ଆଜିଠୁ କୋଣାର୍କ ଉତ୍ସବ, ଗ୍ୟାଲେରିରେ ବସିବେ ୫ଶହ ଦର୍ଶକ

Advertisment
ଆନ୍ତର୍ଜାତିକ କୋଣାର୍କ ଉତ୍ସବ ୧ରୁ

ଭୁବନେଶ୍ୱର/କୋଣାର୍କ : କରୋନା କଷଣର ଆଠ ମାସ ପରେ ପୁଣି ଝଲସିବ ରଙ୍ଗମଞ୍ଚ। କୋଣାର୍କ ନୃତ୍ୟ ଉତ୍ସବର ପରଦା ଖୋଲିବା ସହ ନୃତ୍ୟରେ ବିଭୋର୍‌ ହେବେ ରସିକ ଦର୍ଶକ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହେବ ଏହି ଉତ୍ସବ। ଉତ୍ସବରେ ଓଡ଼ିଶୀ ନୃତ୍ୟ ସମେତ ଭାରତନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଓ କଥକ ଦଳଗତ ନୃତ୍ୟ ପରିବେଷଣ ହେବ। ଦେଶର ପ୍ରଥିତଯଶା ନୃତ୍ୟଶିଳ୍ପୀମାନେ ଏହି ମୁକ୍ତ ମଞ୍ଚରେ ନୃତ୍ୟ ପରଷି‌ବେ। ଉତ୍ସବ ଆୟୋଜନ ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଚିବ ବିଶାଲ ଦେବ, ନିର୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି। ଦର୍ଶକ ଗ୍ୟାଲେରିରେ ୨ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଉଥିବା ବ‌େଳେ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସିଟ୍‌ ମଧ୍ୟରେ ୩ ଫୁଟ ଦୂରତା ରକ୍ଷା କରି ବସିବା ବ୍ୟବସ୍ଥା କରାଯାଇଛି। ତେଣୁ ଚଳିତ ବର୍ଷ ଦର୍ଶକ ଗ୍ୟାଲେରିରେ ୫ଶହ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତେଣୁ ଚଳିତ ବର୍ଷ ଟିକେଟ୍‌ ସଂଖ୍ୟା ଓ ପାସ୍‌ ସଂଖ୍ୟା ହ୍ରାସ କରାଯାଇଛି।

publive-image

ସଂଧ୍ୟାରେ ନୃତ୍ୟ ଉପଭୋଗ ସହ କୋଣାର୍କ ସୂର୍ଯ୍ୟମନ୍ଦିରରୁ ୩ କିଲୋମିଟର ଦୂରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୨୫ଟି ଷ୍ଟଲ୍‌ରେ ବାଲୁକା କଳା ଦେଖିବାକୁ ମିଳିବ। ଏଥିରେ ଓଡ଼ିଶା ସମେତ ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗରୁ ୭୦ ଜଣ ବାଲୁକା କଳା ଶିଳ୍ପୀ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିବେ। ୨୦ଜଣ ମହିଳା ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଦର୍ଶକଙ୍କ ପ୍ରବେଶ, ସାମାଜିକ ଦୂରତ୍ବ, ସାନିଟାଇଜେସନ୍‌ ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe