ଜୟପୁର : ଜେଡ୍ ଫିଲ୍ମସ ପକ୍ଷରୁ ବେଙ୍ଗାଲୁରୁରେ ଆୟୋଜିତ ମିସ୍ ଇଣ୍ଡିଆ ଏଲିଗେଣ୍ଟ୍ ପ୍ରତିଯୋଗିତାର ଫାଇନାଲରେ ଟାଇଟଲ ଜିତିଛନ୍ତି କୋରାପୁଟିଆ ଝିଅ ଆନ୍ନି ପ୍ରିନ୍ସ ନାଗ। ସେ ମିସ୍ ଇଣ୍ଡିଆ ଏଲିଗେଣ୍ଟ୍-୨୦୧୭ ମୁକୁଟ ସହ ମିସ୍ ନର୍ଥ ଇଷ୍ଟ୍, ବେଷ୍ଟ୍ ରାମ୍ପ୍ ଓ୍ଵାକ୍ ଓ ମିସ୍ ଫ୍ୟାସନ୍ ଏଲିଗେଣ୍ଟ୍ ମୁକୁଟ ମଧ୍ୟ ଲାଭ କରିଛନ୍ତି। ଏହି ସଫଳତା ଦ୍ୱାରା ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରିଥିବା ଆନ୍ନିଙ୍କ ପାଖକୁ ଏବେ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ପୁଲିସରେ କାର୍ଯ୍ୟରତ ବିଚିତ୍ରାନନ୍ଦ ନାଗ ଏବଂ ଦେଓଘାଟି ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ଖରାଙ୍କ ଝିଅ ଆନ୍ନି ଜୟପୁର ସହର ସ୍ଥିତ ମଡର୍ଣ୍ଣ ସ୍କୁଲରୁ ମାଟ୍ରିକ୍ ସାରି ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ଯୁକ୍ତ ୨ ପଢ଼ିଥିଲେ। ପରେ ସେ ବେଙ୍ଗାଲୁରୁ ସ୍ଥିତ ଅକ୍ସଫୋର୍ଡ କଲେଜରୁ ମନସ୍ତତ୍ତ୍ୱ ଓ ସାମ୍ବାଦିକତାରେ ଡିଗ୍ରି ହାସଲ କରିଥିଲେ। ତେବେ ଅଭିନୟ ପ୍ରତି ରୁଚି ରଖିଥିବା ଆନ୍ନି ମଡେଲିଂ ଜଗତରେ ପ୍ରବେଶ କରିଥିଲେ। ସେ ୨୦୧୨ ମସିହାରେ ମିସ୍ ବେଙ୍ଗାଲୁରୁ ମୁକୁଟ ପିନ୍ଧିବା ପରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ୨୦୧୭ରେ କନ୍ନଡ଼ ଫିଲ୍ମ ‘ନାନୁ ବନ୍ନେ ଓଲ୍ଲେରନୁ’ ଓ ୨୦୧୫ରେ ମୁକ୍ତିଲାଭ କରିଥିବା ତାମିଲ ସିନେମା ‘ମହାରାଣୀ କୋଟ୍ଟାଇ’ରେ ପ୍ରଭାବଶାଳୀ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। ସମସ୍ତଙ୍କ ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ଆଜି ସେ ଏହି ସଫଳତା ପାଇଛନ୍ତି ବୋଲି ଫୋନ୍ ମାଧ୍ୟମରେ ଆନ୍ନି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Follow Us