ମାଡ଼ମାରିଲେ ବାପା, ଭାଇ: କୋଇଡ଼ା ବିଡିଓ ଗୁରୁତର

ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ନିର୍ଧୁମ ମାଡ଼, ଗିରଫ ପରେ ବାପା କୋର୍ଟଚାଲାଣ, ଭାଇ ଫେରାର, ବିଡିଓ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର

ଓଏଏସ୍‌ ସ୍ତରରେ ଅଦଳ ବଦଳ: କୋଇଡ଼ା ବିଡିଓ ବଦଳିଲେ

ଯନ୍ତ୍ରୀ ଓ ବିଡିଓ (ଫାଇଲ୍‌ ଫଟୋ)

କୋଇଡା (ସୁନ୍ଦରଗଡ଼) :ଏକ ଅବିଶ୍ବସନୀୟ ଘଟଣାକ୍ରମରେ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହିତ ନିଜ ଅଫିସ କର୍ମଚାରୀଙ୍କ ବିରୋଧକୁ ସାମ୍‌ନା କରୁଥିବା କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜ ନିଜ ବାପା ଓ ଭାଇଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ତାଙ୍କ ସହ ଜଣେ ସହକାରୀ ଯନ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଡିଓ ପଲ୍ଲବୀରାଣୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଅର୍ଥାତ୍‌ ମଙ୍ଗଳବାର ରାତି ୧୦ରେ ବିଡିଓ ନିଜ ବ୍ଲକ୍ କାର୍ଯ୍ୟାଳୟସ୍ଥିତ ବାସଗୃହରେ ଥିଲେ। ସେତିକିବେଳେ ବଡ଼ବିଲରେ ରହୁଥିବା ତାଙ୍କ ବାପା ରମେଶ ଚନ୍ଦ୍ର ରାଜ (୫୨) ଓ ଭାଇ ସଂଗ୍ରାମ କେଶରୀ ରାଜ ଆସି ମୋଟା ଠେଙ୍ଗାରେ ବିଡିଓ ତଥା ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀଙ୍କୁ ନିର୍ମମ ମାଡ଼ ମାରିଥିଲେ। ଏ ନେଇ ବିଡ଼ିଓ ଆଜି କୋଇଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବାପା ଓ ଭାଇ ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ସେ ​ନଦେବାରୁ ତାଙ୍କୁ ମାଡ଼ ମାରିଛନ୍ତି। ସହକାରୀ ଯନ୍ତ୍ରୀ ତାଙ୍କୁ ରକ୍ଷା କରିବାପାଇଁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଛି।

ଖବରପାଇ କୋଇଡ଼ା ଥାନା ଅଧିକାରୀ ଲୋକେଶ୍ୱର ସାହୁ ପ୍ରାଥମିକ ତଦନ୍ତ କରିବା ସହିତ ଉଭୟ ଆହତଙ୍କୁ ଡାକ୍ତରୀପରୀକ୍ଷା ପାଇଁ ପଠାଇଥିଲେ। ବିଡିଓଙ୍କ ଆଘାତ ଗୁରୁତର ଥିବାରୁ କୋଇଡା ଡାକ୍ତରଖାନାର ଏକ ଟିମ୍‌ ତାଙ୍କ ବାସଗୃହକୁ ଯାଇ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ତାଙ୍କୁ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଆକ୍ରମଣ ଅନ୍ୟତମ ଶିକାର କୋଇଡ଼ା ବ୍ଲକ୍‌ର ସହକାରୀ ଯନ୍ତ୍ରୀଙ୍କ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲାର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ହୋଇଥିଲା। ତେବେ, ସେ ରାଉରକେଲା ଆସି ନଥିବା କୁହାଯାଉଛି।

ବିଡିଓଙ୍କ ଲିଖିତ ଅଭିଯୋଗ ଓ ଡାକ୍ତରୀ ରିପୋର୍ଟ ଆଧାରରେ କୋଇଡା ପୁଲିସ ଏକ ମାମଲା ରୁଜୁ କରି କେସ୍ ନମ୍ବର ୩୪/୨୦୨୩ରେ ତାଙ୍କ ବାପାଙ୍କ ବିରୋଧରେ ୩୪୧, ୩୦୭, ୩୮୪, ୫୦୬ ସଂଗୀନ ଦଫା ସହ କୋର୍ଟ ଚାଲାଣ କରିଛି। ତେବେ, ବିଡ଼ିଓଙ୍କ ଭାଇ ସଂଗ୍ରାମ ଫେରାର ହୋଇ ଯାଇଛନ୍ତି।

ପରିବାରର ଠିକାକାମକୁ ନେଇ ପୁଣି ଚର୍ଚ୍ଚା
ବିଡ଼ିଓଙ୍କ ଭାଇ ବ୍ଲକରେ କରିଥିବା ଠିକା କାମର ଟଙ୍କା ନମିଳିବା ନେଇ ତାଙ୍କୁ ମାଡ଼ ମାରିଥିବା ସହକାରୀ ଯନ୍ତ୍ରୀ ଥାନାରେ ମୌଖିକ ଭାବରେ ପ୍ରକାଶ କରିଥିଲେ ବୋଲି କୁହାଯାଉଛି। ଏଠାରେ ସ୍ମରଣୀୟ ଯେ ବିଡିଓ ନିଜ ପରିବାରର ଲୋକଙ୍କୁ ବ୍ଲକ୍‌ର ଠିକାକାମ ଦେଉଛନ୍ତି ବୋଲି ପୂର୍ବେ ଅଭିଯୋଗ ହୋଇଥିଲା। ଏହାର ଉତ୍ତରରେ ତାଙ୍କ ପରିବାର କୌଣସି ଲୋକ କୋଇଡ଼ା ବ୍ଲକ୍‌ରେ ଠିକାକାମ କରୁ ନାହାନ୍ତି ବୋଲି ବିଡିଓ ଦାବି କରିଥିଲେ। ବିଡ଼ିଓ ନିଜ ବାପା ଓ ଭାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବାବେଳେ ମାଡ଼​ରେ ମୁଣ୍ଡ ଫାଟିଥିଲେ ହେଁ ସହକାରୀ ଯନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରି ନାହାନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖନୀୟ କଥା ହେଉଛି, କୋଇଡ଼ା ବିଡ଼ିଓଙ୍କ ସ୍ବାମୀ ମଧ୍ୟ ଜଣେ ଓଏଏସ୍ ଅଧିକାରୀ। ଏହି ଘଟଣା ସଂପର୍କ​ରେ ତାଙ୍କୁ ଆମ ପ୍ରତିନିଧି ଟେଲିଫୋନ ଯୋଗେ ପଚାରିବାରୁ ସେ ଏ ବିଷୟରେ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇଥିଲେ ତଥା ଗତ ଦେଢ଼ବର୍ଷ ଧରି ପତି ଓ ପତ୍ନୀ କୌଣସି ପ୍ରକାର ଯୋଗଯୋଗରେ ନଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe