Kalinga TV
ଭୁବନେଶ୍ବର : କିମସକୁ ଇଣ୍ଡିଆ ଟୁଡେ ହେଲଥଗିରି ପୁରସ୍କାର ୨୦୨୧ ପ୍ରଦାନ କରାଯାଇଛି। ଶନିବାର ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ଗ୍ରୁ୍ପ୍ ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିମସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କରୋନା ମୁକାବିଲା କ୍ଷେତ୍ରରେ ଦେଶର ଶ୍ରେଷ୍ଠ ସରକାରୀ ମେଡିକାଲ ଭାବେ ଦିଲ୍ଲୀର ଲୋକନାୟକ ହସ୍ପିଟାଲକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦେଶର ଶ୍ରେଷ୍ଠ ଘରୋଇ ମେଡିକାଲ ଭାବେ ଭୁବନେଶ୍ଵରର କିମସକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏହି ପୁରସ୍କାର ଘୋଷଣା କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏହି ପୁରସ୍କାର ପ୍ରଦାନ କରିଥିଲେ। କିମସ୍ ମେଡିକାଲ୍ କଲେଜର ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆ ଟୁଡେ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର୍ ଇନ୍ ଚିଫ୍ ଅରୁଣ ପୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
କରୋନ ମୁକାବିଲା କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଘରୋଇ ମେଡିକାଲ ଭାବେ କିମସକୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିବାରୁ କିଟ୍, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇଣ୍ଡିଆ ଟୁଡେ ଗ୍ରୁପକୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ସାମନ୍ତ ଏହାର ସମସ୍ତ ଶ୍ରେୟ କିମସର ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଦେଇଛନ୍ତି। ଏହାସହ ଶ୍ରୀ ସାମନ୍ତ ଓଡ଼ିଶା ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାରଙ୍କ ମାର୍ଗଦର୍ଶନରେ କିମସ କୋଭିଡ ହସପିଟାଲ ପରିଚାଳିତ ହେଉଥିବାରୁ କିମସକୁ ଆଜି ଏହି ପୁରସ୍କାର ମିଳି ପାରିଛି।
Follow Us