DNA India
ବିନିକା: ତୁଳସୀ ଗଛ ଉପାଡ଼ି ଦେବାରୁ ଜଣେ ମାନସିକ ଅନଗ୍ରସର ଯୁବକଙ୍କୁ ଇଟା, ପଥରରେ ଛେଚି ମାରିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏସି ଅଧୀନ ଗୁଲାପଡ଼ା ଗାଁରେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି।
ଗୁଲାପଡ଼ାର ପ୍ରକାଶ ସେବକ (୪୨) ଜଣେ ମାନସିକ ଅନଗ୍ରସର ଯୁବକ। ସେ କୌଣସି ସ୍ଥାନରେ ଫୁଲମାଳ, ତୁଳସୀ ଗଛ ଦେଖିଲେ ତାଙ୍କୁ ପିଙ୍ଗି ଦେଉଥିଲେ। ସେ ସମ୍ପର୍କୀୟ ପଣ୍ଡୁ ବେହେରା (୩୫)ଙ୍କ ତୁଳସୀ ଗଛକୁ କୁଆଡ଼େ ଉପାଡ଼ି ଦେଇଥିଲେ। ଏହାକୁ ନେଇ ପଣ୍ଡୁ ରବିବାର ସକାଳ ପ୍ରାୟ ୭ଟାରେ ପ୍ରକାଶଙ୍କ ଘରକୁ ଆସି ତାଙ୍କ ମା’ ସନ୍ଧ୍ୟାରାଣୀଙ୍କୁ ଉପସ୍ଥିତିରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇ ଚାଲି ଯାଇଥିଲେ। ପୁଣି ସନ୍ଧ୍ୟାରେ ଆସି ପ୍ରକାଶକୁ ଖୋଜାଖୋଜି କରିଥିଲେ। ପ୍ରକାଶ ନଦୀକୁ ଗାଧୋଇବାକୁ ଯାଉଥିବା ଜାଣି ପଣ୍ଡୁ ବି ଯାଇଥିଲେ। ସେଠାରେ ପଣ୍ଡୁ ଇଟା ଓ ପଥରରେ ପ୍ରକାଶଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପ୍ରକାଶଙ୍କୁ ନିଜ ସ୍କୁଟିରେ ଲଦି ତାଙ୍କ ଘର ସମ୍ମୁଖକୁ ଆଣି କଚାଡ଼ି ଦେଇଥିଲେ।
ପରିବାର ଲୋକ ତୁରନ୍ତ ପ୍ରକାଶଙ୍କୁ ବିନିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ପଣ୍ଡୁ ବି ପ୍ରକାଶଙ୍କ ପରିବାର ସହ ବୁର୍ଲାକୁ ଯାଇଥିଲେ। ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ବିନିକା ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ମା’ ସନ୍ଧ୍ୟାରାଣୀଙ୍କୁ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପଣ୍ଡୁଙ୍କୁ ଅଟକ ରଖାଯାଇଥିବା ବିନିକା ଥାନା ଏସ୍ଆଇ ରବିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଏସ୍ଓ ରୁଚିକା ପ୍ରିୟଦର୍ଶନୀ ଓ ତାଙ୍କ ସହଯୋଗୀମାନେ ଘଟଣାସ୍ଥଲରେ ପହଞ୍ଚି ମାଡ଼ରେ ବ୍ୟବହାର ହୋଇଥିବା ଇଟା, ପଥର ଆଦି ଜବତ କରି ବିନିକା ପୁଲିସକୁ ହସ୍ତାନ୍ତର କରିଥିବା ଆଇଆଇସି ପବିତ୍ର ସାହୁ ପ୍ରକାଶ କରିଛନ୍ତି।
Follow Us