କୋଡିଙ୍ଗା ହାଜତ ମୃତ୍ୟୁ ଘଟଣା : ପୁଲିସ-କୁମୁଲୁଙ୍କ କଥାରେ ତାଳମେଳ ନାହିଁ

Advertisment
କୋଡିଙ୍ଗା ହାଜତ ମୃତ୍ୟୁ ଘଟଣା : ପୁଲିସ-କୁମୁଲୁଙ୍କ କଥାରେ ତାଳମେଳ ନାହିଁ

ନବରଙ୍ଗପୁର : ଶନିବାର ଗୋବର୍ଦ୍ଧନଙ୍କ ସହ ଡାବୁଗାଁ ବ୍ଲକର କୁମୁଲୁ ହରିଜନ (୪୨)ଙ୍କୁ ବି କୋଡିଙ୍ଗା ପୁଲିସ ଥାନାକୁ ଉଠାଇ ଆଣିଥିଲା। ସେ ବର୍ତମାନ ସୁସ୍ଥ ଅଛନ୍ତି ଏବଂ ନବରଙ୍ଗପୁର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ କହିବା ଅନୁଯାୟୀ, ହାଟକୁ ସେ ରାସନ କିଣିବାକୁ ଯାଇଥିଲେ। କୁକୁଡା ଗାଲିରେ ପୁଲିସର ଚଢ଼ଉ ସମୟରେ ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ। ସେହି ସମୟରେ ସେ ଗୋଟିଏ ଦୋକାନରେ ଚା’ ପିଉଥିଲେ। ସେ କିଛି ବୁଝିବା ପୂର୍ବରୁ ପୁଲିସ ତାଙ୍କୁ ଏବଂ ଗୋବର୍ଦ୍ଧନଙ୍କୁ ଜୋରଜବରଦସ୍ତି ଉଠାଇ ଆଣି ଗାଡ଼ିରେ ବସାଇ ଦେଇଥିଲା।

ଗାଡ଼ିରେ ବସିବା ପାଇଁ ଗୋବର୍ଦ୍ଧନ ଅରାଜି ହେବାରୁ ପୁଲିସ ତାଙ୍କୁ ମାଡ଼ ମାରିଥିଲା। ପ୍ରଥମେ ଉଭୟଙ୍କୁ କୋଷାଗୁମୁଡା ଥାନାକୁ ନେଇ ବସାଇଥିଲେ। କିଛି ସମୟ ପରେ ପାଣି ମାଗିବାରୁ ବଡ଼ବାବୁ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ଉଭୟଙ୍କୁ କୋଡିଙ୍ଗା ଥାନାକୁ ନିଆଯାଇଥିଲା। ରାତି ୯ଟା ପର୍ଯ୍ୟନ୍ତ ଉଭୟଙ୍କୁ ଭୋକିଲା ରଖାଯାଇଥିଲା। ସେମାନେ ଭୋକରେ ଥିବା ଜଣାଇବାରୁ ଜଣେ ଗୃହରକ୍ଷୀ ନିଜ ପାଇଁ ଆଣିଥିବା ମାଣ୍ଡିଆ ଜାଉ ଖାଇବାକୁ ଦେଇଥିଲେ। ଉଭୟ ଭାଗବଣ୍ଟା କରି ତାକୁ ଖାଇଥିଲେ। ଖାଇ ସାରିବା ପରେ ପୁଲିସ ବାବୁ ଆସି ଉଭୟଙ୍କୁ ପଚରାଉଚୁରା କରିଥିଲେ। ଏହାରି ମଧ୍ୟରେ ହଠାତ୍ ଗୋବର୍ଦ୍ଧନ ଅସୁସ୍ଥ ହୋଇଯାଇଥିଲେ। ତେଣୁ ରାତି ପ୍ରାୟ ୧୧ଟାରେ ଉଭୟଙ୍କୁ କୋଷାଗୁମୁଡା ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ହିଁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ସେ ଶୁଣିବାକୁ ପାଇଥିଲେ ହେଁ ପୁଲିସ ତାଙ୍କୁ କିଛି କହି ନଥିଲା। ରାତିରେ ତାଙ୍କୁ ପ୍ରଥମେ କୋଡିଙ୍ଗା ଏବଂ ପରେ କୋଷାଗୁମୁଡା ଥାନାକୁ ଆଣିଥିଲେ। ରାତି ପ୍ରାୟ ୪ଟାରେ ନବରଙ୍ଗପୁର ମେଡିକାଲକୁ ଆଣି ଭର୍ତି କରିଥିଲେ।

ଅନ୍ୟପଟେ ଗତକାଲି ରାତିରୁ ହିଁ ଡାବୁଗାଁ ପୁଲିସ ମୃତକଙ୍କ ସଂପର୍କୀୟ ନୀଳା ବିନ୍ଧାଣୀ, ମଙ୍ଗଳ ବିନ୍ଧାଣୀ ଏବଂ ଝିଅ ଡମୁଣୀ ବିନ୍ଧାଣୀଙ୍କୁ ଘରୁ ଉଠାଇ ନେଇଥିଲା। ସେମାନେ ନବରଙ୍ଗପୁର ମେଡିକାଲରେ ପହଞ୍ଚିବା ବେଳକୁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇ ସାରିଥିବା ଝିଅ ଡମୁଣୀ ବିନ୍ଧାଣୀ ଆଜି ଅଭିଯୋଗ କରିଛନ୍ତି। ଗାଁ ଲୋକ ଓ ମୃତକଙ୍କ ଭଣଜା କହିଛନ୍ତି ଯେ ଗୋବର୍ଦ୍ଧନଙ୍କୁ ଜୀବିତ ଅବସ୍ଥାରେ ପୁଲିସ ନେଇଥିଲା। ଥାନାରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ତାଙ୍କୁ ହତ୍ୟା କରାଯାଇଛି। ତେଣୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପୁଲିସ ଶବକୁ ଲୁଚାଇ ରଖିଛି ଏବଂ ପଚାରିବାକୁ ଗଲେ ଲୋକଙ୍କୁ ଲାଠିରେ ପିଟୁଛି। ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗକୁ ନିଜ ଅଧୀନରେ ରଖିଥିବାରୁ ସ୍ପଷ୍ଟୀକରଣ ଦିଅନ୍ତୁ। ଥାନା ଅଧିକାରୀଙ୍କୁ ସେଠାରୁ ବଦଳି କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe