ଆଜିଠାରୁ କୋଣାର୍କ ଉତ୍ସବ

Advertisment
ଆଜିଠାରୁ କୋଣାର୍କ ଉତ୍ସବ

କୋଣାର୍କ : ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବକୁ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ଉତ୍ସବସ୍ଥଳରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ, ସଚିବ, ପ୍ରଶାସନିକ ଅଧିକାରୀ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେବେ ବୋଲି ଜଣାପଡ଼ିଛି।

ଏହି ଉତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାରଥୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ମୁକ୍ତାକାଶ ରଙ୍ଗମଞ୍ଚକୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବାବେଳେ ରଙ୍ଗବେରଙ୍ଗର ଆଲୋକମାଳାରେ ଅର୍କକ୍ଷେତ୍ର କୋଣାର୍କ ଝଲସି ଉଠିଛି। ଚଳିତବର୍ଷ ପ୍ରସ୍ତୁତିର ଅନ୍ତିମ ଦିବସରେ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଏସ୍‌ପି କେ ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଓଟିଡିସିର ବରିଷ୍ଠ ବିତ୍ତ ଅଧିକାରୀ ପି କେ ଚାନ୍ଦ, ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସଡର୍‌ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀର ଶେଷ ପ୍ରସ୍ତୁତି ତଦାରଖ କରିଛନ୍ତି।

ମୁକ୍ତାକାଶ ରଙ୍ଗମଞ୍ଚର ଦର୍ଶକ ଗ୍ୟାଲେରିରେ ସବୁବର୍ଷ ୨ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଥାଏ। ମାତ୍ର ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦର୍ଶକ ଓ ପର୍ଯ୍ୟଟକ ମାନେ ତିନି ଫୁଟ ଦୂରତାରେ ବସିବେ। ସଂପୃର୍ଣ୍ଣ ଗ୍ୟାଲେରିର‌ ମାତ୍ର ଏକତୃତୀୟାଂଶରେ ଦର୍ଶକ ବସିବେ। ଚଳିତବର୍ଷ ପାସ୍‌ ସଂଖ୍ୟାକୁ ମଧ୍ୟ ସୀମିତ କରାଯାଇଛି। ପର୍ଯ୍ୟଟକମାନେ ଟିକେଟ କରି ଏହି ଉତ୍ସବ ଦେଖିପାରିବେ। ମାତ୍ର କରୋନାକୁ ଦୃଷ୍ଟିରେ ରଖି ଟିକେଟ ସଂଖ୍ୟା ମଧ୍ୟ ସୀମିତ କରାଯାଇଛି। ସେହିଭଳି ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶଯ୍ୟା ମଧ୍ୟ ବାଲୁକାଶିଳ୍ପୀଙ୍କ ହାତ ସ୍ପର୍ଶ ଅପେକ୍ଷାରେ ରହିଛି। ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ବାଲୁକାକଳା ପରିଦର୍ଶନ ପାଇଁ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ପ୍ରଦର୍ଶନୀରେ ମାତ୍ର ୩୦ଟି ଷ୍ଟଲ୍‌ କରାଯାଇଛି। ଏଥିରେ ମାତ୍ର ଦୁଇଜଣ ବିଦେଶୀ ଶିଳ୍ପୀ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe