କିଶନନଗର ଥାନା ଆଇଆଇସି ସସ୍ମିତା ରଣା ନିଲମ୍ବିତ

Advertisment
କିଶନନଗର ଥାନା ଆଇଆଇସି ସସ୍ମିତା ରଣା ନିଲମ୍ବିତ

କଟକ: କିଶନନଗର ଥାନା ଆଇଆଇସି ସସ୍ମିତା ରଣା ନିଲମ୍ବିତ ହୋଇଥିବାର ସୂଚନା ମିଳିଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ପୁଲିସ ଡିଜି ନିଲମ୍ବନ କରିଛନ୍ତି।  ସୂଚନାଯୋଗ୍ୟ ଗଲା ୫ ଦିନ ହେଲା କିଶନନଗର ଥାନା ଅଧିକାରୀ ସସ୍ମିତା ରଣା ଆଉ ଥାନାକୁ ଆସୁ ନାହାନ୍ତି। ଆଇଆଇସିଙ୍କ ଏଭଳି ଅନୁପସ୍ଥିତିକୁ ନେଇ କୌଣସି ପୁଲିସ ଅଧିକାରୀ ମତାମତ ଦେଉ ନଥିବାବେଳେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଆଇଆଇସିଙ୍କର ଗଲା ୧୭ ତାରିଖରୁ ଯାଜପୁର ଜିଲ୍ଲାକୁ ବଦଳି ହୋଇଛି। ସେ ଖୁବ୍‌ଶୀଘ୍ର ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏପଟେ କିନ୍ତୁ ଚିତ୍ର ଭିନ୍ନ। ଗତ ୨୩ ତାରିଖରେ କିଶନନଗର ଥାନା ସମ୍ମୁ୍‌ଖରେ ଇଶାଣୀବ୍ରହ୍ମପୁର ସାଇଁ ପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଦିନକ ପରେ ଚିକିତ୍ସାଧୀନ ଅବସ୍ଥ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା। ଥାନା ଆଇଆଇସି ଗୁଣନିଧିଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସରେ ଭର୍ତ୍ତି କରିବାଠାରୁ ଆରମ୍ଭ କରି ତାଙ୍କ ବ୍ୟାଗ୍‌ ଥାନାରେ ରଖିବା ଯାଏ ସବୁ କାମ କରିଥିଲେ। କିନ୍ତୁ ତା ପରଠାରୁ ତାଙ୍କୁ ଆଉ ଥାନାରେ ଦେଖିବାକୁ ମିଳି ନଥିଲା। ଏସ୍‌ଡିପିଓ, ଅତିରିକ୍ତ ଏସ୍‌ପି ପ୍ରମୁଖ ଥାନାରେ ପହଞ୍ଚି ସିସିଟିଭି ଯାଂଚଠାରୁ ଆରମ୍ଭ କରି ଗୁଣନିଧିଙ୍କ ବ୍ୟାଗ୍‌ ଖୋଜିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥିଲେ ବି ଥାନା ଅଧିକାରୀ ସସ୍ମିତା ରଣାଙ୍କୁ ଦେଖିବାକୁ ମିଳି ନଥିଲା।

ଅନ୍ୟପଟେ ଥାନା ପରିସରରେ ଗୁଣନିଧିଙ୍କ ଆତ୍ମାହୁତି ଘଟଣାରେ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ କଟକ ଏସ୍‌ପି ବି. ଯୁଗଳ କିଶୋର ଘଟଣା ପରେ ପରେ ହିଁ ତୁରନ୍ତ ଥାନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ତା ସତ୍ବେ ଆଜି ପର୍ଯ୍ୟନ୍ତ ଥାନା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କିନ୍ତୁ ସେ ଛୁଟିରେ ନଥିଲେ ମଧ୍ୟ ଥାନାକୁ ନ ଆସିବା ଏବଂ ପଦସ୍ଥ ଅଧିକାରୀ ନିରବଦ୍ରଷ୍ଟା ସାଜିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଘଟଣା ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରୁ ଥାନା ଅଧିକାରୀଙ୍କର ଯାଜପୁର ବଦଳି ହୋଇଥିବା କୁହାଯାଉଥିଲେ ସେ ଥାନା ପରିସରରେ ଆତ୍ମାହୁତି ଘଟଣା ଦିନରୁ କାହିଁକି ଗା‌ଏବ ହୋଇଗଲେ ବୋଲି ପ୍ରଶ୍ନ ଉଠୁଛି।

ଆଇଆଇସିଙ୍କୁ ଦୋଷ ଦେଲେ ଗୁଣନିଧିଙ୍କ ପୁଅ, ଏସ୍‌ପିଙ୍କୁ ଅଭିଯୋଗ କିଶନନଗର ଥାନାରେ ଗତ ୨୩ ତାରିଖ ଆତ୍ମାହୁତି ଦେଇଥିବା ଇଶାଣୀବ୍ରହ୍ମପୁର ସାଇଁପୋରୁଆଁ ଗ୍ରାମର ଗୁଣନିଧି ବିଶୋଇଙ୍କ ମୃତ୍ୟୁ ପାଇଁ ତାଙ୍କ ପୁଅ ସୁଦର୍ଶନ ବିଶୋଇ ଆଇଆଇସି ସସ୍ମିତା ରଣାଙ୍କୁ ଦାୟୀ କରିଛନ୍ତି। ଏ ନେଇ ଆଜି ସେ କଟକ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଆଇଆଇସି ଓ ଡିସିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ, ଗତ ୧୯ ତାରିଖ ଜମିବାଡ଼ି ବିବାଦର ସମାଧାନ ପାଇଁ ବସିଥିବା ସଭାରେ ଗୁଣନିଧିଙ୍କୁ ସାଗର ବିଶୋଇ ଓ ଅନ୍ୟ ଦୁଇଜଣ ଆକ୍ରମଣ କରିଥିଲେ। ଫଳରେ ଗୁଣନିଧିଙ୍କ ମୁଣ୍ଡ ଫାଟି ଯାଇଥିଲା। ସେହିଦିନ ଗୁଣନିଧି ଘଟଣା ସମ୍ପର୍କରେ କିଶନନଗର ଥାନାରେ ଅଭିଯୋଗ କରିଥିଲେ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଆଇଆଇସି ସସ୍ମିତା ରଣା ତାଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇଥିଲେ। ଏଥିରେ ରାଜି ନ ହେବାରୁ ଗୁଣନିଧିଙ୍କୁ ଆଇଆଇସି ଥାନାକୁ ଡକାଇ ଘଣ୍ଟାଘଣ୍ଟା ବସାଇ ରଖି ଅପମାନିତ କରୁଥିଲେ। ଏପରି କି, ତାଙ୍କ ବିରୋଧରେ ପାଲଟା ମିଥ୍ୟା ଅଭିଯୋଗ କରିବା ପାଇଁ ପ୍ରତିପକ୍ଷଙ୍କୁ ସୁଯୋଗ ଦେଇଥିଲେ।

ବାପାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବା ପାଇଁ ଆଇଆଇସି ଧମକ ଦେବା ସହ ଅପମାନିତ କରି ମାନସିକ ନିର୍ଯାତନା ଦେବାରୁ ଗୁଣନିଧି ଆତ୍ମାହୁତି ଦେଇଥିଲେ ବୋଲି ପୁଅ ସୁଦର୍ଶନ ଅଭିଯୋଗ କରିଛନ୍ତି। ବାପା ଆତ୍ମାହୁତି ଦେବା ସମୟରେ ଥାନାରେ ଉପସ୍ଥିତ ଆଇଆଇସି ସସ୍ମିତା ରଣା, ଡିସିଓ ଓ ଅନ୍ୟ ପୁଲିସ କର୍ମଚାରୀ ତାଙ୍କୁ ଏଥିରୁ ନିବୃତ୍ତ ନ କରି ଦେଖଣାହାରୀ ପାଲଟି ଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହାଛଡ଼ା ଗୁଣନିଧିଙ୍କ ବ୍ୟାଗ୍‌କୁ ଆଇଆଇସି ସସ୍ମିତା ରଣା ନେଇଯାଇ ସେଥିରୁ ସୁଇସାଇଡ୍‌ ନୋଟ୍‌ ଗାଏବ କରି ତାଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିଥିଲା ବେଳେ ସିସିଟିଭି ଫୁଟେଜ୍‌ ନଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ପୁଅ ସୁଦର୍ଶନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe