କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ: ଟିକେଟ୍‌ ଦୌଡ଼ରେ ଡଜନେ ନେତା

Advertisment
ଗାଁ ମୁହଁା ନେତା: ୫ ପଞ୍ଚାୟତ ଉପରେ ପ୍ରାର୍ଥୀଙ୍କ ନଜର

NewsClick

କୋରାପୁଟ: ଆରମ୍ଭ ହେଲାଣି ନେତାଙ୍କ ଭିତରେ ଛକାପଞ୍ଝା। ଦଳ ଭିତରେ ପତିଆରା ଦେଖାଇବା ପାଇଁ ଛୋଟରୁ ‌ଛୋଟ ସୁଯୋଗକୁ ବି ଛାଡ଼ୁନାହାନ୍ତି। ନିଜ ସାମର୍ଥ୍ୟ ଅନୁସାରେ କରୁଛନ୍ତି ଶକ୍ତି ପ୍ରଦର୍ଶନ। କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯୁବ ଓ ବରିଷ୍ଠ ବିଜେଡି ନେତାଙ୍କ ଏମିତି ହାବଭାବ କେବଳ ଟିକେଟ୍‌ ପାଇଁ। ଯାହା ରୋଚକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗକୁ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବ୍ୟଥାର ସଂକେତ ଦେଉଛି। ୨୦୦୦ ଓ ୨୦୦୪ରେ କ୍ରମାଗତ ପରାଜୟ ପରେ ୨୦୦୯ ମସିହାରେ କୋରାପୁଟ ବିଧାନସଭା ଆସନରେ ଖାତା ଖୋଲିଥିବା ବିଜେଡି। କିନ୍ତୁ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ ଦଳ ପାଇଁ ମହଙ୍ଗା ପଡ଼ିଥିଲା। ପୂର୍ବ ନିର୍ବାଚନର ଅନୁଭୂତି ଯୋଗୁଁ ୨୦୧୯ ନିର୍ବାଚନରେ ରଘୁରାମ ପଡାଲଙ୍କୁ ରିପିଟ୍‌ କରିଥିଲା ବିଜେଡି। କିନ୍ତୁ ଆଗାମୀ ନିର୍ବାଚନ ପୂର୍ବରୁ ଡଜନେ ନେତା ଟିକେଟ୍‌ ଦୌଡ଼କୁ ଓହ୍ଲାଇବା ଫଳରେ ଦଳ ଭିତରେ ଗୋଳମାଳିଆ ସ୍ଥିତି ସୃଷ୍ଟି କରିଛି। ଦଳ କାହାକୁ ଟିକେଟ୍‌ ଦେବ ସ୍ପଷ୍ଟ କରୁନଥିବା ବେଳେ ଲଢ଼ିବା ପାଇଁ ପ୍ରସ୍ତୁତି କରିବାକୁ କୌଣସି ନେତାଙ୍କୁ ସବୁଜ ସଂକେତ ବି ଦେଉନି। ଏମିତି ସ୍ଥିତିରେ ତୃତୀୟ ଥର ଲଢ଼ିବାକୁ ଆଗଭର ହୋଇଛନ୍ତି ବିଧାୟକ ରଘୁରାମ ପୋଡାଲ। ତେବେ ରଘୁରାମଙ୍କୁ ଏତେ ସହଜରେ ବାଟ ଛାଡ଼ିବାକୁ ଚାହୁନାହାନ୍ତି ଦଳର ଅନେକ ଯୁବ ତଥା ଅଭିଜ୍ଞ ନେତା। ତେଣୁ ନିଜ ସମର୍ଥକଙ୍କୁ ନେଇ ଦଳର ବରିଷ୍ଠ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ତତ୍ପର ରହିଛନ୍ତି।

ଯେଉଁ ତଥାକଥିତ ଆଶାୟୀ ତାଲିକା କଥା ଦଳ ଭିତରେ ଚର୍ଚ୍ଚା ହେଉଛି ସେଥିରେ ସର୍ବାଗ୍ରେ ରହିଛନ୍ତି କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ। ସେହିପରି ଯୁବ ବ୍ୟବସାୟୀ ତଥା ସମାଜସେବୀ ଟି. କିରଣ କୁମାର ସୁଯୋଗ ମିଳିଲେ ନିଶ୍ଚିତ ଲଢ଼ିବେ ବୋଲି ତାଙ୍କ ସମର୍ଥକ କହିଛନ୍ତି। ଏହାବ୍ୟତୀତ ବରିଷ୍ଠ ତଥା ଅଭିଜ୍ଞ ନେତା ଭାବେ ତ୍ରିନାଥ ପାତିକା, ମହେନ୍ଦ୍ର ଟାକିରି, ଆଦିତ୍ୟ ହନ୍ତାଳ, ନାର୍ସୁଲ କାମୁଡି ଓ ଡମ୍ବରୁ ନାୟକଙ୍କ ଭଳି ନେତା ମଧ୍ୟ ସୁଯୋଗକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ କିଛି ନୂଆ ମୁହଁ ମଧ୍ୟ ପୁରୁଣା ସଂପର୍କକୁ ଆଧାର କରି ଲବି ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe