କୋରାପୁଟ କଫି: ଦାଦନ ରୋକୁଛି, ଜୀବିକା ଯୋଗାଉଛି

Advertisment

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁରୁ ପଞ୍ଚାୟତ ଖୁଡୁବୁ ଗାଁର ହଳଧର ପାଙ୍ଗି। ଏକଦା ଜୀବିକା ନିର୍ବାହ ପାଇଁ ଆନ୍ଧ୍ରରେ ଦାଦନ ଖଟୁଥିଲେ ହଳଧର। ଭିଟାମାଟିକୁ ଫେରିବା ବେଳକୁ ମିଳୁନଥିଲା ମଜୁରି ବାବଦ ଟଙ୍କା।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁରୁ ପଞ୍ଚାୟତ ଖୁଡୁବୁ ଗାଁର ହଳଧର ପାଙ୍ଗି। ଏକଦା ଜୀବିକା ନିର୍ବାହ ପାଇଁ ଆନ୍ଧ୍ରରେ ଦାଦନ ଖଟୁଥିଲେ ହଳଧର। ଭିଟାମାଟିକୁ ଫେରିବା ବେଳକୁ ମିଳୁନଥିଲା ମଜୁରି ବାବଦ ଟଙ୍କା।

sfhfhsfhsfhs

ନବୀନ ଚନ୍ଦ୍ର ସାହୁ

ଜୟପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁରୁ ପଞ୍ଚାୟତ ଖୁଡୁବୁ ଗାଁର ହଳଧର ପାଙ୍ଗି। ଏକଦା ଜୀବିକା ନିର୍ବାହ ପାଇଁ ଆନ୍ଧ୍ରରେ ଦାଦନ ଖଟୁଥିଲେ ହଳଧର। ଭିଟାମାଟିକୁ ଫେରିବା ବେଳକୁ ମିଳୁନଥିଲା ମଜୁରି ବାବଦ ଟଙ୍କା। ପତ୍ନୀ, ପୁଅ, ଝିଅଙ୍କ ପାଇଁ ଭଲ ଖାଇବା ଓ କପଡ଼ା ଖଣ୍ଡେ ଯୋଗାଡ଼ କରିପାରୁ ନଥିଲେ। ସ୍ବଳ୍ପ ଜମିରେ ଧାନ, ମାଣ୍ଡିଆ, ପରିବା ଚାଷ କରି ଦୁଃଖକଷ୍ଟରେ ଚଳୁଥିବା ବେଳେ କଫି ଚାଷକୁ ଆପଣାଇବା ପରେ ବଦଳି ଯାଇଛି ହଳଧରଙ୍କ ସ୍ଥିତି। ଦେଢ଼ ଏକରରେ କରିଥିବା କଫି ଚାଷରୁ ବାର୍ଷିକ ୫୦ରୁ ୭୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଚାଷରୁ ବେଶ୍ ଭଲ ରୋଜଗାର କରୁଛନ୍ତି ହଳଧର। 

ହଳଧରଙ୍କ ଭଳି ଗାଁର ଶଙ୍କର ପାଙ୍ଗି, କୃଷ୍ଣ ହନ୍ତାଳ, ସୀତାରାମ ବୁରୁଡ଼ିଙ୍କ ସମେତ ୧୧୬ ପରିବାର କଫି ଚାଷରେ ମାତି ଦାଦନ ଯିବା ଭୁଲି ଯାଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ଖୁଡୁବୁ ଗାଁରୁ ଗୋଟିଏ ବି ପରିବାର ଜୀବିକା ପାଇଁ ଦାଦନ ଖଟିବାକୁ ଯାଇନାହାନ୍ତି। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପରିବାରକୁ ଜଙ୍ଗଲ ଜମି ଅଧିକାର ଆଇନରେ ଯୋଗାଇ ଦିଆଯାଇଥିବା ଦେଢ଼ ଏକର ଲେଖାଁଏ ଜମିରେ କଫି ଚାଷ କରୁଛନ୍ତି। ଏଥି ସହିତ ଧାନ, ମାଣ୍ଡିଆ, ପନିପରିବା, ଅଦା, ହଳଦୀ ଚାଷ କରି ଏବେ ଖୁଡୁବୁ ଗ୍ରାମବାସୀ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଗାଁକୁ ଲାଗିଥିବା ୨୬୨ ଏକର ବିଶିଷ୍ଟ ପାହାଡ଼ିଆ ଜମିରେ କଫି ଚାଷ ହୋଇଛି। ଯାହା ଉପରେ ନିର୍ଭର କରୁଛନ୍ତି ଖୁଡୁବୁ ସମେତ ଗାଦିଆଗୁମା, ଗାଦିଗୁଡ଼ା, ଡି. ଖୁଡୁବୁ ଗ୍ରାମବାସୀ। ପ୍ରତି ପରିବାର ଏବେ ସର୍ବନିମ୍ନ ଭାବେ ୫୦ ହଜାର ଏବଂ ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ରୋଜଗାର କରୁଛନ୍ତି। 

୪ ବର୍ଷ ହେଲା ଖୁଡ଼ୁବୁ ଗାଁରୁ କେହି ଦାଦନ ଖଟିବାକୁ ଯାଇନାହାନ୍ତି
ଆର୍ଥିକସ୍ତରରେ ସୁଦୃଢ଼ ହେଲେଣି ୩୫୦ରୁ ଊର୍ଦ୍ଧ୍ବ ଆଦିବାସୀ ଚାଷୀ
ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଗତବର୍ଷ ୫୦% ଉତ୍ପାଦନ ହ୍ରାସ

ସରକାରୀ ସୂଚନା ଅନୁଯାୟୀ, ଜିଲ୍ଲାର ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗି ଓ ସେମିଳିଗୁଡ଼ା ବ୍ଲକର ୨୭ଟି ଗାଁର ୨୭୫୯ ହେକ୍ଟର ଜମିରେ କଫି ଚାଷ ହେଉଛି। ୩୫୦ରୁ ଊର୍ଦ୍ଧ୍ବ ଚାଷୀ କଫି ଚାଷରେ ନିୟୋଜିତ ହୋଇଛନ୍ତି। ଆଦିବାସୀଙ୍କୁ କଫି ଚାଷ ପ୍ରତି ଅଧିକ ପ୍ରୋତ୍ସାହିତ କରିବାକୁ ୨୦୨୦ ମସିହାରୁ ଟିଡିସିସି କୋରାପୁଟ କଫିର କ୍ରୟ, ପ୍ରକ୍ରିୟାକରଣ ଓ ବିକ୍ରି ଦାୟିତ୍ବ ନେଇଛି। ୨୦୨୦ରେ ଟିଡିସିସି ଏହି ଚାଷୀଙ୍କ ନିକଟରୁ ୨୭ ମେଟ୍ରିକ୍ ଟନ୍, ୨୦୨୧ରେ ୩୧ ମେଟ୍ରିକ୍ ଟନ୍, ୨୦୨୨ରେ ସର୍ବାଧିକ ୮୫ ମେଟ୍ରିକ୍ ଟନ୍ କଫି କିଣିଥିଲା। କିନ୍ତୁ ୨୦୨୩ରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଉତ୍ପାଦନ ୫୦ ପ୍ରତିଶତ ହ୍ରାସ ପାଇଥିଲା। ଚାଷୀଙ୍କଠାରୁ ମାତ୍ର ୩୪ ମେଟ୍ରିକ୍ ଟନ୍ କଫି କିଣିଥିଲା ଟିଡିସିସି। ଅଦିନିଆ ବର୍ଷା, କୁହୁଡ଼ି କାରଣରୁ ଉତ୍ପାଦନ ବାଧାପ୍ରାପ୍ତ ‌ହୋଇଥିଲା। ୨୦୨୪ରେ ଦେଢ଼ ଲକ୍ଷ ମେଟ୍ରିକ୍‌ ଟନ୍ କଫି କିଣିବା ଲକ୍ଷ୍ୟ ରଖିଛି ବିଭାଗ।

   ଧୀରେ ଧୀରେ ଆଦିବାସୀ ଚାଷୀ କଫି ଚାଷକୁ ନେଇ ସ୍ବାବଲମ୍ବୀ ଓ ଅଭିଜ୍ଞ ହେଉଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦା ବଢ଼ି ଚାଲିଛି। କୋରାପୁଟରୁ ଉତ୍ପାଦନ ହେଉଥିବା ଆରୋବିକା କଫିର ଚାହିଦା ବିଶ୍ବସ୍ତରରେ ରହିଛି।  ଦୁବାଇ ଓ ବେଙ୍ଗାଲୁରୁରେ ଅନୁଷ୍ଠିତ ୱାଲର୍ଡ କଫି କନଫରେନସ୍‌ରେ କୋରାପୁଟ କଫି ବେଶ୍ ନାଁ କମାଇଥିଲା। ନିଆରା ସ୍ବାଦ ଯୋଗୁଁ ଅନ୍ତର୍ଜାତୀୟସ୍ତରର ଟ୍ରେଡର୍ କଣ୍ଟିନେଣ୍ଟାଲ୍ କଫି ସଂସ୍ଥା ୧୦୦ ଟନ୍‌ କଫି (କେବଳ ମଞ୍ଜି) ଯୋଗାଇବାକୁ ଅର୍ଡର ଦେଇଥିଲା। କିନ୍ତୁ ଉତ୍ପାଦନ ଆଶାତୀତ ନଥିବାରୁ ଯୋଗାଇବାରେ ଅକ୍ଷମ ହୋଇଥିଲା ଟିଡିସିସି। ଉତ୍ପାଦିତ କଫିକୁ ଏବେ ଟିଡିସିସି ରାଜ୍ୟର ୭ଟି ନଜସ୍ବ ଆଉଟଲେଟ୍‌  ଯଥା ଭୁବନଶ୍ବରର ୪ଟି, ପୁରୀ, କୋରାପୁଟ, ଦାମନଯୋଡ଼ିରେ ଗୋଟିଏ ଲେଖାଁଏ କାଫେରେ କଫି ବିକ୍ରି କରୁଛି। ସମସ୍ତ ଷ୍ଟୋରର ବ୍ୟବସାୟ ଦୈନିକ ୧୦ ହଜାରରୁ ଅଧିକ ବୋଲି କହିଛନ୍ତି ଟିଡିସିସି ଜିଲ୍ଲା ମାର୍କେଟିଂ ଅଧିକାରୀ ଆଶୁତୋଷ ନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe