କିଡ୍‌ନି ରୋଗ ନେଉଛି ଜୀବନ, ଅର୍ଥାଭାବରୁ ଅଖି ବୁଜିଲେ ଆକ୍ରାନ୍ତ ମହିଳା

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ହୋତାପାଲି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କିଡନି ରୋଗରେ ଆକ୍ରାନ୍ତ ଆଦିବାସୀ ମହିଳା ଗାନ୍ଦ ମିଞ୍ଜ (୫୨ବର୍ଷ)ଙ୍କ ମୃତ୍ୟୁ ଘଟିଛି। ମାସେ ପୂର୍ବରୁ ଜ୍ବର ହେବାରୁ ଗାନ୍ଦଙ୍କୁ ସୋନପୁର ଡାକ୍ତଖାନା ନିଆଯାଇଥିଲା। ସେଠାରେ ସେ କିଡନି ରୋଗ‌ରେ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ। ଚିକିତ୍ସା ପାଇଁ ଡାକ୍ତର ବୁର୍ଲା କିମ୍ବା କଟକ ଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ତାଙ୍କୁ ଉଚ୍ଚତର ଚିକିତ୍ସା କରାଯାଇ ପାରି ନଥିଲା। ଘରେ ପଡ଼ିରହି ମୃ୍ତ୍ୟୁବରଣ କଲେ। ପ୍ରାୟ ୧୧ମାସ ପୂର୍ବ ତାଙ୍କ ସ୍ବାମୀ ବୁଧୁ ମିଞ୍ଜଙ୍କ ମଧ୍ୟ କିଡନି ରୋଗରେ ମୃତ୍ୟୁ ହୋଇଥିଲା।

ବୁଧୁ କିଡନି ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ଏକମାତ୍ର ପୁଅ ପ୍ରଭୁ ମିଞ୍ଜ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇ ଚିକିତ୍ସା ପାଇଁ ଟଙ୍କା ପଠାଉ ଥିଲେ। ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ଦଶମ ପାସ୍‌ ପରେ ଆର୍ଥାଭାବରୁ ଆଉ କଲେଜ ଯାଇ ପାରିଲେ ନାହିଁ। ସାନ ଝିଅ ନିକଟସ୍ଥ ଶାଗଯୁରୀ ୟୁଜି ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ ମିଳିଥିଲେ ବି ଚିକିତ୍ସା ପାଇଁ କାମରେ ଲାଗି ପାରି ନଥିଲା। ଡାକ୍ତରଖା‌ନାରୁ ନିରାମୟ ଯୋଜନାରେ ମାଗଣା ଔଷଧ ବି ମିଳି ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ତିନି ଭାଇ ଭଉଣୀ ଏବେ ବହୁ କଷ୍ଟରେ ଚଳୁଛନ୍ତି। ପ୍ରଶାସନ ତୁରନ୍ତ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଉକ୍ତ ଗ୍ରାମର ମେରୀ ଏକ୍କା (୫୦ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମଧ୍ୟ କିଡନି ରୋଗରେ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଏହି ଗ୍ରାମରେ କିଡିନ ରୋଗରେ ଆକ୍ରାନ୍ତ ହୋଇ ପାଞ୍ଚଜଣ ଲୋକ ମୃତ୍ୟୁ ବରଣ କରିସାରିଲେଣି। ଏବେ ଆହୁରି ଚାରିଜଣ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଗାଁରେ ଥିବା ନଳକୂଅର ପାଣି ଯୋଗୁଁ ଏପରି ଘଟୁଥିବା ଅନୁମାନ କରାଯାଉଛି। ତେଣୁ ତୁରନ୍ତ ପ୍ରଶାସନ ଏହାର କାରଣ ଖୋଜିବା ସହ ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ‌ହେଉଛି। ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ପୂର୍ବ ସମିତି ସଭ୍ୟ ପୀତାମ୍ବର ସାହୁ ଚେତାବନୀ ଦେଇଛନ୍ତି। ଏ ବିଷୟରେ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ରବୀନ୍ଦ୍ରନାଥ ପଣ୍ଡାଙ୍କ କହିବା ହେଲା, ଉକ୍ତ ଗ୍ରାମକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଯିବ। ସେହି ଦଳର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe