କୋରାପୁଟ ଥରହର: ୪୫ ମିନିଟ୍‌ରେ ୨୯,୨୫୮ ବଜ୍ରପାତ

Advertisment
କୋରାପୁଟ ଥରହର: ୪୫ ମିନିଟ୍‌ରେ ୨୯,୨୫୮ ବଜ୍ରପାତ

କୋରାପୁଟ: ପ୍ରକୃତିର ବିକଟାଳ ରୂପ ଆଜି ଦେଖିଲା କୋରାପୁଟ ଜିଲ୍ଲା। ପ୍ରଚଣ୍ଡ ଶବ୍ଦରେ ୪୫ ମିନିଟ୍‌ ଧରି ଥରିଲା। ଏହି ସମୟ ମଧ୍ୟରେ ୨୯ହଜାର ୨୫୮ ଥର ବଜ୍ରପାତ ହୋଇଛି। ଯାହାର ସିଧାସଳଖ ପ୍ରଭାବ ବୈପାରିଗୁଡ଼ା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର ଓ କୁନ୍ଦୁରା ବ୍ଲକରେ ଦେଖିବାକୁ ମିଳିଛି। ବୋରିଗୁମ୍ମା ବ୍ଲକର କୁନ୍ଦ୍ରାଗୁଡା ଗାଁରେ ୬ଟି ଘର କ୍ଷତିଗ୍ରସ୍ତ ହୋଇଥିଲା ବେଳେ ବୈପାରିଗୁଡ଼ା ବ୍ଲକରେ ବିଦ୍ୟୁତ୍‌ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। କ୍ଷୟକ୍ଷତି ରିପୋର୍ଟକୁ ପ୍ରଶାସନ ଅପେକ୍ଷା କରିଛି।

କିଛିଦିନ ଧରି ଗ୍ରୀଷ୍ମ ଲହରୀରେ କଲବଲ ହେଉଥିଲା କୋରାପୁଟ ଜିଲ୍ଲା। ଆଜି ଅପରାହ୍ନରେ ସେଥିରୁ ଆଶ୍ବସ୍ତି ମିଳିଛି। ଅପରାହ୍ନ ସାଢ଼େ ୪ଟାରେ ପାଗ ହଠାତ୍‌ ବଦଳିବା ସହ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ପ୍ରାୟ ଗୋଟିଏ ଘଣ୍ଟା ଧରି ବର୍ଷା ହୋଇଥିଲା ବେଳେ ୪୫ମିନିଟ୍‌‌‌ରେ ୨୯ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ଦାମିନୀ ଆପ୍‌ରେ ରେକର୍ଡ କରାଯାଇଛି। ଗତ ଦୁଇ ବର୍ଷ ହେଲା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି। ତେଣୁ ପାଣିପାଗ ବିଜ୍ଞାନୀ ଚିନ୍ତାବ୍ୟକ୍ତ କରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସ ୬ରେ କୋରାପୁଟ ଜିଲ୍ଲାରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୩୭୬୨ ଥର ବଜ୍ରପାତ ହୋଇଥିଲା ବେଳେ ୭ ତାରିଖରେ ୨୫୭୩ ଥର ବଜ୍ରପାତ ହୋଇଥିଲା। ଗତବର୍ଷର ରେକର୍ଡ ଆଜିର ବଜ୍ରପାତ ଭାଙ୍ଗିଛି।

ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସନ୍ତୋଷ କୁମାର ସାହୁ କହିଛନ୍ତି, କୋରାପୁଟ ଜିଲ୍ଲାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ୩୬ରୁ ୩୮ ଡିଗ୍ରି ମଧ୍ୟରେ ତାପମାତ୍ରା ରହିଥିଲା ଓ ବାୟୁ ମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଥିଲା। ଯାହାଫଳରେ ଏତେ ମାତ୍ରାରେ ବଜ୍ରପାତ ହୋଇଛି। ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ କରି କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe