କିଷାନ କ୍ଷେତ ମଜଦୁର କଂଗ୍ରେସର ଦାବିପତ୍ର

କିଷାନ କ୍ଷେତ ମଜଦୁର କଂଗ୍ରେସର ଦାବିପତ୍ର

ବୌଦ୍ଧ : ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଚାଷୀର ରବି ଧାନ ଫସଲ ଅମଳ ଶେଷ ହୋଇ ନାହିଁ। ଅମଳ କରିଥିବା କିଛି ଚାଷୀ ମଧ୍ୟ ଉପାର୍ଜିତ ଧାନ ବିକ୍ରି କରିପାରି ନାହିଁ। ତେଣୁ ଧାନ କିଣା ପ୍ରକ୍ରିୟାକୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଜିଲ୍ଲାର ସମସ୍ତ ଚାଷୀଙ୍କଠାରୁ ରବି ଧାନ କିଣିବାକୁ ‌କିଷାନ କ୍ଷେତ ମଜଦୁର କଂଗ୍ରେସ ଦାବି କରିଛି। ଏନେଇ ଜିଲ୍ଲା ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ଦାବି ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକଙ୍କୁ ପ୍ରଦାନ କରିଛନ୍ତି।

ଧାନ କିଣା ପ୍ରକ୍ରିୟାରେ ତ୍ରୁଟି ଓ କୃଷି ଶ୍ରମିକ ମିଳୁ ନଥିବାରୁ ଟୋକନର ଅବଧି ଶେଷ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରିପାରି ନାହିଁ। ତେଣୁ ଟୋକନର ଅବଧିକୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି, ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିଣିବା, ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରି ନଥିବା ଚାଷୀଙ୍କ ଧାନ କିଣିବା, ଧାନ କିଣା ପ୍ରକ୍ରିୟାକୁ ଭୁବନେଶ୍ବର ବଦଳରେ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କରିବା, ଆକଳନ ଅନୁସାରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମଣ୍ଡିକୁ ଟାର୍ଗେଟ ଦେବା, ଧାନ ସଂଗ୍ରହ ବେଳେ ଅଖା ବସ୍ତା ଓ ପରିବହନ ଖର୍ଚ୍ଚ ସିଧାସଳଖ ଚାଷୀଙ୍କୁ ପ୍ରଦାନ କରିବା, ମିଲରଙ୍କ ମନମାନି ଓ କଟନିଛଟନି ବନ୍ଦ କରିବା, ନିର୍ଦ୍ଧାରିତ ସରକାରୀ ଦର ବାହାରେ ରାଜ୍ୟ ସରକାର ପ୍ରତି କ୍ବିଣ୍ଟାଲରେ ୫ ଶହ ଟଙ୍କା ବୋନସ ଦେବା, କେନ୍ଦ୍ର ସରକାର ସ୍ବାମୀନାଥନ କମିଟିର ସୁପାରିସ ଆଧାରରେ ଧାନର କୁଇଣ୍ଟାଲ ପିଛା ଦର ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ରାୟ ସଞ୍ଜୀବ ଦେଓ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଯୁବ କଂଗ୍ରେସ ସଭାପତି ମହେଶ୍ବର ପ୍ରଧାନ, ପ୍ରଦୀପ ଦାସ, ଚିତ୍ତରଞ୍ଜନ ବେହେରା, ମନୋରଞ୍ଜନ ଅମାତ ଓ କଳାକାର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe