାନାରେ ଅକ୍ଟୋବର ୧୬ ତାରିଖରେ ଏତଲା ପରେ ପୁଲିସ ତାକୁ ଗିରଫ କରିଥିଲା। ଶ୍ରୀଧର ନିଜ ନାଁଠାରୁ ଆରମ୍ଭ କରି ବାପାଙ୍କ ନାଁ, ଘର ଠିକଣା ଜାଲ୍‌ କରିବାର ରେକର୍ଡ ରଖିଛି। ସ୍ବିଟି ଏଭଳି ପୂର୍ବରୁ ଛୁଆଚୋରି କରିଛନ୍ତି କି ନାହିଁ, ସେ ନେଇ ମଙ୍ଗଳାବାଗ ଥାନା ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe