କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

Advertisment
କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

India Whispers

ଭୁବନେଶ୍ବର : କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଛି ଚଳଚ୍ଚିତ୍ର ‘ପାଟଣାଗଡ଼’। ପୀଡ଼ିତଙ୍କ ପରିବାରର ଲିଗାଲ ନୋଟିସ୍‌ ପରେ ସ୍କ୍ରିନିଂରୁ ଫିଲ୍ମଟି ବାଦ ପଡିଛି। ସମଗ୍ର ଦେଶରେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ୨୫ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା। ଏହି ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତାଠାରେ ଆୟୋଜିତ ହେବ। ତେବେ ଲିଗାଲ ନୋଟିସ ପରେ ଏହି ଫିଲ୍ମକୁ ସ୍କ୍ରିନିଙ୍ଗ କରାଯିବାରୁ ବାଦ ଦିଆଯାଇଥିଲା। ଓଡ଼ିଆ, ହିନ୍ଦୀ ଓ ତେଲଗୁ- ଏକକାଳୀନ ତିନିଟି ଭାଷାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ଆସନ୍ତା ନଭେମ୍ବର ୮ ତାରିଖରେ ରିଲିଜ୍‌ ହେବ। ତେବେ ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ସୌମ୍ୟ ଶେଖର ସାହୁଙ୍କ ପରିବାର ବର୍ଗ ଏହି ଚଳଚ୍ଚିତ୍ରର ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା ଓ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭରଙ୍କ ବିରୋଧରେ ଲିଗାଲ ନୋଟିସ ପଠାଇଥିଲେ। ପରିବାରବର୍ଗ ଦର୍ଶାଇଥିଲେ ଥିଲେ ଯେ ଏହି ଚଳଚ୍ଚିତ୍ରର ନିର୍ମାଣ ବାବଦରେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କେହି ହେଲେ ସେମାନଙ୍କୁ ଅବଗତ କରାଇ ନାହାନ୍ତି। ଏଥିସହ ଚଳଚ୍ଚିତ୍ରରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଷଡ଼୍‍ଯନ୍ତ୍ରକାରୀ ପୁଞ୍ଜିଲାଲ ମେହେରଙ୍କୁ ‘ହିରୋ’ କରି ଦର୍ଶାଯାଇଥିବାରୁ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଇବ।

ଉଲ୍ଲେଖଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ସଦ୍ୟ ବିବାହିତ ସୌମ୍ୟ ଶେଖର ତାଙ୍କ ଘରକୁ କୋରିୟରରେ ଆସିଥିବା ଏକ ପାର୍ଶଲକୁ ଖୋଲୁଥିବା ବେଳେ ସେଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ ଜେମାମଣିଙ୍କର ପରଲୋକ ହୋଇ ଯାଇଥିବା ବେଳେ ସୌମ୍ୟ ଶେଖରଙ୍କ ନବ ବିବାହିତା ପତ୍ନୀ ରିମାରାଣୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ପରେ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏହି ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ସେହି କଲେଜରେ ଅଧ୍ୟକ୍ଷ ଥିବା ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ଉପରେ ଥିବା ପୂର୍ବ ଆକ୍ରୋଶ ପାଇଁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ଏହି ଷଡଯନ୍ତ୍ର ରଚନା କରିଥିବା ତଦନ୍ତରୁ ଜଣା ପଡ଼ିଥିଲା। ୮ ତାରିଖରେ ରିଲିଜ୍‌ ହେବାକୁ ଥିବା ଏହି ଚର୍ଚ୍ଚିତ ଚଳଚ୍ଚିତ୍ର ‘ପାଟଣାଗଡ଼’ରେ ଲୋକପ୍ରିୟ ଓଡ଼ିଆ ଓ ଦକ୍ଷିଣୀ ଅଭିନେତା ମନୋଜ ମିଶ୍ର ଅଧ୍ୟାପକ ପୁଞ୍ଜିଲାଲ ଚରିତ୍ରରେ ଅଭିନୟ କରିଥିବା ବେଳେ ବଲିଉଡ୍‌ କଳାକାର ଅତୁଲ କୁଲକର୍ଣ୍ଣୀ ଓ ୟଶପାଲ ଶର୍ମା, ତେଲଗୁ ନାୟକ ଥାଙ୍କେଲା ଭାରାଣି ଏବଂ ଓଡ଼ିଆ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଅନୁ ଚୌଧୁରୀ ଅନ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe