କୋଣାର୍କ: ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ରବିବାର ଉଦ୍ଘାଟିତ ହୋଇଛି। ପାଞ୍ଚ ଦିବସୀୟ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍ଘାଟନ କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା ୩୦ତମ କୋଣାର୍କ ଉତ୍ସବ ଡିସେମ୍ବର ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂର୍ଯ୍ୟମନ୍ଦିର ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶିତ କରିବେ। ନୃତ୍ୟଶିଳ୍ପୀମାନଙ୍କ ନୁପୁରର ନିକ୍ୱଣରେ ପ୍ରତିଧ୍ୱନିତ ହେବ ମୁକ୍ତକାଶ ରଙ୍ଗମଞ୍ଚ। ଏହି ଉତ୍ସବ ପାଇଁ ରଙ୍ଗବେରଙ୍ଗର ଆଲୋକମାଳାରେ କୋଣାର୍କ ଝଲସି ଉଠିଛି।
କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ। କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି। ସେହିପରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଆଜି ସନ୍ଧ୍ୟାରେ ବାଳୁକା କଳା ପ୍ରଦର୍ଶନୀକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି।
Follow Us