Prameyanews.com
ବାଲେଶ୍ବର: ବାଲେଶ୍ବର ସହରରେ ସହଦେବଖୁଣ୍ଟା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ନାବାଳକ ପୁଅକୁ ତାର ସାବତ ମା’ ଓ ବାପା ତଣ୍ଟିଚିପି ହତ୍ୟା କରିବା ପରେ ନଈରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ସମ୍ପର୍କରେ ଖବର ପରେ ଉଭୟଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ନୁଣିଆଜୋରି ପୋଲ ତଳୁ ସମ୍ପୃକ୍ତ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ, ଖନ୍ତାପଡ଼ା ଥାନା ଗାଞ୍ଜିଆ ଗ୍ରାମର ସନାତନ ଜେନା ଓ ତାଙ୍କ ପତ୍ନୀ ଶାନ୍ତିଲତା ଜେନା ବାଲେଶ୍ବର ସହର ଚାନ୍ଦମାରି ପଡ଼ିଆରେ କିଛିବର୍ଷ ହେଲା ପରିବାର ସହ ରହିଆସୁଛନ୍ତି। ସେହି ନିକଟରେ ଥିବା ଆଉ ଏକ ଭଡ଼ାଘରେ ତାଙ୍କ ପୁଅ ଗଣେଶ ଜେନା ଓ ବୋହୂ ପୂଜା ସହ ଗଣେଶଙ୍କ ପ୍ରଥମ ପତ୍ନୀର ଏକ ୧୪ ବର୍ଷର ଦିବ୍ୟାଙ୍ଗ ପୁଅ ବୁଲୁ ଓରଫ ଓମ୍ପ୍ରକାଶ ଏବଂ ପୂଜାର ବାପାମା ରହୁଥିଲେ। ବୁଲୁ ଦିବ୍ୟାଙ୍ଗ ହୋଇଥିବାରୁ ବୋହୂ ପୂଜା ଏବଂ ତାର ବାପାମା ତାକୁ ସବୁବେଳେ ଘୃଣା ଚକ୍ଷୁରେ ଦେଖିବା ସହ ନିର୍ଯାତନା ଦେଇଆସୁଥିଲେ। ଆଜି ସକାଳ ସାଢ଼େ ୯ଟା ସମୟରେ ସନାତନ ଏବଂ ଶାନ୍ତିଲତା ଯେତେବେଳେ ନାତି ବୁଲୁକୁ ଖୋଜିଥିଲେ ପାଇନଥିଲେ। ଏ ସମ୍ପର୍କରେ ବୋହୂ ପୂଜା ଓ ଗଣେଶକୁ ପଚାରିବାରୁ ସେମାନେ କହିପାରିବେନି ବୋଲି କହିଥିଲେ।
ଦ୍ବି-ପ୍ରହର ପର୍ଯ୍ୟନ୍ତ ବୁଲୁର ପତ୍ତା ନମିଳିବାରୁ ଏ ସମ୍ପର୍କରେ ଶାନ୍ତିଲତା ଓ ତାଙ୍କ ସ୍ବାମୀ ସ୍ଥାନୀୟ ୱାର୍ଡ କାଉନସିଲର ଶଶୀରେଖା ମହାନ୍ତି ଏବଂ ଗ୍ରାମବାସୀଙ୍କୁ ଜଣାଇବା ପରେ ସେମାନଙ୍କ ଆଗରେ ଅଭିଯୁକ୍ତ ପୁଅ ଏବଂ ବୋହୂ ତାଙ୍କ ନାତିକୁ ଜୀବନରରୁ ମାରି ନଈରେ ଫିଙ୍ଗି ଦେଇଥିବା ମାନିଥିଲେ। ଏହାପରେ କାଉନସିଲରଙ୍କ ପରାମର୍ଶ କ୍ରମେ ସେମାନେ ସହଦେବଖୁଣ୍ଟା ଥାନାରେ ଏତଲା ଦେବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅବୋହୂଙ୍କୁ ଧରି ଥାନାକୁ ନେବା ସହ ନୁଣିଆଯୋରି ପୋଲତଳ ବୋରବର୍ତ୍ତି ପାଣି ଭିତରୁ ବୁଲୁର ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ଦେଇଛନ୍ତି।
Follow Us