ଭୁବନେଶ୍ବର: ନଭେମ୍ବର ମାସରୁ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବକପ୍ରେ ହକିପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ପହଞ୍ଚିବେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍। ଆଜି ଅପରାହ୍ଣରେ ଟ୍ବିଟ୍ ଜରିଆରେ ନିଜେ ଶାହରୁଖ ଏ ସଂପର୍କରେ ସୂଚନା ଦେଇଛନ୍ତି। ତାଙ୍କର ଏହି ଟ୍ବିଟ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମ୍ରେ ଶାହରୁଖଙ୍କ ଉପସ୍ଥିତି ହକିର ମାହୋଲକୁ ରଂଗିନ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି। ଟ୍ବିଟ୍ରେ ଶାହରୁଖ ଲେଖିଛନ୍ତି ଯେ, ହକି ହେଉଛି ଭାରତର ଗର୍ବ। ମୁଁ ହକି ଦେଖିବାକୁ ପସନ୍ଦ କରିଥାଏ। ଏବେ ମଧ୍ୟ ହକି ପାଇଁ ମୋ ଲୋମ ଟାଙ୍କୁରି ଉଠେ। ଭାରତୀୟ ଦଳକୁ ମୁଁ ଶୁଭେଚ୍ଛା ଜଣାଉଛି। ଏଥିରେ ଯୋଗ ଦେଉଥିବାରୁ ଆନନ୍ଦିତ ବୋଲି ଶାହରୁଖ କହିଛନ୍ତି। ଶାହରୁଖଙ୍କ ଟ୍ବିଟ୍କୁ ରିଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ଗୋଟିଏ ଯୁବ ଓ ଦକ୍ଷ ଦଳ ରହିଛି। ଶାହରୁଖ ଏହି ପିଢ଼ିର ଓ ବିଶେଷକରି ଯୁବବର୍ଗଙ୍କର ଆଦର୍ଶ। ସେ ଯୋଗଦେବା ଦଳକୁ କେବଳ ସମର୍ଥନ ଯୋଗାଇବ ନାହିଁ ବରଂ ସମଗ୍ର ଦେଶକୁ ଏହି ଅଭିଯାନରେ ସାମିଲ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉଦ୍ଘାଟନୀ ଉତ୍ସବରେ କିଙ୍ଗ ଖାନ୍ଙ୍କ ସମେତ ବିଶିଷ୍ଟ ସଂଗୀତ ନିର୍ଦେଶକ ଏ.ଆର ରେହମାନ୍ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଉତ୍ସାହିତ କରିବାକୁ ଆସିବେ କିଙ୍ଗ୍ ଖାନ୍
Advertisment
Follow Us