ଟଙ୍କା ପାଇଁ ଜୀବିତଙ୍କୁ ମାରିଦେଲେ: ମିଳିଲା ୧୦୧ ନକଲି ମୃତ୍ୟୁ ପ୍ରମାଣପତ୍ର

ସରକାରଙ୍କୁ ଚୂନ ଲଗାଇବାକୁ ଜାଲିଆତି। ଅର୍ଥ ହଡ଼ପ ପାଇଁ ଜୀବିତଙ୍କୁ ମାରିଦେଲେ। ନବରଙ୍ଗପୁର ଜିଲ୍ଲାର ତିନିଟି ବ୍ଲକରୁ ୧୦୧ଟି ନକଲି ମୃତ୍ୟୁ ପ୍ରମାଣପତ୍ର ଶ୍ରମ ବିଭାଗ ହାତରେ ଲାଗିଛି।

xcv

ନବରଙ୍ଗପୁର: ସରକାରଙ୍କୁ ଚୂନ ଲଗାଇବାକୁ ଜାଲିଆତି। ଅର୍ଥ ହଡ଼ପ ପାଇଁ ଜୀବିତଙ୍କୁ ମାରିଦେଲେ। ନବରଙ୍ଗପୁର ଜିଲ୍ଲାର ତିନିଟି ବ୍ଲକରୁ ୧୦୧ଟି ନକଲି ମୃତ୍ୟୁ ପ୍ରମାଣପତ୍ର ଶ୍ରମ ବିଭାଗ ହାତରେ ଲାଗିଛି। ଦଲାଲଙ୍କ ଏହି କଳା କାରନାମାର ପ୍ରମାଣ ମିଳିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।  ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହେଲେ ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପରିବାରକୁ ଦିଆଯାଉଛି। ଏହି ଟଙ୍କା ହଡ଼ପ ନିମନ୍ତେ ଜିଲ୍ଲାର କିଛି ଦଲାଲ ସକ୍ରିୟ ହୋଇଛନ୍ତି। ହିତାଧିକାରୀଙ୍କ ଠାରୁ ଆଧାରକାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ସହ ଅନ୍ୟ ପ୍ରମାଣପତ୍ର ସଂଗ୍ରହ କରୁଛନ୍ତି। ଏହାପରେ ଅନ୍‌ଲାଇନ୍‌ରେ ସହାୟତା ରାଶି ନିମନ୍ତେ ଆବେଦନ କରୁଛନ୍ତି। ତେ‌ବେ ଯେଉଁ କାଗଜପତ୍ର ଦାଖଲ କରୁଛନ୍ତି ସେଥିରେ ନକଲି ମୃତ୍ୟୁ ପ୍ରମାଣପତ୍ର ରହୁଛି। ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଗଲେ ହଡ଼ପ କରୁଛନ୍ତି ଦଲାଲ। ଶ୍ରମ ବିଭାଗର ସନ୍ଦେହ ହେବାରୁ ଗତ ଦୁଇ ବର୍ଷରେ ହୋଇଥିବା ଆବେଦନ ଗୁଡ଼ିକର ଯାଞ୍ଚ କରାଯାଇଥିଲା। ନବରଙ୍ଗପୁର ବ୍ଲକରେ ୪୨ଟି, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକରେ ୫୯ଟି ନକଲି ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ଆବେଦନ ହୋଇଥିବା ଜଣାପଡ଼ିଛି।

ନବରଙ୍ଗପୁର ବ୍ଲକ ସ୍ବାସ୍ଥ୍ୟ ବିଭାଗ ନିକଟକୁ ୪୨ଟି ମୃତ୍ୟୁ ପ୍ରମାଣପତ୍ରର ତଦନ୍ତ ପାଇଁ ଚିଠି କରିଥିଲା ଶ୍ରମ ବିଭାଗ। ସାନମସିଗାଁ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ସମସ୍ତ ମୃତ୍ୟୁ ପ୍ରମାଣପତ୍ର ନକଲି ବୋଲି ଜଣାଇଛି। ନବରଙ୍ଗପୁର ବ୍ଲକ ପାତ୍ରମୁଣ୍ଡା ଗାଁର ସନାଇ ଜାନୀଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କ ନାଁରେ ଜାରି ହୋଇଥିବା ମୃତ୍ୟୁ ପ୍ରମାଣପତ୍ରକୁ ଦଲାଲ କୌଣସି ପ୍ରକାର ସଂଗ୍ରହ କରିଛି। ସେଥିରେ ରହିଥିବା ପ୍ରକୃତ ହିତାଧିକାରୀଙ୍କ ନାଁକୁ ଲିଭାଇ ସିନ୍ଧିଗାଁର କାର୍ତ୍ତିକ ଗୌଡ଼ଙ୍କ ନାଁ ଲେଖି ସହାୟତା ରାଶି ନିମନ୍ତେ ଆବେଦନ କରାଯାଇଛି। ତେବେ କାର୍ତ୍ତିକ ଗୌଡ଼ ବଞ୍ଚିଛନ୍ତି। ସେହିପରି କରଲୁଗୁଡ଼ା ଗ୍ରାମର ରୂପଧର ଅମାନତ୍ୟଙ୍କ ମୃତ୍ୟୁ ପ୍ରମାଣପତ୍ରକୁ ଦଲାଲ ଜାଲିଆତି କରି ମନ୍ତ୍ରୀଗୁଡ଼ା ଗାଁର କୁମାରୀ ଭତ୍ରାଙ୍କ ନାଁ ଲେଖିଛି। ତେବେ କୁମାରୀ ଗୌଡ଼ ଜୀବିତ ଅଛନ୍ତି। ବକ୍ସାଗୁଡ଼ା ଗାଁର ପୂର୍ଣ୍ଣ ଗୌଡ଼ଙ୍କ ୨୦୨୨ ଏପ୍ରିଲ୍‌ ୬ ତାରିଖରେ ମୃତ୍ୟୁ ହୋଇଥିଲା ବେଳେ ସହାୟତା ରାଶି ପାଇଁ ଯେଉଁ ମୃତ୍ୟୁ ପ୍ରମାଣପତ୍ର ଦଲାଲ ଦାଖଲ କରିଛି ସେଥିରେ ୨୦୨୪ ନଭେମ୍ବର ୨ ତାରିଖରେ ମୃତ୍ୟୁ ହୋଇଥିବା ଉଲ୍ଲେଖ ହୋଇଛି। ଗୋଟିଏ ପଞ୍ଜୀକରଣ ନମ୍ବର ଥାଇ ତିନିଟି ଅଲଗା ଅଲଗା ମୃତ୍ୟୁ ପ୍ରମାଣପତ୍ର ଶ୍ରମ ବିଭାଗ ନିକଟରେ ଦାଖଲ କରାଯାଇଛି। ସେହିପରି ପାପଡ଼ାହାଣ୍ଡି ବ୍ଲକ୍‌ ଶିରିସି ପଞ୍ଚାୟତ ହିଲ୍ଲାଗୁଡ଼ା ଗାଁ ୨ଜଣ ଶ୍ରମିକ ସାନୁ ଭତରା ଓ ରଘୁନାଥ ଗୌଡ଼ ଜୀବିତ ଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ଜଣେ ଦଲାଲ ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଆବେଦନ କରିଥିବା ଧରାପଡ଼ିଥିଲା। ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କୁ ‌ଯୋଗାଯୋଗ କରିବାରୁ ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଆବେଦନ କଲେ କ୍ଷେତ୍ର ପରିଦର୍ଶନ, ଡାକ୍ତରଖାନା ରିପୋର୍ଟକୁ ଯାଞ୍ଚ କରାଯାଉଛି। ସବୁ ଠିକ୍‌ ଥିଲେ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe