ସୁନ୍ଦରଗଡ଼: ପରକୀୟା ପ୍ରୀତି ନେଇଛି ୫ ମୁଣ୍ଡ। ସୁନ୍ଦରଗଡ଼ ସହର ନିକଟ କରମଡ଼ିହି ପଞ୍ଚାୟତ ସମ୍ମୁଖ ପଡ଼ିଆରେ ମଙ୍ଗଳବାର ରାତି ୧୧ଟାରେ ଏକ ଯାଯାବର ଆଶ୍ରୟସ୍ଥଳୀ ରକ୍ତରେ ଭିଜିଛି। ଦୁଇ ପରିବାରର ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି। ସପ୍ତାହେ ତଳେ ପେଟ ପୋଷିବାକୁ ପରିବାର ସହିତ ମହାରାଷ୍ଟ୍ରରୁ ଆସି ସୁନ୍ଦରଗଡ଼ କରମଡ଼ିହିରେ ତମ୍ବୁ ଟାଙ୍ଗି ରହୁଥିଲେ ଏକ ଯାଯାବର ଗୋଷ୍ଠୀର ପ୍ରାୟ ୨୦ ସଦସ୍ୟ। ଛୋଟମୋଟ ଫେରି ବେପାର କରି ଚଳୁଥିଲେ। କର୍ଣ୍ଣାଟକ ଅଞ୍ଚଳର ଅନ୍ୟ ଏକ ଯାଯାବର ଗୋଷ୍ଠୀ ରାତି ଅନ୍ଧାରରେ ସେମାନଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିବା କୁହାଯାଉଛି। ହତ୍ୟା ପରେ ମୃତାହତଙ୍କ ପରିବାରର ଜଣେ ମହିଳା ଓ ୪ ଜଣ ଶିଶୁଙ୍କୁ ସେମାନେ ଅପହରଣ କରି ଫେରାର ହୋଇ ଯାଇଛନ୍ତି। ସମସ୍ତ ଆହତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇବା କ୍ଷଣି ରାତିରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ଭୂଷଣ ବେହେରାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳରେ ଆଜି ଦିନତମାମ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା।
ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ଏହି ଘଟଣାରେ ଦୁର୍ବୃତ୍ତମାନେ ଯାଯାବର ପରିବାରର ଅବିନାଶ ପାୱାରଙ୍କୁ ଟାର୍ଗେଟ୍ କରି ଅନ୍ୟ ୫ ଜଣଙ୍କୁ ହତ୍ୟା କରିଥିଲେ। ମୃତକମାନେ ହେଲେ ଛମା ଭୋସଲେ (୨୫), ଅବିନାଶଙ୍କ ଭାଇ ସୁବାସ ପାୱାର (୨୩), ତାଙ୍କ ମା’ କୁଣ୍ଡି ପାୱାର, ଚରଣ କୁମାର (୪୫) ଓ ତାଙ୍କ ପତ୍ନୀ କାଇଲା କୁମାର (୩୫)। ତେବେ ଅବିନାଶ ଆକ୍ରମଣର ଶିକାର ହୋଇଥିଲେ ବି ଅନ୍ଧାରରେ ଲୁଚିଯିବାରୁ ବଞ୍ଚି ଯାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଅବିନାଶ ପାୱାର (୩୦), ତାଙ୍କ ଝିଅ ମଞ୍ଜୁ ପାୱାର (୧୦), ଚରଣ କୁମାରଙ୍କ ପୁଅ ପୀୟୁଷ କୁମାର (୧୩) ଓ ଝିଅ ଅନିଶା କୁମାରୀ (୧୨)। ଏମାନେ ସମସ୍ତେ ଦୁଇଟି ପରିବାରର।
୩ ନିଷ୍ପାପ ଶିଶୁଙ୍କ ସମେତ ୪ ଗୁରୁତର
ମହିଳା ଓ ୪ ଶିଶୁଙ୍କୁ ସାଙ୍ଗରେ ନେଇଗଲେ ହତ୍ୟାକାରୀ
ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ୱାର୍ଦ୍ଧା ଓ କର୍ଣ୍ଣାଟକର ଦୁଇ ଭିନ୍ନଭିନ୍ନ ଯାଯାବର ଗୋଷ୍ଠୀ ଅନୁଗୁଳ ଅଞ୍ଚଳରେ ରହୁଥିଲେ। ମହାରାଷ୍ଟ୍ର ଯାଯାବର ଗୋଷ୍ଠୀର ଅବିନାଶ ପାୱାର ନାମକ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ’ ତାଙ୍କୁ ଓ ଏକମାତ୍ର ପୁଅକୁ ଛାଡ଼ି ଅନ୍ୟ କାହା ସହ ପଳାଇ ଯାଇଥିଲେ। ଏହାପରେ ଅବିନାଶ କର୍ଣ୍ଣାଟକ ଯାଯାବର ଗୋଷ୍ଠୀର ଜଣେ ବିବାହିତା ମହିଳାଙ୍କୁ ଦ୍ବିତୀୟ ସ୍ତ୍ରୀ କରିବାକୁ ସାଥୀରେ ନେଇ ଆସିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅବିନାଶଙ୍କ ପୂର୍ବ ସ୍ତ୍ରୀ’ ଆଡ଼ୁ ଗୋଟିଏ ପୁଅ ଓ ଦ୍ବିତୀୟ ସ୍ତ୍ରୀ ଆଡ଼ୁ ଦୁଇଟି ସନ୍ତାନ ରହିଛନ୍ତି। ବିବାଦ ପରେ ମହାରାଷ୍ଟ୍ର ଗୋଷ୍ଠୀ ଅନୁଗୁଳ ଛାଡ଼ି ଗତ ସପ୍ତାହେ ହେଲା ଆସି କରମଡ଼ିହି ନିକଟରେ ୪ଟି ତମ୍ବୁ ଟାଣି ରହୁଥିଲେ। ସେହି ଗୋଷ୍ଠୀରେ ଦୁଇଟି ଯାଯାବର ପରିବାରର ୨୦ ଜଣ ସଦସ୍ୟ ଥିଲେ। ଯାହାଙ୍କ ମଧ୍ୟରେ ଅବିନାଶ, ତାଙ୍କ ଦ୍ବିତୀୟ ସ୍ତ୍ରୀ ମଧ୍ୟ ସାମିଲ ଥିଲେ। ତେବେ କର୍ଣ୍ଣାଟକ ଯାଯାବର ଗୋଷ୍ଠୀ ଅବିନାଶଙ୍କୁ ହତ୍ୟା କରିବାକୁ ଯୋଜନା କରି ଖୋଜିଖୋଜି ମଙ୍ଗଳବାର ଅପରାହ୍ନରେ କରମଡ଼ିହି ପହଞ୍ଚିଥିଲେ।
ଅବିନାଶ ଗୋଷ୍ଠୀର ଜଣେ ଯୁବକ ସେମାନଙ୍କୁ ଦେଖିଥିଲେ। ହତ୍ୟାକାରୀମାନେ ରାତି ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମଙ୍ଗଳବାର ରାତିରେ ମହାରାଷ୍ଟ୍ର ଯାଯାବର ଗୋଷ୍ଠୀ ଶୋଇଥିବା ବେଳେ ପ୍ରାୟ ୧୧ଟା ବେଳେ ଅନ୍ୟ ଗୋଷ୍ଠୀର ୬ ଜଣ ବ୍ୟକ୍ତି ଖଣ୍ଡା ଓ ଭୁଜାଲି ଧରି ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ଅବିନାଶଙ୍କ ହାତରେ ଖଣ୍ଡା ଚୋଟ ପଡ଼ିଥିଲା। ସେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଲୁଚି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ରକ୍ତର ହୋଲି ଖେଳିଥିଲେ। ସେମାନଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ୩ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତିନି ଶିଶୁଙ୍କ ସହିତ ଅବିନାଶ ଗୁରୁତର ଆହତ ହୋଇଥିଲେ। ନରକୀୟ କାଣ୍ଡ ଘଟାଇବା ପରେ ଆକ୍ରମଣକାରୀମାନେ ଅବିନାଶଙ୍କ ଦ୍ବିତୀୟ ସ୍ତ୍ରୀ’ ଓ ଦୁଇ ପରିବାରର ୪ ଶିଶୁଙ୍କୁ ବଳପୂର୍ବକ ସାଥୀରେ ନେଇ ଫେରାର ହୋଇ ଯାଇଛନ୍ତି।
୪ ବର୍ଷ ତଳେ ପାଟଣାଗଡ଼ରେ ବି ଘଟିଥିଲା ନରସଂହାର ଫେରିବାଲା ପରିବାରର ୬ ଜଣଙ୍କୁ ମାରିଥିଲେ ରାଉରକେଲା, ୩୦/୧୦ (ଇମିସ): ୨୦୨୦ ମସିହା ନଭେମ୍ବର ୪ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମଧ୍ୟ ଅନୁରୂପ ଏକ ଛାତିଥରା ଗଣହତ୍ୟା ଘଟିଥିଲା। ସେଠାରେ ଭିନ୍ନ ରାଜ୍ୟରୁ ଆସି ବସତି ସ୍ଥାପନ କରିଥିବା ଫେରିବାଲାଙ୍କ ମଧ୍ୟରେ ପୂର୍ବ ଶତ୍ରୁତାରୁ ୬ଟି ଜୀବନ ଯାଇଥିଲା। ଗୋଟିଏ ଗୋଷ୍ଠୀର ପ୍ରାୟ ୯ ଜଣ ଲୋକ ବୁଲୁ ଜାନୀ ଓ ତାଙ୍କ ପରିବାର ଉପରେ ଘାତକ ଆକ୍ରମଣ କରିଥିଲେ। ଛୋଟ ଶିଶୁ, ମହିଳା କାହାକୁ ଛାଡ଼ି ନଥିଲେ। ଆକ୍ରମଣକାରୀଙ୍କ ଗୁଳିରେ ଟଳି ପଡ଼ିଥିଲେ ବୁଲୁ ଜାନୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟ। ଛୋଟପିଲାଙ୍କୁ ଜୀବିତ ଛାଡ଼ିଲେ ବଡ଼ ହୋଇ ସେମାନେ କାଳେ ପ୍ରତିଶୋଧ ନେବେ, ସେହି ଆଶଙ୍କାରେ ଆକ୍ରମଣକାରୀମାନେ ଶିଶୁଙ୍କୁ ବି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଥିଲା, କିନ୍ତୁ ମୁଖ୍ୟ ଅଭିଯୁକ୍ତ ଗଙ୍ଗୱା ଓ ତା’ପୁଅ ଦେବରାଜ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛନ୍ତି।
Follow Us