ଦୁଇ ଶିଶୁ ସମେତ ମହିଳାଙ୍କୁ ହତ୍ୟା!

ଦୁଇ ଶିଶୁ ସମେତ ମହିଳାଙ୍କୁ ହତ୍ୟା!

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ଘର ଭିତରୁ ନିଜର ଦୁଇ ଶିଶୁକନ୍ୟାଙ୍କ ସହିତ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ କେଡଁଆଡ଼େ ଫେରାର୍‌ ହୋଇଯାଇଛି।

ମୃତ ମହିଳା ହେଲେ, ନାରାୟଣ ପୋଦ୍ଦାର (୩୫)ଙ୍କ ସ୍ତ୍ରୀ ସୋନି ପୋଦ୍ଦାର (୨୮) ଏବଂ ତାଙ୍କ ୨ ଶିଶୁ କନ୍ୟା ରାଧିକା (୫) ଓ ମୁସ୍‌କାନ (୩)। ପୋଦ୍ଦାର ପରିବାର ୬ ମାସ ପୂର୍ବରୁ ସେହି ପଡ଼ାର ଅନ୍ୟ ଜଣଙ୍କ ଘରେ ରହୁଥିଲେ। ନାରାୟଣ ଜଣେ ଦିନ ମଜୁରିଆ। ତାଙ୍କ ସାନଭାଇ କଳାକାହ୍ନୁ ମଧ୍ୟ ସେହି ପାଖରେ ରହୁଥିଲେ।କିଛିମାସ ପୂର୍ବରୁ କଳାକାହ୍ନୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସୋନି। ଏହି ମାମଲାରେ କଳାକାହ୍ନୁ ଜେଲ ଗଲାପରେ ନାରାୟଣ ୫ ମାସ ହେବ ପୂର୍ବ ଘର ଛାଡ଼ି ଅନ୍ୟତ୍ର ଘରଭଡ଼ା ନେଇ ପରିବାର ସହ ରହୁଥିଲେ। ପଡ଼ୋଶୀ ସୁରଜ ଖାଲକୋଙ୍କ କହିବା ଅନୁସାରେ; ନାରାୟଣ ଓ ସୋନିଙ୍କ ଭିତରେ ଭଲ ସଂପର୍କ ଥିଲା। କେବେ ଝଗଡ଼ା ହେବାର ଶୁଣିନାହାନ୍ତି। ଗତକାଲି ରାତିରେ ବିଦ୍ୟୁତ୍‌ ନଥିବାରୁ ରାତି ୧୧ଟା ପର୍ଯ୍ୟନ୍ତ ମରାମତି ଚାଲିଥିଲା। ନାରାୟଣ ବି ସେଠାରେ ଥିଲେ। କିନ୍ତୁ ସକାଳେ କ୍ଷୀରବାଲା ଡାକିବାରୁ ସୋନି କବାଟ ଖୋଲି ନଥିଲେ। ସକାଳ ୮ଟା ପର୍ଯ୍ୟନ୍ତ କବାଟ ବନ୍ଦ ରହିବାରୁ ପଡ଼ୋଶୀମାନେ ଘର ମାଲିକଙ୍କୁ କହିଥିଲେ।

publive-image

ଘର ମାଲିକ ସେଠାରେ ପହଞ୍ଚିବା ସହ ବ୍ରଜରାଜନଗର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲା। ଘରେ ମା’ ଓ ୨ଶିଶୁଙ୍କ ଶୋଇଥିବା ଅବସ୍ଥାରେ ଶବ ମିଳିଥିଲା।

ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଝାରସୁଗୁଡ଼ା ଏସ୍‌ପି ବିକାଶ ଦାଶ, ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ, ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମା’ ଓ ଦୁଇ ଝିଅଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ଶ୍ରୀ ବେହେରା କହିଛନ୍ତି, ମହିଳାଙ୍କ ବେକରେ କଳାଚିହ୍ନ ସହିତ ନଖ ଦାଗ ରହିଥିବାରୁ ତାଙ୍କୁ ଗଳାଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ୨ ପିଲାଙ୍କ ନିକଟରେ ସେଭଳି କିଛି ନଥିବା ସ୍ପଷ୍ଟ କରିଥିଲେ। ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ମହିଳାଙ୍କ ସ୍ୱାମୀ ନାରାୟଣ ସନ୍ଦେହ ଘେରରେ ଥିବା ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁଷ୍କର୍ମ ଅଭିଯୁକ୍ତ ଦିଅର କଳାକାହ୍ନୁ ବି ଜାମିନରେ ଆସିଥିବାରୁ ତା’ ଉପରେ ବି ସନ୍ଦେହ ରହିଥିବା ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe