Image Courtesy of NDTV
ଜଳେଶ୍ୱର: ଜଳେଶ୍ୱର ଥାନା ମହମ୍ମଦନଗର ପାଟଣା ପଞ୍ଚାୟତ କୁବାଡ଼ିଆ ଗ୍ରାମରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ବାଉଁଶଫାଳିଆରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି। କୁବାଡ଼ିଆ ଗ୍ରାମର ଲାଖାଇ କିସ୍କୁ ଓରଫ୍ କନ୍ଦା (୩୦) ସେହି ଗାଁ’ର ଧାନାୟ ହାଁସଦାଙ୍କ ଝିଅ ଦୁର୍ଗୀକୁ ବିବାହ କରିଥିଲେ। ସେମାନଙ୍କର ୭ ବର୍ଷର ଗୋଟିଏ ଝିଅ ଓ ୪ ମାସର ଜଣେ ପୁଅ ଅଛନ୍ତି। ବିବାହର କିଛି ଦିନ ଯାଏ ସେମାନଙ୍କ ସଂସାର ଭଲରେ ଚାଲିଥିଲା। ପରେ କନ୍ଦା ପତ୍ନୀ ଦୁର୍ଗୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ କରିଥିଲେ।
ଏପରିକି ଦୁର୍ଗାପୂଜା ସମୟରେ କନ୍ଦା ପତ୍ନୀ ଦୁର୍ଗୀଙ୍କୁ ମାଡ଼ ମାରି ଘରୁ ତଡ଼ିଦେଇଥିଲା। ସେବେଠାରୁ ଦୁର୍ଗୀ ତାଙ୍କ ଦୁଇ ଝିଅଙ୍କ ସହ ବାପଘରେ ରହୁଥିଲେ। ତା’ ପରେ ବି ଦୁର୍ଗୀଙ୍କୁ ଜୀବନରୁ ମାରିଦେବେ ବୋଲି କନ୍ଦା ବିଭିନ୍ନ ସମୟରେ ଧମକଚମକ ଦେଉଥିଲା। ଗତକାଲି ସନ୍ଧ୍ୟାରେ ଦୁର୍ଗୀ ବାପଘରକୁ ଚାଲିଚାଲି ଯାଉଥିବା ବେଳେ କନ୍ଦା ଅତର୍କିତ ଆକ୍ରମଣ କରିଥିଲା। ଏକ ବାଉଁଶ ଫାଳିଆରେ ନିସ୍ତୁକ ମାଡ଼ ମାରିବା ସହ ଛାତିରେ ଗୋଇଠା, ବିଧା ମାରିଚାଲିଥିଲା। ବାପଘର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁର୍ଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ହେଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଝିଅକୁ ଜ୍ବାଇଁ ହତ୍ୟା କରିଥିବା ନେଇ ମାଆ ସାଲଗେ ହାଁସଦା ଗାଁ’ର ୱାର୍ଡସଭ୍ୟ ଅକ୍ଷୟ ସେନାପତିଙ୍କୁ ଜଣାଇଥିଲେ। ଖବର ପାଇ ଜଳେଶ୍ୱର ଥାନା ଆଇଆଇସି ରୋଜାଲିନ ବେହେରା ଶବ ଜବତ କରିବା ସହ କନ୍ଦାକୁ ଗିରଫ କରିଛନ୍ତି। ଏ ନେଇ ଜଳେଶ୍ୱର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।
Follow Us