ଲାଞ୍ଚନେଇ ତହସିଲ କିରାଣି ଗିରଫ

ଲାଞ୍ଚନେଇ ତହସିଲ କିରାଣି ଗିରଫ

ବୈପାରିଗୁଡା: ଡଙ୍ଗର ଜମିର କିସମ ପରବର୍ତ୍ତନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସତ୍ୟ ନାରାୟଣ ଦଳେଇ। ନିଜ କାର୍ଯ୍ୟାଳୟରେ ଜଣେ ହିତାଧିକାରୀଙ୍କଠାରୁ ୫ହଜାର ଟଙ୍କା ନେବାସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛନ୍ତି। ଏହାପରେ ତାଙ୍କ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବୈପାରିଗୁଡ଼ା ବ୍ଲକ୍‌ର ଜଣେ ହିତାଧିକାରୀ ୩ଏକର ଡଙ୍ଗର ଜମିରୁ ୫୦ସେଣ୍ଟ ଜମିର କିସମ ପରିବର୍ତ୍ତନ କରି ଘରବାରି କରିବା ପାଇଁ କିଛିଦିନ ତଳେ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସତ୍ୟନାରାୟଣ ପଟ୍ଟା ପ୍ରଦାନ ନିମନ୍ତେ ହିତାଧିକାରୀଙ୍କୁ ଫୋନ୍‌ଯୋଗେ ଯୋଗାଯୋଗ କରିଥିଲେ। କିସମ ପରିବର୍ତ୍ତନ ପାଇଁ ୫ହଜାର ଟଙ୍କା ଲାଞ୍ଚ ଆକାରରେ ଦେବାକୁ କହିଥିଲେ। ଲାଞ୍ଚ ଦେବାକୁ ଇଚ୍ଛୁକ ନଥିବା ହିତାଧିକାରୀ ଜଣକ ବାଧ୍ୟହୋଇ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ ହିତାଧିକାରୀଙ୍କ ଅଭିଯୋଗ ଆଧାରରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଜି ମଧ୍ୟାହ୍ନରେ ହିତାଧିକାରୀ ରସାୟନ ବୋଳା ନୋଟ୍‌ ନେଇ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସତ୍ୟନାରାୟଣକୁ ଟଙ୍କା ଦେବାପରେ ତାହାକୁ ସେ ନିଜ ପକେଟ୍‌ରେ ରଖିଥିଲେ। ଏହାପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ତାଙ୍କ ପକେଟରୁ ଟଙ୍କା ବାହାର କରି ପାଣିରେ ତାଙ୍କ ହାତକୁ ବୁଡ଼ାଇ ଦେଇଥିଲା। ରସାୟନର ପ୍ରତିକ୍ରିୟାରେ ହାତ ନାଲି ହୋଇଯିବାରୁ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଇନସ୍‌ପେକ୍ଟର ଅନୁଭା ଦାସ, ଆର୍. ବିଜୟ, ସଞ୍ଜୟ ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ସତ୍ୟ ନାରାୟଣଙ୍କ ପଟାଙ୍ଗି ବାସଭବନ ଏବଂ କୋରାପୁଟସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe