ମୁକୁଳୁଛି କୋଣାର୍କ : ୧୬ ବର୍ଷ ପରେ ଲୌହଶୃଙ୍ଖଳରୁ ମୁକ୍ତ ହେଉଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର

Advertisment
ମୁକୁଳୁଛି କୋଣାର୍କ : ୧୬ ବର୍ଷ ପରେ ଲୌହଶୃଙ୍ଖଳରୁ ମୁକ୍ତ ହେଉଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ୧୬ ବର୍ଷ ପରେ ଲୌହଶୃଙ୍ଖଳରୁ ମୁକ୍ତ ହୋଇଛି। ଦୀର୍ଘ ବର୍ଷର ଦାବି, ଆନ୍ଦୋଳନ, ଆମିକସ୍‌ କ୍ୟୁରିଙ୍କ ନିଯୁକ୍ତି ଓ ଅଦାଲତଙ୍କ ନିର୍ଦ୍ଦେଶ ପରେ ମନ୍ଦିରରୁ ଲୁହାପାଇପ ଖୋଲା ଯିବା କାର୍ଯ୍ୟ ଜାରି ରହିଛି। ଡିସେମ୍ବର ୨୩ ତାରିଖରୁ ଲୁହା ପାଇପ୍‌ ଖୋଲାଯିବା କାର୍ଯ୍ୟ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ମନ୍ଦିରର ୬୦ ଭାଗ ଲୌହଶୃଙ୍ଖଳରୁ ମୁକ୍ତ ହେଲାଣି।

ସୂର୍ଯ୍ୟମନ୍ଦିର ଲୌହଶୃଙ୍ଖଳରେ ବନ୍ଧା ହୋଇ ରହିବା, ମନ୍ଦିରରେ ଅସରାଏ ବର୍ଷାରେ ବର୍ଷାପାଣି ଜମି ରହିବା ଓ ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଅପସାରଣ କରାଯାଇ ସାଧା ପଥର ଲଗାଯିବାକୁ ନେଇ ୨୦୧୮ ନଭେମ୍ବର ମାସ‌ରୁ ‘ସମ୍ବାଦ’ରେ ଲଗାତାର ରିପୋର୍ଟ ପ୍ରକାଶିତ ହୋଇଆସୁଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିଥିଲେ। ‘ସମ୍ବାଦ’ର ପ୍ରକାଶିତ ରିପୋର୍ଟର ସତ୍ୟାସତ୍ୟ ପରଖିବାକୁ ୨୦୧୮ ନଭେମ୍ବର ୨୧ ତାରିଖରେ ଏଏସ୍‌ଆଇର ଏଡିଜି ମନ୍ଦିର ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଗତବର୍ଷ ଏପ୍ରିଲ ୭ ତାରିଖରେ ଏଏସ୍‌ଆଇର ଡିଜି ମଧ୍ୟ ମନ୍ଦିର ପରିଦର୍ଶନ କରିଥିଲେ।

publive-image

ଗତ ‘ଫନି’ ବାତ୍ୟା ପରେ ମନ୍ଦିରର ବିଗୁଡ଼ୁଥିବା ଅବସ୍ଥାକୁ ନେଇ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ନ୍ୟାୟାଳୟର ଆଶ୍ରୟ ନେବା ଓ ବାରମ୍ବାର ଅଭିଯୋଗ ପରେ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ଆମିକସ୍‌ କ୍ୟୁରି ନିଯୁକ୍ତ ହୋଇଛନ୍ତି। ଆମିକସ କ୍ୟୁରି ମନ୍ଦିରର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ। ଗତ କିଛିଦିନ ପୂର୍ବେ ଏଏସ୍‌ଆଇର ଡିଜିଙ୍କ ସମେତ ବରିଷ୍ଠ ପଦାଧିକାରୀ ହାଇକୋର୍ଟରେ ନିଜର ପକ୍ଷ ରଖିଥିଲେ। ଏହା ପରେ ମନ୍ଦିରରୁ ଲୁହା ପାଇପ୍‌ ଖୋଲାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଦ୍ୟାବଧି ୬୦ ପ୍ରତିଶତ ଲୁହାଭାରା ଖୋଲା ସରିଛି।

ଏହି ଲୁହାଭାରା ମନ୍ଦିରେ ୨୦୦୪ ମସିହାରେ ଲଗାଯାଇଥିଲା। ଅନ୍ୟପକ୍ଷରେ ନିୟମିତ ବ୍ୟବଧାନରେ ସିବିଆର୍‌ଆଇ ବିଶେଷଜ୍ଞ ମନ୍ଦରର ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ବର୍ତ୍ତମାନ ଲୁଣା ପବନରୁ ମନ୍ଦିରକୁ ସୁରକ୍ଷିତ ରଖିବାକୁ କେମିକାଲ ପ୍ରଲେପ କାର୍ଯ୍ୟ ଜାରି ରହିଛି।

‘ସମ୍ବାଦ’ରେ ପ୍ରକାଶିତ ରି ପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମନ୍ଦିରର ସ୍ଥିତିକୁ ନେଇ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ , ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଏ ସଂପର୍କରେ ବୈଠକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe