ମହାବଳକୁ ବିଷ ଦେଇ ମାରିବା ଘଟଣା; ମୁଖ୍ୟ ଅଭିଯୁକ୍ତର ବାପା ଭାଇ ଗିରଫ

Advertisment
ମହାବଳକୁ ବିଷ ଦେଇ ମାରିବା ଘଟଣା; ମୁଖ୍ୟ ଅଭିଯୁକ୍ତର ବାପା ଭାଇ ଗିରଫ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ରେବଣା ସଂରକ୍ଷିତ ଜଙ୍ଗଲରେ ମୃତ ମଇଁଷି ମାଂସରେ ବିଷ ଦେଇ ମହାବଳ ବାଘକୁ ହତ୍ୟା କରିବା ଏବଂ ତାହାର ଛାଲ ବିକ୍ରି ପାଇଁ ଉଦ୍ୟମ କରିବା ଘଟଣାରେ ବନ ବିଭାଗ ଆଜି ଆଉ ଦୁଇଜଣକୁ ଗିରଫ କରିଛି। ସେମାନେ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରେବଣାପଳାଶପାଳ ପଞ୍ଚାୟତ ବୁଢ଼ୀପଦା ଗ୍ରାମର ବୁଟୁ ମହାକୁଡ଼ର ବାପା ଦୁର୍ଯ୍ୟୋଧନ ମହାକୁଡ଼ (୫୯) ଓ ବଡ଼ଭାଇ ପଞ୍ଚାନନ ମହାକୁଡ଼ (୩୮)। ଏଥିସହ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ବନ ବିଭାଗ ସୂଚନା ଅନୁସାରେ, ରେବଣା ସରଂକ୍ଷିତ ଜଙ୍ଗଲର ହାତୀଖୁଣ୍ଟି ନିକଟରେ ଗୋପାଳମାନେ ମଇଁଷି ଗୋଠ କରିଥିଲେ। ଏପ୍ରିଲ ୫ ତାରିଖରେ ଘାସିନାଥ ଦେହୁରୀଙ୍କ ଗୋଠର ଏକ ମଇଁଷିକୁ ମହାବଳ ବାଘ ମାରି ଦେଇଥିଲା। ଏହାପରେ ସେଠାରେ ମଇଁଷି ଗୋଠ କରିଥିବା ଅନ୍ୟ ଗୋପାଳମାନେ ଚିନ୍ତାରେ ପଡ଼ି ଯାଇଥିଲେ। ମୁଖ୍ୟ ଅଭିଯୁକ୍ତ ବୁଟୁ ମହାବାଳ ବାଘକୁ ମାରିବାପାଇଁ ଯୋଜନା କରିଥିଲା। ସାଧାରଣତଃ ବାଘ କୌଣସି ବଡ଼ ପଶୁକୁ ମାରିବା ପରେ ୭/୮ଦିନ ପର୍ଯ୍ୟନ୍ତ ତା’ର ମାଂସ ଖାଇଥାଏ। ବୁଟୁ ମୃତ ମଇଁଷିର ମାଂସରେ ବିଷ ପକାଇ ଦେଇଥିଲା। ବାଘ ତାହାକୁ ଖାଇବା ପରେ ତା’ର ମୃତ୍ୟୁ ଘଟିଥିଲା। ବାଘ ମରିବା ପରେ ତା’ର ଚମଡ଼ା ବାହାର କରି ଶୁଖାଇ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା।

ଏ ସମ୍ପର୍କରେ ଖବର ପାଇବା ପରେ‌ କେନ୍ଦୁଝର ଏସିଏଫ୍‌ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗ ଗୁରୁବାର ରାତିରେ ବୁଢ଼ୀପଦା ଗ୍ରାମରେ ଚଢ଼ଉ କରି ବୁଟୁକୁ ଉଠାଇ ଆଣିବା ସହ ବାଘଛାଲ ଜବତ କରିଥିଲା। ତାକୁ ପଚରାଉଚରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ବନ ବିଭାଗ ଖବର ପାଇଥିଲା। ଗତକାଲି ରାତିରେ ଆନନ୍ଦପୁର ଡିଏଫ୍‌ଓ ଅଜିତ କୁମାର ଶତପଥୀଙ୍କ ନିର୍ଦେଶକ୍ରମେ ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ତତ୍ତ୍ବାବଧାନରେ ଦୈତାରୀ ବନପାଳ ଦିବାକର ମୁଣ୍ଡା, ହରିଚନ୍ଦନପୁର ବନପାଳ ଡମ୍ବରୁଧର ମହାନ୍ତ, ରେବଣାପଳାଶପାଳ ବନପାଳ ବୁଦ୍ଧଦେବ ସାହୁ, ବନରକ୍ଷୀ ବାପୁଜୀ ସାହୁଙ୍କ ସମେତ ବନସୁରକ୍ଷା ବାହିନୀ ହାତୀଖୁଣ୍ଟିରେ ଚଢ଼ଉ କରି ଦୁର୍ଯ୍ୟୋଧନ ଓ ପଞ୍ଚାନନକୁ ଗିରଫ କରିଥିଲେ। ଏନେଇ ବନ ବିଭାଗ କେସ୍‌ ନମ୍ବର ୪/୨୨ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe