କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ଦେହାନ୍ତ

Advertisment
କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ଦେହାନ୍ତ

କଟକ : ସମାଜର ପୂର୍ବତନ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ତ୍ରିପାଠୀଙ୍କର ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ପତ୍ନୀ ପ୍ରଭାସିନୀ ତ୍ରିପାଠୀ, ଝିଅ ସ୍ୱର୍ଣ୍ଣମୟୀ ତ୍ରିପାଠୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପୁଅ ସିଦ୍ଧାର୍ଥ ସିଙ୍ଗାପୁରରୁ ଆସିବା ପରେ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯିବ।

୧୯୩୧ ଜୁଲାଇ ୧୫ ତାରିଖରେ ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ତ୍ରିପାଠୀ ଶିକ୍ଷାସମାପ୍ତି ପରେ କିଛି ବର୍ଷ ଅଧ୍ୟାପନା କରିଥିଲେ। ୧୯୬୫ ମସିହାରେ ସେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ପରେ ସେ ‘ସମାଜର ମୁଦ୍ରାକର ତଥା ପ୍ରକାଶକ ଭାବେ କାର୍ଯ୍ୟନିର୍ବାହ କରିଥ‌ିଲେ। ସେ ଭାରତ ସେବକ ସମାଜର ସଂଗଠନ ସଂପାଦକ ଭାବେ କାର୍ଯ୍ୟ କରିବା ସହିତ ସମାଜର ଜେନେରାଲ ମ୍ୟାନେଜର ଦାୟିତ୍ୱ ନିର୍ବାହ କରିଥିଲେ। ୧୯୭୮ରୁ ୧୯୮୦ ପର୍ଯ୍ୟନ୍ତ ସେ ଲୋକସେବକ ମଣ୍ଡଳ ସାଧାରଣ ସମ୍ପାଦକ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ସହିତ ସେ ରିଲିଫ୍‌ କମିଟି ଆବାହକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପରଲୋକରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ରାଜକୁମାର, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ପୂର୍ବତନ ଅଧ୍ୟକ୍ଷ ଦୀପକ ମାଲବ୍ୟ, ଓଡ଼ିଶା ଶାଖା କାର୍ଯ୍ୟକାରୀ କମିଟି ସମ୍ପାଦକ ଭୀମସେନ ଯାଦବ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe