ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବାରେ କିସ୍‌ର ପ୍ରୟାସ ଅଭିନବ ଓ ସଫଳ

Advertisment
ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବାରେ କିସ୍‌ର ପ୍ରୟାସ ଅଭିନବ ଓ ସଫଳ

ଭୁବନେଶ୍ୱର : କିସ୍‌କୁ ବିଶ୍ବ ସ୍ତରର ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ‘ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା ପୁରସ୍କାର-୨୦୨୨’ ମିଳିବା ଅବସରରେ ଶୁକ୍ରବାର କିସ୍‌ ପକ୍ଷରୁ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଥିଲେ, କିସ୍‌ ପାଇଁ ଏହା ଏକ ବଡ଼ ଉପଲବ୍ଧି। କିସ୍‍ ହେଉଛି ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ, ଯାହାକି ୨୦୧୩ରେ ମାତୃଭାଷାଭିତ୍ତିକ ବହୁଭାଷୀ ପ୍ରାଥମିକ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ କରିଥିଲା। ଏଠାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଶିଶୁମାନଙ୍କୁ ସେମାନଙ୍କ କଥିତ ଓ ପ୍ରଚଳିତ ଭାଷାରେ ଶିକ୍ଷାଦାନ କରାଯାଇଥାଏ। ଫଳରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଥାଏ। ପର୍ଯ୍ୟାୟକ୍ରମେ ସେମାନଙ୍କୁ ବହିରେ ଲିଖିତ ଭାଷା ବ୍ୟବହାର ସହ ଅଭ୍ୟସ୍ତ କରାଯାଇଥାଏ। ଧୀରେଧୀରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିଥାଏ ଏବଂ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବାରେ ଏହା ଏକ ଅଭିନବ ଓ ସଫଳ ପ୍ରୟାସ। ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତ ୟୁନେସ୍କୋକୁ ଧନ୍ୟବାଦ ଜଣାଇବା ସହ କହିଥିଲେ, ବିଶ୍ବର ଏହି ଶ୍ରେଷ୍ଠ ଶିକ୍ଷା ସମ୍ମାନ ଆମକୁ ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତୀକରଣ ସହ ଅଧିକରୁ ଅଧିକ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଆହୁରି ଉତ୍ସାହିତ କରିବ। ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିସ୍‍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରାଶାନ୍ତ କୁମାର ରାଉତରାୟ ଓ କିସ୍‍ର ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କିସ୍‍ ଜରିଆରେ ୭୦ହଜାରରୁ ଊର୍ଦ୍ଧ୍ୱ ଜନଜାତି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ ହୋଇପାରିଛନ୍ତି। ୨୦୧୫ରେ କିସ୍‍ ୟୁନେସ୍କୋର ସ୍ପେସାଲ୍‌ କନ୍‍ସଲଟିଭ ଷ୍ଟାଟସ୍‌ ପାଇବାର ଗୌରବ ଅର୍ଜନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe