କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ଅମିତ ଶାହ ଗଢ଼ିଲେ ତିନିଜଣିଆ ତଦନ୍ତ କମିଟି

ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ସହାୟତା ଦାବି

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ଅମିତ ଶାହ ଗଢ଼ିଲେ ତିନିଜଣିଆ ତଦନ୍ତ କମିଟି

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପି ତା’ର ଆଭିମୁଖ୍ୟ ଆହୁରି କଠୋର କରିଛି। ହରତାଳ, କୋକେଇ ଶୋଭାଯାତ୍ରା ପରେ ପ୍ରସଙ୍ଗକୁ ଜାତୀୟ ଦରବାରକୁ ନିଆଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହ ଘଟଣାର ତଦନ୍ତ କରିବା ପାଇଁ ଦଳୀୟ ସ୍ତରରେ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜ ପାଣ୍ଡେ, ସାଂସଦ ଜ୍ୟୋତି ଧ୍ରୁବେ ଓ ସାଂସଦ ଅଞ୍ଜୁ ବାଲା ସଦସ୍ୟା ଅଛନ୍ତି। ପ୍ରତିନିଧି ଦଳ ଓଡ଼ିଶା ଆସି ଘଟଣାର ତଦନ୍ତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୀଡ଼ିତାଙ୍କ ଦଶାହ ଜାନୁଆରି ୩୧କୁ ‘ସଂକଳ୍ପ ଦିବସ’ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଦିନ ବିଜେପିର ୧୦୦୨ ମଣ୍ଡଳରେ ଦେବୀ ମନ୍ଦିରଗୁଡ଼ିକରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୀପଦାନ କରାଯିବ। ଏହି ଅବସରରେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଚାଲିଥିବା ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇ ସରକାରଙ୍କ ହୀନ ଉଦ୍ୟମ ବିରୋଧରେ ସଂଘର୍ଷ ପାଇଁ ମହିଳାମାନେ ସଂକଳ୍ପ ନେବେ ବୋଲି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେହିପରି ବିଜେପିର ଏକ ମହିଳା ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିସନ୍‌ଙ୍କୁ ଭେଟି ପୀଡ଼ିତାଙ୍କ ପରିବାରକୁ ତୁରନ୍ତ କୋଟିଏ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ପୀଡ଼ିତା ବଞ୍ଚିଥିଲା ବେଳେ ତାଙ୍କୁ ନ୍ୟାୟ ନ ଦେବା ଓ ପ୍ରମାଣ ନଷ୍ଟ କରିବା କାରଣରୁ କୋରାପୁଟ ଏସ୍‌ପି ଓ ରାଜ୍ୟ ମାନବାଧିକାର ସେଲ୍‌ ଏଡିଜିଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦଳ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe