ଆଜିଠୁ କୋଇଲିଘୁଘରର ପ୍ରସିଦ୍ଧ ମହାଶିବରାତ୍ରି ଜାଗର ମେଳା

ଆଜିଠୁ କୋଇଲିଘୁଘରର ପ୍ରସିଦ୍ଧ ମହାଶିବରାତ୍ରି ଜାଗର ମେଳା

ଲଖନପୁର : ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋଇଲିଘୁଘରର ପ୍ରସିଦ୍ଧ ମହାଶିବରାତ୍ରି ଜାଗର ମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏହା ରବିବାର ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ଥିବାରୁ କୋଇଲିଘୁଘର ବିକାଶ ପରିଷଦ, ପୁଲିସ ପ୍ରଶାସନ ଓ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକ ସମରବଗା ପଞ୍ଚାୟତର କୁଟୁରାପାଲି ଗାଁ ନିକଟରେ ରହିଛି କୋଇଲିଘୁଘର। ଏଠି ବୋହି ଯାଉଥିବା ପ୍ରାକୃତିକ ଝରଣାର ପଥର ସନ୍ଦିରେ କେଉଁ କାଳରୁ ସ୍ୱୟଂ ଆବିର୍ଭୂତ ‘ଶିବଲିଙ୍ଗ’ଙ୍କ ଦର୍ଶନ ପାଇଁ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ବର୍ଷସାରା ଅଗଣିତ ଭକ୍ତ ଏଠାକୁ ଆସିଥାନ୍ତି। ତେବେ ମହାଶିବରାତ୍ରି ସମୟରେ ପ୍ରତିବର୍ଷ ଏଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଜାଗର ମେଳାରେ ଲକ୍ଷାଧିକ ଭକ୍ତ ଏହି ଶୈବପୀଠକୁ ଆସି ‘ଶିବଲିଙ୍ଗ’ରେ ପୂଜାର୍ଚ୍ଚନା କରି ପାଣି ଢାଳିଥାନ୍ତି। କିଛି ବର୍ଷ ପୂର୍ବରୁ ଏଠାରେ ନିର୍ମିତ ଶିବ ମନ୍ଦିରରେ ଭଗବାନ ନନ୍ଦୀ ଓ ଶିବ ଲିଙ୍ଗ ସ୍ଥାପନ କରାଯାଇ ପ୍ରତିଦିନ ପୂଜାର୍ଚ୍ଚନା ହୋଇଆସୁଛି। ଛୁଇଁଖାଞ୍ଚ ପରିବାରର ବର୍ତ୍ତମାନ ପୂଜକ ପ୍ରେମାନନ୍ଦ ଭୟର ବିଗତ ୪୫ ବର୍ଷ ଧରି ଏଠି ପୂଜାର୍ଚ୍ଚନା କରି ଆସୁଛନ୍ତି।

ଲକ୍ଷ୍ମୀନାରାୟଣଙ୍କ ଏକ ଭବ୍ୟ ମନ୍ଦିର ମଧ୍ୟ ଏଠାରେ ରହିଛି। ଏହି ଶୈବପୀଠରେ ଥିବା ଜଳପ୍ରପାତ ଓ ଗଭୀର ଜଳାଶୟର ମନୋରମ ଦୃଶ୍ୟ, ଓଁ ଶବ୍ଦ ଶୁଣି ଏଠିକାର ସୁନ୍ଦର କୁଡୋ ମାଛ ଗୁଡ଼ିକ ଖାଦ୍ୟ ଖାଇବାକୁ ଜଳ ଉପରକୁ ବାହାରିବା, ପାତିମାଙ୍କଡ଼ ଓ ବଣୁଆ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ଯୋଗୁଁ କୋଇଲିଘୁଘର ପର୍ଯ୍ୟଟନସ୍ଥଳୀକୁ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବର୍ଷସାରା ଶହ ଶହ ପର୍ଯ୍ୟଟକ ବୁଲିବାକୁ ଓ ବଣଭୋଜି ପାଇଁ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଓ ଶୃଙ୍ଖଳିତ ପରିଚାଳନା ପାଇଁ ବିଗତ ଦୁଇ ଦଶନ୍ଧିରୁ କୋଇଲିଘୁଘର ବିକାଶ ପରିଷଦ ଗଠନ କରାଯାଇ ଏହି ସ୍ଥାନର ସ୍ଵଛତା, ଗାଡ଼ିମଟର ପାର୍କିଂ ଏବଂ ବିଭିନ୍ନ ମେଳା ଓ ବଣଭୋଜି ସମୟରେ ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ଆଦି ପରିଚାଳନା କରାଯାଉଛି। ଏହି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିଲ୍ଲା ପ୍ରଶାସନ, ବ୍ଲକ୍‌ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe