ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଭୁବନେଶ୍ୱରପୁର ପଞ୍ଚାୟତର ଯୋଗେନ୍ଦ୍ରନାଥପୁର ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାବାଳିକାର ପିତା ରାଜେନ୍ଦ୍ର ପାଣ୍ତେ ଏନେଇ ପାଇକମାଳ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ରାଜେନ୍ଦ୍ର ଓ ପତ୍ନୀ ଟିକେଶ୍ବରୀ, ଝିଅ କୌଶଲ୍ୟା (୮) ଓ ପୁଅ ଭରତ (୫)କୁ ନେଇ ନିଜ ଜମିକୁ ଇଟା ଗଢିବା ପାଇଁ ଗତ ରବିବାର ସକାଳେ ଯାଇଥିଲେ । ଅପରାହ୍ଣ ୩ଟାରେ ରାଜେନ୍ଦ୍ର ପୁଅ ଓ ଝିଅକୁ ଘରକୁ ପଠାଇ ଦେଇଥିଲେ । କାମ ସାରି ସ୍ବାମୀ-ସ୍ତ୍ରୀ ସନ୍ଧ୍ୟା ୬ଟାରେ ଘରକୁ ଫେରିଥିଲେ। ହେଲେ ଘରେ ପୁଅ ଏକା ଥିଲା। ଝିଅ କୌଶଲ୍ୟାକୁ ଖୋଜାଖୋଜି କରିଥିଲେ । ପାଇକମାଳ ଥାନାକୁ ଜଣାଇବା ପରେ ପୁଲିସ୍ ରାତି ସାରା ଖୋଜାଖୋଜି କରି ନିରାଶ ହୋଇଥିଲା। ସୋମବାର ରାଜେନ୍ଦ୍ର ଝିଅ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏପଟେ ଯୋଗେନ୍ଦ୍ରନାଥପୁର ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲରେ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ଶବଟି କୌଶଲ୍ୟାର ବୋଲି ଜଣାପଡ଼ିଥିଲା।
ଘଟଣାସ୍ଥଳରେ ଡିଆଇଜି ନରସିଂହ ଭୋଳ, ଏସପି ପଦ୍ମିନୀ ସାହୁ, ଏସଡିପିଓ ପ୍ରଦୀପ ସାହୁ ପହଞ୍ଚିଥିଲେ। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତନାଘନା ଆରମ୍ଭ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ଦୁଷ୍କର୍ମ ଏବଂ ପରେ ହତ୍ୟା ବୋଲି କୁହାଯାଉଛି। ଏନେଇ ଏସପି ଶ୍ରୀମତୀ ସାହୁଙ୍କୁ ପଚାରିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଥ୍ୟ ମିଳିବ ବୋଲି କହିଥିଲେ। ତେବେ , ପିତା ରାଜେନ୍ଦ୍ର ତାଙ୍କ ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଦୁଇବର୍ଷ ତଳେ ରଥିପୁର ଗ୍ରାମର ଜଣେ ଯୁବକ ତାଙ୍କ ଘରକୁ ଆସି ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଥିଲା । ଗ୍ରାମସଭାରେ ସମାଧାନ କରାଯାଇଥିଲା । ସେହି ରାଗ ରଖି ସଂପୃକ୍ତ ଯୁବକ ଏଭଳି କାଣ୍ଡ ଘଟାଇଥିବା ସେ ସନ୍ଦେହ କରୁଛନ୍ତି।
Follow Us