ସାର ବ୍ୟବସାୟୀଙ୍କୁ ଅପହରଣ: ବୁର୍ଲା ଥାନା ଅଞ୍ଚଳରୁ ଉଦ୍ଧାର ଲୁଟି ନେଲେ ୮୦ ହଜାର

Advertisment
ସାର ବ୍ୟବସାୟୀଙ୍କୁ ଅପହରଣ: ବୁର୍ଲା ଥାନା ଅଞ୍ଚଳରୁ ଉଦ୍ଧାର ଲୁଟି ନେଲେ ୮୦ ହଜାର

ସମ୍ବଲପୁର / ବିନିକା: ସୋମବାର ରାତି ୮ଟା ୪୦। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ଜଣେ ସାର ବ୍ୟବସାୟୀଙ୍କୁ ଏହିସମୟରେ ଅପହରଣ କରାଯାଇଥିଲା। ତେବେ, ପୁଲିସର ତତ୍ପରତା ଯୋଗୁ ଉଦ୍ଧାର ସମ୍ପୃକ୍ତ ବ୍ୟବସାୟୀଙ୍କୁ ଉଦ୍ଧାର ସମ୍ଭବ ହୋଇପାରିଛି। ଏହି ବ୍ୟବସାୟୀ ହେଲେ, ଅଶୋକ କୁମାର ଦାନୀ(୫୫)। ପ୍ରାପ୍ତ ସୂଚନା ଅନୁସାରେ, ବିନିକା ଦାନୀପାଲି ନିବାସୀ ଅଶୋକଙ୍କର ଗାଁ ଠାରୁ ୩ କିଲୋମିଟର ଦୂର ବିନିକାରେ ଏକ ସାର ଓ କୀଟନାଶକ ଦୋକାନ ରହିଛି। ସେ ରାତି ସାଢ଼େ ୮ଟାରେ ଦୋକାନ ବନ୍ଦକରି ଜଣେ ସହଯୋଗୀଙ୍କ ସହିତ ବାଇକ୍‌ରେ ଗାଁକୁ ଫେରୁଥିଲେ। ଦାନୀପାଲି ଗାଁ ଛକରେ ବାଇକ୍‌ରୁ ଓହ୍ଲାଇବା କ୍ଷଣି ପୂର୍ବରୁ ଛକି ରହିଥିବା ଦୁବୃର୍ତ୍ତମାନେ ତାଙ୍କୁ ଏକ କାର୍‌ ଭିତରକୁ ଉଠାଇ ନେଇଥିଲେ। ଅଶୋକଙ୍କ ସହିତ ବାଇକ୍‌ରେ ଥିବା ବ୍ୟକ୍ତି ଜଣକ ଏହାର ପ୍ରତିବାଦ କରିବାରୁ ଦୃବୃର୍ତ୍ତମାନେ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲେ।

ଘଟଣା ସଂକ୍ରାନ୍ତରେ ସଂପୃକ୍ତ ବ୍ୟକ୍ତି ଜଣକ ପରିବାର ଲୋକଙ୍କ ସହିତ ବିନିକା ଥାନାକୁ ଅବଗତ କରିଥିଲେ। ବିନିକା ପୁଲିସ ବେଶ୍ ତତ୍ପରତା ଦେଖାଇଥିଲା ଏବଂ ସମ୍ବଲପୁର ଜିଲ୍ଲା ପୁଲିସକୁ ସୂଚନା ଦେଇଥିଲା। ବିନିକାରୁ ସମ୍ବଲପୁର ରାସ୍ତାରେ ପୁଲିସ ଛକି ଗାଡ଼ି ଯାଞ୍ଚ ଅଭିଯାନ ଚଳାଇଥିଲା। ତେବେ, ଦୁବୃର୍ତ୍ତମାନେ ଗୋଡ଼ଭଗାଠାରେ ପୁଲିସକୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ବୁର୍ଲା ପୁଲିସ ଗାଡ଼ି ଯାଞ୍ଚ ଦେଖି ଧରାପଡ଼ିବା ଭୟରେ ସେମାନେ ଅଶୋକଙ୍କୁ ଚଳନ୍ତା ଗାଡ଼ିରୁ ଠେଲିଦେଇ ଫେରାର ମାରିଥିଲେ। ଅଶୋକଙ୍କ ପାଖରେ ଥିବା ପ୍ରାୟ ୮୦/୯୦ ହଜାର ଟଙ୍କା ସେମାନେ ଲୁଟି ନେଇଯାଇଥିଲେ। ଅଶୋକଙ୍କୁ କାର୍‌ ଭିତରେ ସେମାନେ ନିସ୍ତୁକ ମାଡ଼ ମଧ୍ୟ ଦେଇଥିବା ଜଣାପଡ଼ିଛି। ପୁଲିସ ଅଶୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି। ଅପହରଣକାରୀମାନେ ‘କିଆ’ କଂପାନିର ୟୁପି ନମ୍ବର ବିଶିଷ୍ଟ ଏକ କାର୍‌ ବ୍ୟବହାର କରିଥିଲେ। ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅଶୋକଙ୍କଠାରୁ ସେମାନେ ଟଙ୍କା ଦାବି କରୁଥିଲେ। ଟଙ୍କା ପାଇଁ ନା’ ଅନ୍ୟ କିଛି ପାଇଁ ଏହି ଅପହରଣ କରାଯାଇଥିଲା
ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe