ଗାର୍ଗୀ ଶତପଥୀ
ସମ୍ବଲପୁର: କିଡ୍‌ନି ରୋଗପ୍ରବଣ ହେବାରେ ଲାଗିଛି ଓଡ଼ିଶା। ଏହାର କାରଣ ଖୋଜିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଏମ୍‌ସ ଭୁବନେଶ୍ବର, ଏସ୍‌ସିବି, ଭିମସାର, ଆଇସିଏମ୍‌ଆର୍‌, ଆର୍‌ଏମ୍‌ଆର୍‌ସି, କିଡ୍‌ନି ରୋଗ ବିଶେଷଜ୍ଞ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ୱାଟ୍‌କୋକୁ ନେଇ ଗଠିତ ଟିମ୍‌ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ସାରିଛନ୍ତି। କିଛି ମାସରେ ଏହି ଟିମ୍‌ ରୋଗୀଙ୍କ ପଞ୍ଜୀକରଣ ସାଙ୍ଗକୁ ରୋଗର କାରଣ ଚିହ୍ନଟ କରିବ ବୋଲି ସୂଚନା ଦେଇଛନ୍ତି ଏମ୍‌ସ ଭୁବନେଶ୍ବର ନେଫ୍ରୋଲୋଜି ବିଭାଗର ପ୍ରଫେସର ଡା. ସନ୍ଦୀପ ପଣ୍ଡା।

Advertisment

୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଅଣତାରକା ପ୍ରଶ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ସମୁଦାୟ ୭୦ କେନ୍ଦ୍ରର ୫୧୯ ଡାଏଲିସିସ୍‌ ଶଯ୍ୟା ମାଧ୍ୟମରେ ୧୯ ହଜାର ୯୨୭ କିଡ୍‌ନି ରୋଗୀଙ୍କୁ ଡାଏଲିସିସ୍‌, ୮ ଲକ୍ଷ ୮୫ ହଜାର ୨୪୦ ଜଣଙ୍କୁ ସେସନ୍‌ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆର୍‌ଏମ୍‌ଆର୍‌ସି ଭୁବନେଶ୍ବର ପକ୍ଷରୁ କଟକ ଜିଲ୍ଲାର ନରସିଂହପୁର ଏବଂ ଆଇସିଏମ୍‌ଆର୍‌, ଏନ୍‌ଆଇଆଇ ଚେନ୍ନାଇ ପକ୍ଷରୁ ୧୦ ଜିଲ୍ଲାରେ ଦୀର୍ଘସ୍ଥାୟୀ କିଡ୍‌ନି ରୋଗ ସମ୍ବନ୍ଧରେ ଗବେଷଣା କରାଯାଉଛି। ରାଜ୍ୟର ଅନେକ ରୋଗୀ ମୁଖ୍ୟତଃ ରାୟପୁର ସମେତ ରାଜ୍ୟ ବାହାର ଡାକ୍ତରଖାନା ଉପରେ ନିର୍ଭରଶୀଳ। ତେଣୁ ପ୍ରକୃତରେ ରାଜ୍ୟରେ କିଡ୍‌ନି ରୋଗୀଙ୍କ ସଂଖ୍ୟାକୁ ନେଇ ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗରେ ପ୍ରକୃତ ତଥ୍ୟ ନାହିଁ। କଟକ ଜିଲ୍ଲାର ନରସିଂହପୁର, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ, ହୀରାକୁଦ ସେଚାଞ୍ଚଳ, ବରଗଡ଼ ଜିଲ୍ଲାର ଗାଇସିଲାଟ, ବିଜେପୁର, ନୂଆପଡ଼ା ଜିଲ୍ଲାର ଖଡ଼ିଆଳ, ବୋଡ଼େନ, କେନ୍ଦୁଝର ଜିଲ୍ଲାର ଯୋଡ଼ା, ବଡ଼ବିଲ, ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ବିନିକା, ଅନୁଗୁଳ ଜିଲ୍ଲାର ଅନୁଗୁଳ, କଣିହାଁ, ଆଠମଲ୍ଲିକ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ସମେତ ଅନେକ ଜିଲ୍ଲାର ବିଭିନ୍ନ ଗାଁ କିଡ୍‌ନି ରୋଗପ୍ରବଣ ପାଲଟିଛି।

ଆରମ୍ଭ ହେବ ରୋଗୀ ପଞ୍ଜୀକରଣ, ଗବେଷଣା
ଚିନ୍ତା ବଢ଼ାଉଛି ସମ୍ବଲପୁର, ବରଗଡ଼ର ତଥ୍ୟ

ଏହାକୁ ନେଇ ଲଗାତାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେଉଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ଗୁଡ଼ିକ ନିଜ ନିଜ ସ୍ତରରେ ଗବେଷଣା କରିଛନ୍ତି। ଡାକ୍ତର ପଣ୍ଡା କହିଛନ୍ତି, କିଡ୍‌ନି ରୋଗର ପରିସଂଖ୍ୟାନ ସତ୍ୟତା ଜାଣିବାକୁ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଟିମ୍‌ ଯୋଡ଼ା ଓ ବଡ଼ବିଲ ଯାଇ ଅନୁଧ୍ୟାନ କରିଛି। ଏହାସହିତ ବଢ଼ୁଥିବା ମଧୁମେହ, ରକ୍ତଚାପ, ପରିବେଶ, ପାଣି, ଖଣି, ଖଣିଜ ଦ୍ରବ୍ୟ, ସାର ତଥା ଅନ୍ୟ କାରଣ ସଂକ୍ରାନ୍ତରେ ନ ଜାଣିବା ପର୍ଯ୍ୟନ୍ତ ଏହାର ନିରାକରଣ ସମ୍ଭବ ନୁହେଁ। ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। 

History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’

ଭିମସାରର ନେଫ୍ରୋଲୋଜି ବି‌ଶେଷଜ୍ଞ ଡାକ୍ତର ସୌରଭ ସୃଷ୍ଟି କହିଛନ୍ତି, ପଶ୍ଚିମ ଓଡ଼ିଶାର କିଡ୍‌ନି ରୋଗକୁ ନେଇ ପଞ୍ଜୀକରଣ ପ୍ରସ୍ତୁତି ଆରମ୍ଭ ହୋଇଛି। କିଛି ଦିନ ହେଲା, ସମ୍ବଲପୁର ଓ ବରଗଡ଼ରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ସରକାରଙ୍କ ଏହି ଗବେଷଣାରେ ପଶ୍ଚିମ ଓଡ଼ିଶା ମୁଖ୍ୟ କେନ୍ଦ୍ର ହେବା ନେଇ ଆଶା ରହିଛି। ଗବେଷଣାର ଏହି ପ୍ରସ୍ତୁତି ସାକାର ହୋଇପାରିଲେ କିଡ୍‌ନି ରୋଗ କବଳରୁ ଓଡ଼ିଶାକୁ ମୁକ୍ତି ମିଳିପାରିବ।