ଶେଷରେ ଚନ୍ଦକା ଆସିଲା ନରହନ୍ତା ଦନ୍ତା : ତାଲିମ୍ ଦେବେ ଆସାମର ମାହୁନ୍ତ

Advertisment

ଶଙ୍କର ପା‌ଇଁ ସୃଷ୍ଟି ହୋଇପାରେ ସମସ୍ୟା

ଶଙ୍କର ପା‌ଇଁ ସୃଷ୍ଟି ହୋଇପାରେ ସମସ୍ୟା

ଶେଷରେ ଚନ୍ଦକା ଆସିଲା ନରହନ୍ତା ଦନ୍ତା : ତାଲିମ୍ ଦେବେ ଆସାମର ମାହୁନ୍ତ

ଖଣ୍ଡଗିରି/ବାରଙ୍ଗ : ଯାଜପୁର ଜିଲ୍ଲ‌ାରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଶେଷରେ ଚନ୍ଦକା ହସ୍ତୀ ଅଭୟାରଣ୍ୟକୁ ଅଣାଯାଇଛି। ଚନ୍ଦକା ରେଞ୍ଜ ଅଧୀନ କୁମାରଖୁଣ୍ଟି ଜଳଭଣ୍ଡାର ନିକଟରେ ତାକୁ ରଖାଯାଇଛି। କୁସୁନୁପୁର ଓ ଚଣ୍ଡିଖୋଲ ମହାବିନାୟକ ଜଙ୍ଗଲରେ ରଖିବାକୁ ବନ ବିଭାଗ ଯୋଜନା କରିଥିଲେ ବି ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ରାତାରାତି ତାକୁ ଚନ୍ଦକା ଅଣାଯାଇଛି। ଏବେ ତାକୁ ଆସାମର ମାହୁନ୍ତମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଛି। ତେବେ ପୂର୍ବରୁ କୁମାରଖୁଣ୍ଟିରେ ନିର୍ବାସନରେ ରହୁଥିବା ଦୁର୍ଦ୍ଦାନ୍ତ ଦନ୍ତା ଶଙ୍କରକୁ ନେଇ କିଛିଟା ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦୁଇ ନରହନ୍ତା ଏକାଠି ହେଲେ ହୁଏତ କିଛି ଅଘଟଣ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏକାକୀ ରହୁଥିବା ଶଙ୍କର ଯେତିକି ସମୟ ଖୋଲାରେ ବୁଲି ପାରୁଥିଲା, ତାହା ସମ୍ଭବତଃ ଆଉ ସମ୍ଭବ ହେବ ନାହିଁ । ତେଣୁ ପୁଣି ଶଙ୍କର ବେଡ଼ି‌ରେ ବନ୍ଧା ପଡ଼ିବ ବୋଲି କୁହାଯାଉଛି।

ଯାଜପୁର ଜିଲ୍ଲାରେ ଚାରି ଚାରିଜଣଙ୍କୁ ଦଳି ଚକଟି ହତ୍ୟା କରିବା ପରେ ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିଲା। ଦାନଗଦି ବ୍ଲକର କଣ୍ଟିପୁର ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ଓ କୁସୁନୁପୁର ଜଙ୍ଗଲରେ ରଖି ଚିକିତ୍ସା କରାଯିବ ବୋଲି ସେଠାକୁ ଅଣାଯାଇଥିଲା। ମାତ୍ର ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ହଜାର ହଜାର ସଂଖ୍ୟାରେ ସେଠାରେ ପହଞ୍ଚି ତୀବ୍ର ବିରୋଧ କରିଥିଲେ। ତେଣୁ ଦନ୍ତାକୁ ପୁଣି ରାତି‌ରେ ଟାଙ୍ଗୀ ହରିପୁର ଜଙ୍ଗଲକୁ ନେବା ପାଇଁ ବନ ବିଭାଗ ସ୍ଥିର କରିଥିଲା। କିନ୍ତୁ ଲୋକେ ବନ ବିଭାଗର ପିଛା ଛାଡ଼ି ନ ଥିଲେ। ଏମିତିକି ତାକୁ ମହାବିନାୟକସ୍ଥିତ ନର୍ସରିକୁ ଆଣିବା ସମୟରେ ସେଠାରେ ମଧ୍ୟ ଅନୁରୂପ ଅବସ୍ଥା ହେଲା। ତେଣୁ ବାଧ୍ୟ ହୋଇ ବନ ବିଭାଗ ତାକୁ ଚନ୍ଦକା ନେବାକୁ ସ୍ଥିର କରିଥିଲା ଓ ରାତି ପ୍ରାୟ ୪ଟା ବେଳେ ତାକୁ କୁମାରଖୁଣ୍ଟିରେ ପହଞ୍ଚାଇଥିଲା। ଆଜି ଦିନତମାମ ତାକୁ କଦଳୀ ଗଛ ଓ କଅଁଳ ଡାଳପତ୍ର ଖାଇବାକୁ ଦିଆଯାଉଛି। ଆସାମୀ ମାହୁନ୍ତମାନେ ତାକୁ ଜଗି ରହିଛନ୍ତି। ଟ୍ରାଙ୍କୁଲାଇଜ୍‌ର ନିଶାରୁ ସେ ପୂରାପୂରି ମୁକୁଳି ପାରି ନ ଥିଲେ ମଧ୍ୟ ଶତକଡ଼ା ୯୦ଭାଗ ସ୍ବାଭାବିକ ଅବସ୍ଥାକୁ ଆସିଯାଇଛି। ତେବେ ଚାରିଗୋଡ଼କୁ ଲୁହା ଶିକୁଳିରେ ବନ୍ଧା ଯାଇଥିବାରୁ ବିଶେଷ ହଲ୍‌ଚଲ୍‌ ହୋଇପାରୁନାହିଁ।

ମସ୍ତ ହୋଇଛି ନରହନ୍ତା
ସାଧାରଣତଃ ଡିସେମ୍ବର ଓ ଜାନୁଆରି ମାସରେ ଦନ୍ତା ହାତୀମାନେ ମସ୍ତ ହୋଇଥାନ୍ତି। ଏହି ଯୁବ ହାତୀ(ପ୍ରାୟ ୧୦/୧୫ ବର୍ଷ ବୟସ)ଟି ଦଳଛଡ଼ା ହୋଇଯାଇଥିବାରୁ ତାକୁ ସାଥୀ ମିଳୁନାହାନ୍ତି। ତେଣୁ ଏବେ ସେ ମସ୍ତ ଅବସ୍ଥାରେ ଥିବାରୁ ଅଧିକ ଉଗ୍ର ଓ ଆକ୍ରମକ ହୋଇପଡ଼ିଛି। ତେଣୁ ତାକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ବିଶେଷଜ୍ଞମାନଙ୍କ ମତ ନେଇ ଔଷଧ ଦିଆଯିବ ଓ ବିଶେଷକରି ନିୟମିତ କଦଳୀ ଗଛ ଖାଇବାକୁ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ମସ୍ତ ଅବସ୍ଥାରୁ ମୁକୁଳିବା ପରେ ସେ ଚନ୍ଦକାରେ କୁମ୍‌କୀ ତାଲିମ୍ ନେବ ବୋଲି ଚିନ୍ତା କରାଯାଉଛି। ଗୋଡ଼ିବାରୀରେ ରହୁଥିବା ନନ୍ଦ ଓ ଯଶୋଦାଙ୍କ ସହଯୋଗରେ ତାକୁ କୁମ୍‌କୀ ତାଲିମ୍‌ ଦିଆଯିବ ବୋଲି ଚିନ୍ତା କରାଯାଉଛି।

ଦୁଇ ନରହନ୍ତା ପାଇଁ ଚିନ୍ତା‌‌‌ରେ ଚନ୍ଦକା କର୍ମଚାରୀ
୨୦୧୫ ମସିହାରୁ ନରହନ୍ତା ଶଙ୍କର କୁମାରଖୁଣ୍ଟିରେ ନିର୍ବାସନ ଦଣ୍ଡ ଭୋଗୁଛି। କେନ୍ଦୁଝର ତେଲକୋଇରେ ଓ ସାତକୋଶିଆରେ ମଣିଷ ମାରିଥିବା ଶଙ୍କରକୁ କୁମ୍‌କୀ ତାଲିମ୍‌ ପାଇଁ ଚନ୍ଦକା ଅଣାଯାଇଥିଲା ଓ ଗୋଡ଼ିବାରୀରେ ନନ୍ଦ ଯଶୋଦାଙ୍କ ନିକଟରେ ରଖାଯାଇଥିଲା। ମାତ୍ର ସ୍ବଭାବ ବଦଳି ନ ଥିଲା ଶଙ୍କରର। ନିଜ ଆସାମୀ ମାହୁନ୍ତ ଦିଲ୍ଲୀପ ରାଭାକୁ‌ ସେ ଗୋଡ଼ରେ ଚାପି ଦେଇଥିଲା। ଏହା ପରଠାରୁ ଏହି ତିନି ନରହତ୍ୟାକାରୀକୁ ଶିକୁଳି ପକାଇ କୁମାରଖୁଣ୍ଟିରେ ରଖାଯାଇଛି। ଏବେ ସେଠାକୁ ଆସିଛି ଯାଜପୁରରେ ୪ ଓ କେଉଁଝରରେ ଜଣେ ଏମିତି ୫ ମୁଣ୍ଡ ନେଇଥିବା ଯୁବ ଦନ୍ତା। ଦୁଇ ଦୁର୍ଦ୍ଦାନ୍ତ ଏବେ ଗୋଟିଏ ସ୍ଥାନରେ। ତେଣୁ ବନ ବିଭାଗ ସେତିକି ସତର୍କ ନ ରହିଲେ, ପରିସ୍ଥିତି ଭୟଙ୍କର ହୋଇପାରେ। ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏଣିକି ଦୁଇ ଜଣଙ୍କୁ ଶିକୁଳିରେ ବାନ୍ଧି ବେଶ୍ କିଛି ଦୂରରେ ଅଲଗା ଅଲଗା କରି ରଖାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନୂଆଦନ୍ତାଟି ସ୍ବାଭାବିକ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଏବେ ସ୍ବତନ୍ତ୍ର ଏନ୍‌କ୍ଲୋଜ୍‌ରରେ ରହିବ। ପରେ କୁମ୍‌କୀ ପାଇଁ ଉପଯୁକ୍ତ ମନେ ହେଲେ ତାକୁ ଗୋଡ଼ିବାରୀକୁ ପଠାଯିବ। ସେଠାରେ ତାଲିମ୍‌ପ୍ରାପ୍ତ ନନ୍ଦ ଓ ଯଶୋଦା ସହଯୋଗରେ ତାକୁ ତାଲିମ୍‌ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe