Amar Ujala Results
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରକାଶିତ ଅଟଳ ରୢାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ(ଏଆରଆଇଆଇଏ)ରେ ବାଜି ମାରିଛି କିଟ୍ ବିଶ୍ୱବିଦ୍ୟାଳୟ। ଘରୋଇ/ଡିମ୍ଡ ବିଶ୍ୱବିଦ୍ୟାଳୟ ବର୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହି ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଛି। ଓଡ଼ିଶାର ଆଉ କୌଣସି ବି ଶିକ୍ଷାନୁଷ୍ଠାନ କୌଣସି ବର୍ଗରେ ଶ୍ରେଷ୍ଠ ୫ ମଧ୍ୟରେ ସ୍ଥାନ ପାଇପାରି ନାହାନ୍ତି।
କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଛି। ଏହି ବର୍ଗର ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି। ଯେତେବେଳେ କି ଏନଆଇଟି ରାଉରକେଲା ୧୧ରୁ ୨୫ତମ ଓ ଆଇଆଇଟି ଭୁବନେଶ୍ୱର ୨୬ରୁ ୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ହାସଲ କରିଛି। ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟ ବର୍ଗର ଶ୍ରେଷ୍ଠ ୫ରେ ୭ଟି ଶିକ୍ଷାନୁଷ୍ଠାନ ରହିଥିବା ବେଳେ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ କଲେଜ/ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ୫ରେ ୬ଟି ଶିକ୍ଷାନୁଷ୍ଠାନ, ଘରୋଇ କଲେଜ/ଶିକ୍ଷାନୁଷ୍ଠାନ ବର୍ଗର ଶ୍ରେଷ୍ଠ ୫ରେ ୬ଟି ଶିକ୍ଷାନୁଷ୍ଠାନ ରହିଥିଲେ ମଧ୍ୟ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ଉକ୍ତ ୩ଟି ବର୍ଗର ଶ୍ରେଷ୍ଠ ୫ ମଧ୍ୟରେ ନାହାନ୍ତି। ଓଡ଼ିଶାର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଘରୋଇ/ଡିମ୍ଡ ବିଶ୍ୱବିଦ୍ୟାଳୟ ବର୍ଗରେ ଶୀର୍ଷରେ ରହିଛି। ଏହି ବର୍ଗର ଶ୍ରେଷ୍ଠ ୫ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ବାକି ୪ଟି ଶିକ୍ଷାନୁଷ୍ଠାନ ତାମିଲନାଡୁର ରହିଛନ୍ତି। ଓଡ଼ିଶାର କେତେକ ଘରୋଇ ଇଂଜିନିୟରିଂ କଲେଜ ବିଭିନ୍ନ ବର୍ଗର ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଛନ୍ତି।
ଦେଶର ମୋଟ ୬୭୪ ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ରୢାଙ୍କିଙ୍ଗରେ ଭାଗ ନେଇଥିଲେ। ଯେଉଁଥିରେ ୧୨୧ଟି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ୩୭୩ଟି ଘରୋଇ ଶିକ୍ଷାନୁଷ୍ଠାନ, ୬୨ଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୩୮ଟି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଡିମ୍ଡ ବିଶ୍ୱବିଦ୍ୟାଳୟ, ୮୦ଟି ଘରୋଇ/ଡିମ୍ଡ ବିଶ୍ୱବିଦ୍ୟାଳୟ ଥିଲେ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସମାରଓ ଧୋତ୍ରେ, ଏଆଇସିଟିଇ ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଅମିତ ଖେରେ ପ୍ରମୁଖ ଉପସ୍ଥିତ ଥିଲେ।
ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡିକର ଶିକ୍ଷକ ଓ ଅଧ୍ୟାପକଙ୍କ ମଧ୍ୟରେ ସୃଜନ ଓ ଔଦ୍ୟୋଗିକ ବିକାଶ ସମ୍ପର୍କିତ ମାନଦଣ୍ଡକୁ ଭିତ୍ତିକରି କେନ୍ଦ୍ର ସରକାର ଏହି ରୢାଙ୍କିଙ୍ଗ ପ୍ରଦାନ କରିଥାନ୍ତି। ୨୦୧୯ରେ କିଟ୍ ବିଶ୍ୱବିଦ୍ୟାଳୟ ଏହି ରୢାଙ୍କିଙ୍ଗରେ ଦ୍ଵିତୀୟ ସ୍ଥାନରେ ରହିଥିଲା। ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କୁ କିଟ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀମାନେ ଧନ୍ୟବାଦ ଜଣାଇଛନ୍ତି।
Follow Us