କୋରାପୁଟ କଫିକୁ କରୋନା ପାହାର: ଅମଳ ସରିଛି, ବିକ୍ରି ହେଇ ପାରୁନି, ପଡ଼ି ରହିଛି ୫୫୦ ମେଟ୍ରିକ ଟନ କଫି ମଂଜି

Advertisment

ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି କ୍ଷୁଦ୍ର ଚାଷୀ

ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି କ୍ଷୁଦ୍ର ଚାଷୀ

କୋରାପୁଟ କଫିକୁ କରୋନା ପାହାର: ଅମଳ ସରିଛି, ବିକ୍ରି ହେଇ ପାରୁନି, ପଡ଼ି ରହିଛି ୫୫୦ ମେଟ୍ରିକ ଟନ କଫି ମଂଜି

କୋରାପୁଟ (ପତିତପାବନ ସାହୁ): ନାଁ କରି ଆସୁଥିଲା କୋରାପୁଟ କଫି। ସାରା ଭାରତରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ପାଗ ଭିଡିଥିଲା। କିନ୍ତୁ ମୁଣ୍ଡ ଟେକିବା ବେଳକୁ ଅଣ୍ଟାରେ ପଡିଛି କରୋନା ପାହାର। ଫଳରେ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି କୋରାପୁଟ କଫିର ଭବିଷ୍ୟତ। ଲକଡାଉନ କଟକଣା ପାଇଁ ଜିଲ୍ଲାର କଫି ବାହାରକୁ ରପ୍ତାନୀ ହୋଇ ପାରୁନି। ଅମଳ ଶେଷ ହୋଇଥିଲାବେଳେ ଏହାକୁ ବିକି ନ ପାରି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କିଛି ଛୋଟ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଅଧା ଦରରେ କଫି ମଂଜି ଦଲାଲଙ୍କୁ ବିକୁଛନ୍ତି।

କଫି ଚାଷ ପାଇଁ କୋରାପୁଟର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାକାର ଥଣ୍ଡା ଜଳବାୟୁ ପାଇଁ କଫି ଚାଷ ଭଲ ହୋଇଥାଏ। ସ୍ବାଧୀନତା ପୂର୍ବରୁ କୋରାପୁଟ ଜିଲ୍ଲାରେ କଫି ଚାଷ ହେଉଥିଲାବେଳେ କୋରାପୁଟ ଜିଲ୍ଲାରେ ୧,୪୫,୧୭୦ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ରହିଛି। ଜିଲ୍ଲାର ସେମିଳିଗୁଡା, ନନ୍ଦପୁର, ପଟାଙ୍ଗୀ, ଦଶମନ୍ତପୁର, କୋରାପୁଟ, ଲମତାପୁଟ ଓ ଲକ୍ଷ୍ମୀପୁର ଆଦି ବ୍ଲକରେ ଏବେ ପାଖାପାଖି ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଛି। ସରକାରୀ ଓ ଘରୋଇଙ୍କୁ ମିଶାଇ ଜିଲ୍ଲାରେ ଏବେ ୩୧୬୧ଜଣ ଚାଷୀ ରହିଛନ୍ତି। ଏମିତିରେ କୋରାପୁଟରୁ ଏବେ ବର୍ଷକୁ ପ୍ରାୟ ୫୫୦ ମେଟ୍ରିକ ଟନ କଫି ମଂଜି ଉତ୍ପାଦନ କରାଯାଉଛି। ଗତ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଏହି କଫି ଅମଳ ହେବ‌େ ପରେ ବିକ୍ରି କରିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା। କିନ୍ତୁ ଏହି ସମୟରେ କରୋନା ପାଇଁ ସାରା ଦେଶକୁ ଲକଡାଉନ କରି ଦିଆଯାଇଥିଲା। ଫଳରେ ଆଉ କଫି ବିକ୍ରି ହୋଇ ପାରିଲାନି। ତେଣୁ ଜିଲ୍ଲାରେ ଏବେ ପାଖାପାଖି ୫୫୦ ମେଟ୍ରିକ ଟନ କଫି ବିକ୍ରି ନ ହୋଇ ପଡି ରହିଛି।

publive-image

କୋରାପୁଟରୁ ଏହି କଫି ମଂଜି ସାଧାରଣତଃ ଆନ୍ଧ୍ର ଓ ବେଙ୍ଗାଲୁରୁ ଯାଇଥାଏ। ସେଠାରେ କିନ୍ତୁ ସମସ୍ତ ପ୍ରକ୍ରିୟାକରଣ ୟୁନିଟ ବନ୍ଦ ରହିଥିବାରୁ ସେମାନେ କଫି ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବର୍ଷକର ପରିଶ୍ରମ ପରେ ଏବେ ଅମଳ ସମୟକୁ ଏମିତି କରୋନା ମାଡ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବଡ ବଡ ଚାଷୀମାନେ ୧୫-୨୦ ଲକ୍ଷ ଟଙ୍କାର କଫି ମଂଜି ରଖି ବସିଛନ୍ତି। ଅପରପକ୍ଷରେ ଛୋଟ ଚାଷୀମାନେ ଆଉ ବେଶୀ ଦିନ ଅପେକ୍ଷା କରି ନ ପାରି କମ୍ ଦରରେ କଫି ମଂଜି ବିକ୍ରି କରି ଦେଉଛନ୍ତି।

ଲକଡାଉନ କଟକଣା କେବେ ଉଠିବ ତାହା ଜଣା ପଡୁ ନ ଥିବାରୁ ସେମାନେ ପାଖାପାଖି ଅଧା ଦରରେ ଏହି କଫି ମଂଜି ବିକୁଛନ୍ତି। ଏବେ ଅଶୋଧିତ କଫି ମଂଜିର ଦର କିଲୋଗ୍ରାମ ପ୍ରତି ପ୍ରାୟ ୨ଶହ ଟଙ୍କା ରହିଥିଲେ ମଧ୍ୟ ସେମାନେ ୮୦ରୁ ୧୦୦ ଟଙ୍କା ଭିତରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ଫାଇଦା ନେଇ ପାଡୁଆ, ଚାଟୁଆ ଓ ଆନ୍ଧ୍ରର କିଛି ଦଲାଲ ଗାଁ ଗଣ୍ଡାରୁ ଚାଷୀଙ୍କ ପାଖରୁ ଏହି ମଂଜି ସଂଗ୍ରହ କରୁଛନ୍ତି।
ବଡ ଚାଷୀ ଓ କଫି ବ୍ୟବସାୟୀମାନେ ପ୍ରକ୍ରିୟାକରଣ ୟୁନିଟ କେବେ ସ୍ବାଭାବିକ ହେବ ତାକୁ ଅପେକ୍ଷା କରି ରହିଛନ୍ତି।

publive-image

ଅମଳ କରି ଟଙ୍କା ନ ପାଇବାରୁ ଏବେ କଫି ଚାଷୀଙ୍କ ଚିନ୍ତା ବଢି ଯାଇଛି। ପ୍ରଥମରେ ସେମାନେ କରିଥିବା ଖର୍ଚ୍ଚକୁ ଭରଣା କରି ପାରୁ ନାହାନ୍ତି। ପୁଣି ଆସନ୍ତାବର୍ଷ ପାଇଁ ଚାଷ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବାରୁ ଟଙ୍କା ଖର୍ଚ୍ଚ ବି ହେଉଛି। ଏପଟେ ଅମଳ ହୋଇଥିବା କଫି ମଂଜି ରଖିବାରେ ବି ସମସ୍ୟା ହେଲାଣି। ଏଥିନେଇ କଫି ଚାଷୀ ସୁଜୟ ପ୍ରଧାନ କୁହନ୍ତି, ବର୍ଷ ସାରା ପରିଶ୍ରମ ପରେ ମାର୍ଚ୍ଚରେ କଫି ଅମଳ ହୋଇଥିଲା। ଏହାକୁ ବିକ୍ରି କରିବା ପାଇଁ ବେଙ୍ଗାଲୁରୁର ପ୍ରକ୍ରିୟାକରଣ ୟୁନିଟ ସହ କଥାବାର୍ତ୍ତା ସରିଥିଲା। କିନ୍ତୁ କରୋନା ସବୁ ବିଗାଡିଦେଲା। କଫି ଅମଳ ହୋଇ ପଡିଛି, ଏପଟେ ଆସନ୍ତା ବର୍ଷ ଚାଷ କାମ ଆରମ୍ଭ ହୋଇଗଲାଣି। ଆର୍ଥିକ କ୍ଷତି ଭିତରେ ଏବେ କ’ଣ କରିବୁ ତାକୁ ନେଇ ଚିନ୍ତାରେ ପଡି ଯାଇଛୁ ବୋଲି ସେ କହିଛନ୍ତି। କେବଳ ସେ ଏକା ନୁହଁନ୍ତି, କୋରାପୁଟ ଜିଲ୍ଲାର ଅଧିକାଂଶ କଫି ଚାଷୀଙ୍କ ସମାନ ଅବସ୍ଥା।

ଗତ ଅକ୍ଟୋବରରେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) ଓ ଜିଲ୍ଲା ପ୍ରଶାସନ ଉଦ୍ୟମରେ କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ ବସିଥିଲା। ଏଠାରୁ କୋରାପୁଟ କଫି ନାମରେ ଏକ ବ୍ରାଣ୍ଡ ତିଆରି କରି ବିକ୍ରି ହେଉଥିଲା। ଅଳ୍ପ ଦିନ ଭିତରେ ଏହା ଦେଶବିଦେଶରେ ବେଶ ନାମ କରିଥିଲା। ଏଥର କଫି ଅମଳ ହେଲା ପରେ ଅଧିକ ପରିମାଣର କଫି ସଂଗ୍ରହ କରିବାକୁ ଟିଡିସିସି ଲକ୍ଷ୍ୟ ରଖିଥିଲା। କିନ୍ତୁ କରୋନା କଟକଣା ପାଇଁ ଏଥିରେ ବି ସମସ୍ୟା ହୋଇଛି। ଟିଡିସିସିର ଶାଖା ପରିଚାଳକ ଗଙ୍ଗାଧର ମହାନ୍ତିଙ୍କ କହିବାନୁଯାୟୀ, ଏଥର ୫ ଶହ କୁଇଣ୍ଟାଲ କଫି ମଂଜି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ କରୋନା କଟକଣା ପାଇଁ ମାତ୍ର ୨ଶହ କୁଇଣ୍ଟାଲ କଫି ମଂଜି ସଂଗ୍ରହ ହୋଇଛି।

କଟକଣା କୋହଳ ହେଲା ପରେ ଆଉ କିଛି କଫି ମଂଜି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଅପରପକ୍ଷରେ କରୋନା କଫି ବ୍ୟବସାୟୀକୁ ଗୁରୁତର କ୍ଷତି ପହଞ୍ଚାଇଥିବା ସେ କହିଛନ୍ତି। କୋରାପୁଟସ୍ଥିତ କଫି ବୋର୍ଡର ବରିଷ୍ଠ ସଂପର୍କ ଅଧିକାରୀ ଅଜିତ କୁମାର ରାଉତଙ୍କ କହିବାନୁଯାୟୀ, କୋରାପୁଟ ଜିଲ୍ଲାରୁ ବର୍ଷକୁ ପାଖାପାଖି ୫୫୦ ମେଟ୍ରିକ ଟନ କଫି ମଂଜି ଉତ୍ପାଦିତ ହୋଇଥାଏ। ସାଧାରଣତଃ ଏଠାରୁ କଫି ମଂଜି ଆନ୍ଧ୍ର ଓ କର୍ଣ୍ଣାଟକ ଯାଏ। କିନ୍ତୁ ଏଥର କରୋନା କଟକଣା ପାଇଁ ଏହା ବାହାରକୁ ଯାଇ ପାରୁ ନ ଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ଲକଡାଉନକୁ ଅପେକ୍ଷା ନ କରି କିଛି ଚାଷୀ କମ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ବଡ ଚାଷୀମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କଫି ମଂଜି ଅମଳ କରି ବିକ୍ରି କରି ପାରି ନ ଥିବାରୁ ସେମାନେ ବି କ୍ଷତି ସହୁଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe