କୋଇଡ଼ାର ଆଉ ଦୁଇ ଖଣି ନିଲାମ ପାଇଁ ବିଜ୍ଞପ୍ତି

Advertisment
କୋଇଡ଼ାର ଆଉ ଦୁଇ ଖଣି ନିଲାମ ପାଇଁ ବିଜ୍ଞପ୍ତି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳର ଦୁଇଟି ଲୁହାପଥର ଖଣି ସମେତ କେନ୍ଦୁଝର, ବରଗଡ଼ ଓ ମାଲକାନଗିରିର ଗୋଟିଏ ଲେଖାଏଁ ଚୂନପଥର ଖଣିର ଇ-ନିଲାମ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ଵାନ କରିଛନ୍ତି। ନିଲାମ ବିଜ୍ଞପ୍ତିରେ ସ୍ଥାନ ପାଇଥିବା କୋଇଡ଼ା ମଣ୍ଡଳର ଚାନ୍ଦିପୋଷି ଖଣିରେ ୩ କୋଟି ୫୮ ଲକ୍ଷ ୩୦ ହଜାର ଟନ୍‌ ଓ ପୁରେଇବାହାଲ ଖଣିରେ ୪ କୋଟି ୪୦ ଲକ୍ଷ ୪୦ ହଜାର ଟନ୍‌ ଲୁହାପଥର ଗଚ୍ଛିତ ଥିବା ବୈଷୟିକ ଆକଳନରୁ ଜଣାପଡ଼ିଛି। ଚୂନପଥର ଖଣି ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗଡ଼ମୁରା ଖଣିରେ ୩୮ ଲକ୍ଷ ୮୦ ହଜାର ଟନ୍‌, ବରଗଡ଼ ଜିଲ୍ଲା ବେହେରା ବାଞ୍ଜିପଲି ଖଣିରେ ୪୩ ଲକ୍ଷ ୬୦ ହଜାର ଟନ୍‌ ଓ ମାଲକାନଗିରି ଜିଲ୍ଲା ଉସ୍‌କାଲଭାଗୁ ଖଣିରେ ୧୮ କୋଟି ୯୫ ଲକ୍ଷ ୨୦ ହଜାର ଟନ୍‌ ଖଣିଜ ଗଚ୍ଛିତ ଅଛି। କେବଳ ଉସ୍‌କାଲଭାଗୁ ଚୂନପଥର ଖଣିକୁ ବାଦ ଦେଲେ ଅନ୍ୟ ୪ଟି ଖଣି କାର୍ଯ୍ୟକ୍ଷମ ସ୍ତର (ଜି-୨)ରେ ଥିବାରୁ ନିଲାମ ପ୍ରକ୍ରିୟା ଓ ବୈଧାନିକ ଅନୁମତି ପ୍ରାପ୍ତି ହେବା ମାତ୍ରେ ସେଗୁଡ଼ିକରେ ଖଣି କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଟେଣ୍ଡର ଦଲିଲ୍‌ କିଣିବା ପାଇଁ ଆସନ୍ତା ଏପ୍ରିଲ୍‌ ୯କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ତାହାକୁ ଦାଖଲ କରିବାର ଶେଷ ଦିବସ ଏପ୍ରିଲ୍‌ ୧୬। ମେ’ ୪ ତାରିଖରେ ସଫଳ ନିଲାମ ଗ୍ରହୀତାଙ୍କ ନାମ ପ୍ରକାଶ ପାଇବ। ଜୁନ ୧୧ ସୁଦ୍ଧା ଲିଜ୍‌ ଚୁକ୍ତି ସ୍ୱାକ୍ଷର ପାଇଁ ସେମାନଙ୍କୁ ସମ୍ମତି ପତ୍ର ମିଳିବ। ଉପରୋକ୍ତ ୫ଟି ଖଣିର ନିଲାମ ସଫଳ ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାୟ ୪୦ ହଜାର କୋଟି ଟଙ୍କାର ରାଜସ୍ୱ ପାଇବେ। ଉଲ୍ଲେଖଯୋଗ୍ୟ, ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ-୨୦୧୫ ପ୍ରଣୟନ ପରେ ନୂଆ ଖଣିଜ ନିଲାମ ନିୟମ ଆଧାରରେ କୋଇଡ଼ା ଖଣି ମଣ୍ଡଳର ୩ଟି ଲୁହାପଥର ଖଣି, ଯୋଡ଼ା ମଣ୍ଡଳର ଗୋଟିଏ ମାଙ୍ଗାନିଜ ଖଣି ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଚୂନପଥର ଖଣିର ନିଲାମ ହୋଇସାରିଛି। ଏସାର ଷ୍ଟିଲ୍‌, ଭୁଷଣ ଷ୍ଟିଲ୍‌ ଓ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌ ଲିଃ ଗୋଟିଏ ଲେଖାଏଁ ଲୁହାପଥର ଖଣିର ନିଲାମ ପାଇଥିବା ବେଳେ ଏକମାତ୍ର ମାଙ୍ଗାନିଜ ଖଣିର ନିଲାମ ପାଇଛି ତ୍ରିବେଣୀ ଆର୍ଥ ମୁଭର୍ସ। ସେହିପରି ଡାଲମିଆ ସିମେଣ୍ଟ ଏକମାତ୍ର ଚୂନପଥର ଖଣି ନିଲାମ ନେବାରେ ସକ୍ଷମ ହୋଇଛି। ଏହି ୫ଟି ଖଣିର ନିଲାମରୁ ସରକାର ୪୧,୭୮୨ କୋଟି ରାଜସ୍ୱ ପାଇବେ ବୋଲି ଆକଳନ କରାଯାଇଛି।

ଅନ୍ୟ ପକ୍ଷରେ ଆଗାମୀ ୨୦୨୦ ମାର୍ଚ୍ଚ ୩୧ରେ ପରିବର୍ଦ୍ଧିତ ଲିଜ୍‌ ମିଆଦ ଶେଷ ହେଉଥିବା ରାଜ୍ୟର ୩୨ଟି ଖଣିର ନିଲାମ ପ୍ରକ୍ରିୟା ୨୦୧୯ ମଧ୍ୟରେ ଶେଷ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ଖଣିର ୬ ମାସିଆ ଉତ୍ତୋଳନ ରିପୋର୍ଟ ଅନୁଧ୍ୟାନ କରିବା ସହ ସ୍ଥିତି ସମ୍ପର୍କରେ ନିୟମିତ ରିପୋର୍ଟ ଦେବାକୁ ସରକାର ଏକ କମିଟି ଗଠନ କରିଛନ୍ତି। ଲିଜ୍‌ ମିଆଦ ଶେଷ ହେବା ବେଳକୁ ଏସବୁ ଖଣି ଯେପରି କାର୍ଯ୍ୟକ୍ଷମ ସ୍ତର (ଜି-୨ ଲେଭଲ୍‌)ରେ ଥାଏ, ସେଥିପ୍ରତି ଏହି କମିଟି ନଜର ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe