କୋଭିଡ୍‌ ପରର ଜଟିଳତା: ବଢୁଛି ଆଣ୍ଠୁଗଣ୍ଠି ରକ୍ତ ସଞ୍ଚାଳନ ସମସ୍ୟା

Advertisment

ଏମ୍ସରେ ରୋଗୀ ସଂଖ୍ୟା ୧୦ ଗୁଣ ବୃଦ୍ଧି, ଆଣ୍ଠୁ ଅକାମି ହୋଇ ଶଯ୍ୟାଶାୟୀ ହେଲେଣି ଅନେକ

ଏମ୍ସରେ ରୋଗୀ ସଂଖ୍ୟା ୧୦ ଗୁଣ ବୃଦ୍ଧି, ଆଣ୍ଠୁ ଅକାମି ହୋଇ ଶଯ୍ୟାଶାୟୀ ହେଲେଣି ଅନେକ

ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

Medical News Today

ଭୁବନେଶ୍ବର : କୋଭିଡ୍‌ରୁ ସୁସ୍ଥ ହୋଇ ସାରିଛନ୍ତି। କୋଭିଡ୍‌ ପରର ଜଟିଳତା ଯୋଗୁଁ ମୁକ୍ତ ହୋଇ ପାରିନାହାନ୍ତି ଅନେକ ରୋଗୀ। କୋଭିଡ୍‌ ପରର ଜଟିଳତା ଯୋଗୁଁ ଆଣ୍ଠୁଗଣ୍ଠି ରକ୍ତ ସଞ୍ଚାଳନ ସମସ୍ୟା ବଢ଼ିବାରେ ଲାଗିଛି। ୬ ମାସ ମଧ୍ୟରେ ଏମ୍ସକୁ ପାଖାପାଖି ୬୦ରୁ ଅଧିକ ସଂଖ୍ୟକ ରୋଗୀ ଆସିଛନ୍ତି। କିଛି ମାସ ମଧ୍ୟରେ ଏହି ସମସ୍ୟା ନେଇ ଆସୁଥିବା ରୋଗୀଙ୍କ ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଥିବା କହିଛନ୍ତି ଏମ୍ସ ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ସୁଜିତ ତ୍ରିପାଠୀ।

ତାଙ୍କ ସୂଚନା ଅନୁସାରେ, ଆଣ୍ଠୁ ଗଣ୍ଠିରେ ରକ୍ତ ସଞ୍ଚାଳନ ସମସ୍ୟା ଓଡ଼ିଶା ପାଇଁ ନୂଆଁ ନୁହେଁ। ବିଶେଷକରି ସିକଲିନ ରୋଗୀଙ୍କଠାରେ ଏହା ମୁଖ୍ୟତଃ ଦେଖାଯାଏ। ପୂର୍ବରୁ ପ୍ରତି ମାସରେ ୨ରୁ ୩ ଜଣ ଏହି ସମସ୍ୟା ନେଇ ଆସୁଥିଲେ। ଯାହାଙ୍କ ଅସ୍ତ୍ରୋପଚାର କରିବାକୁ ପଡ଼ୁଥିଲା। କୋଭିଡ୍‌ରେ ଅନେକ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା କିମ୍ବା ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏପରିକି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଷ୍ଟେରଏଡ୍‌ ଦେବାକୁ ପଡ଼ିଥିଲା। ସେମାନେ ବର୍ତ୍ତମାନ କୋଭିଡ୍‌ରୁ ସୁସ୍ଥ ହୋଇଥିଲେ ମଧ୍ୟ ଉପଯୁକ୍ତ ଭାବରେ ରକ୍ତ ସଞ୍ଚାଳନ ହୋଇ ନପାରି ଆଣ୍ଠୁଗଣ୍ଠି ବଥାଜନିତ ସମସ୍ୟା ନେଇ ଆସୁଛନ୍ତି। ଏପରିକି ଆସୁଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଏଭଳି ଅଛନ୍ତି ଯେଉଁମାନେ ଶେଷ ସମୟରେ ଆସି ପହଞ୍ଚୁଥିବାରୁ ତାଙ୍କ ଅସ୍ତ୍ରୋପଚାର କରାଯାଇ ପାରୁନାହିଁ। ପରିଣାମସ୍ବରୂପ ସେମାନେ ଏକପ୍ରକାର ଶଯ୍ୟାଶାୟୀ ଜୀବନ ନେଇ ବଞ୍ଚୁଛନ୍ତି।

ଡ. ତ୍ରିପାଠୀ କହିଛନ୍ତି, କୋଭିଡ୍‌ରୁ ସୁସ୍ଥ ହୋଇଥିଲେ ମଧ୍ୟ ଚାଲିଲାବେଳକୁ ଆଣ୍ଠୁରେ କଷ୍ଟ ହେଉଥିଲେ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାରେ ଦେଖାଇବା ଉଚିତ। ଡାକ୍ତରଙ୍କ ପରାମର୍ଶରେ ଏକ୍ସରେ କିମ୍ବା ଏମ୍‌ଆର୍‌ଆଇ କରାଇଲେ ଏହି ସମସ୍ୟାର ଚିହ୍ନଟ ହୋଇପାରିବ। ଅନେକ ସମୟରେ ଏକ୍ସ-ରେରେ ମଧ୍ୟ ଆଣ୍ଠୁଗଣ୍ଠି ରକ୍ତ ସଞ୍ଚାଳନ ସମସ୍ୟା ଜଣାପଡ଼େନାହିଁ। ଏମ୍‌ଆର୍‌ଆଇ ନିଶ୍ଚିତ କରାଇବାକୁ ପଡ଼ିବ। ରାଜ୍ୟରେ କେବଳ ଏମ୍ସରେ ହିଁ ଏହି ସମସ୍ୟାର ଚିକିତ୍ସା ରହିଛି। ଅର୍ଥାତ୍‌ ଅସ୍ତ୍ରୋପଚାର ଜରିଆରେ ଏଠାରେ ରୋଗୀ ସୁସ୍ଥ ହୋଇ ପାରୁଛନ୍ତି। ଘରୋଇ ଡାକ୍ତରଖାନାରେ ଏହି ଚିକିତ୍ସା ପାଇଁ ୧୦ ଲକ୍ଷ ଖର୍ଚ ହେଉଛି। କିନ୍ତୁ ଏମ୍ସରେ ପାଖାପାଖି ୧ ଲକ୍ଷ ଟଙ୍କା ବ୍ୟୟରେ ରୋଗୀ ସୁସ୍ଥ ହୋଇପାରୁଛନ୍ତି। ଏହି ରୋଗ ପ୍ରତି ସଜାଗ ରହିବାକୁ ଡାକ୍ତର ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe