କାଟୁ କରୁନି କୋଟପା ଆଇନ

Advertisment
ଆଜି ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ବଡ଼ଦାଣ୍ଡ ତମାଖୁ ମୁକ୍ତ ହେବ। କୋଟପା ଆଇନ କଡ଼ାକଡ଼ି ପାଳନ ହେବ। ଶିକ୍ଷାନୁଷ୍ଠାନ ନିକଟସ୍ଥ ଅଞ୍ଚଳକୁ ତମାଖୁମୁକ୍ତ କରାଯିବ। ବୈଠକରେ ସଚେତନତା ନାଁ’ରେ ଏଭଳି ଡିଣ୍ଡିମ ପିଟାଯାଉଛି ସତ, କିନ୍ତୁ କଡ଼ା ଆଇନ ଆଣିବାକୁ କି ଚଢ଼ଉ କରିବାକୁ ପ୪କ୍ଷେପ ନିଆଯାଉନି। ତମାଖୁ ବର୍ଜନ ପାଇଁ ସିଗାରେଟ୍‌ ଆଣ୍ଡ୍‌ ଅଦର୍‌ ଟବାକୋ ପ୍ରଡକ୍ଟ ଆକ୍ଟ (କୋଟପା) ଆଇନ ଆସିଛି। ମାତ୍ର ତମାଖୁ ସେବନକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। କ୍ୟାନ୍ସର ଭଳି ବ୍ୟାଧିର ଶିକାର ହେଉଥିବା ୪୦ ପ୍ରତିଶତ ବ୍ୟକ୍ତି କେବଳ ତମାଖୁ ସେବନ ଯୋଗୁ ହିଁ ଏଥିରେ ପୀଡ଼ିତ ହେଉଛନ୍ତି। ତଥାପି ଏଥିରେ ରୋକ ଲାଗିପାରୁନାହିଁ। ବାସ୍ତବ ପକ୍ଷେ ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ଯେତିକି ବୈଠକ ବସୁଛି, ସେତିକି ଦିନ ଚଢ଼ଉ ହେଉନାହିଁ। ଫଳରେ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ସମ୍ମୁଖରେ ଖୋଲାଖୋଲି ଗୁଟ୍‌ଖା ବିକ୍ରି ହେଉଛି। କିନ୍ତୁ ଚଢ଼ଉ କରାଯାଉ ନାହିଁ।କେବଳ ବୈଠକ କରି ନିଜ ନିଜ ପକ୍ଷ ରଖି ସମ୍ମିଳନୀରୁ ବାହାରିବା ପରେ ଅଧିକାରୀମାନେ ଆଉ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ମୁତାବକ, ପୁରୀ ଜିଲ୍ଲାରେ ଏବେ ବି ୫୧.୬ ପ୍ରତିଶତ ପୁରୁଷ ଓ ୨୫.୫ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ନିଶା କବଳରେ ଯୁବବର୍ଗ କବଳିତ ହେଉଛନ୍ତି। ନିଶା ଯୋଗୁ ବେଶି ଅପରାଧ ଘଟୁଛି। ତେଣୁ ଛାତ୍ରାବସ୍ଥାରୁ ପିଲାମାନଙ୍କୁ ନିଶାର କୁପରିଣତି ସମ୍ବନ୍ଧରେ ଅବଗତ କରାଇବା ଓ ସଚେତନ କରିବା ଉଦ୍ଦେଶ୍ୟ ନେଇ ବିଭିନ୍ନ ଅଭିଯାନ କରାଯାଇଛି। ଏ ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ମାତ୍ର କୋଟ୍‌ପା ଆଇନର ବାସ୍ତବ ଚିତ୍ର ବଡ଼ଦାଣ୍ଡର ବିଭିନ୍ନ ଦୋକାନରେ ଝୁଲୁଥିବା ମାଳମାଳ ଗୁଟଖାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ କ୍ଷେତ୍ରକୁ ତମାଖୁ ମୁକ୍ତ କରିବା ପାଇଁ ନିକଟ ଅତୀତରେ ଶ୍ରୀକ୍ଷେତ୍ର ଯୁବ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅନୁଷ୍ଠାନର ସମ୍ପାଦକ ବିଶ୍ବଭୂଷଣ ବାରିକ କହିଛନ୍ତି, ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ଲକ୍ଷଲକ୍ଷ ପର୍ଯ୍ୟଟକ ପୁରୀ ଆସନ୍ତି। ଆଗନ୍ତୁକ ଅତିଥିମାନଙ୍କ ଉପରେ ପୁରୀ ସହରର ଅର୍ଥନୀତି ନିର୍ଭର କରୁଛି। ତେଣୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଏକ ଉତ୍ତମ ପରିବେଶ ଭେଟି ଦେବା ଆବଶ୍ୟକ। କିନ୍ତୁ ତମାଖୁର ଅବାଧ ବିକ୍ରି ଯୋଗୁ ସର୍ବସାଧାରଣ ସ୍ଥଳରେ ପାନ ଓ ଗୁଟ୍‌ଖାର ମାନଚିତ୍ର ଦେଖିବାକୁ ମିଳୁଛି। ଯିଏ ଯେଉଁଠି ପାରୁଛି ଛେପ ପକାଉଛି। ଯୁବପିଢ଼ି ମଧ୍ୟ ତମାଖୁର ମୋହରେ ପଡ଼ି ବହୁବ୍ୟାଧି ରୋଗରେ ପୀଡ଼ିତ ହେଉଛନ୍ତି। ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ଓ ମେଡିକାଲ୍‌ ନିକଟରେ ଗୁଟ୍‌ଖା ବିକ୍ରି ପାଇଁ ବାରଣ କରାଯାଇଛି। ସର୍ବସାଧାରଣ ସ୍ଥାନରେ ତମାଖୁ ବିକ୍ରି ଓ ବ୍ୟବହାର ଉପରେ ସରକାର ଜାରି କରିଥିବା ନିଷେଧାଦେଶକୁ ୧୦ ବର୍ଷ ପୂରିଛି। ମାତ୍ର ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ତେଣୁ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଦାବି କରାଯାଇଛି। ଗତ ଜୁଲାଇ ମାସରେ ତମାଖୁ ମୁକ୍ତ ଯୁବ ଅଭିଯାନ ଅବସରରେ ଜିଲ୍ଲାସ୍ତରୀୟ ସମନ୍ବୟ ବୈଠକରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଅଭିଯାନକୁ ସକ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଏପରିକି ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ତମାଖୁ ମୁକ୍ତ କରାଯିବା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଥିଲା। ଏନେଇ ଶପଥ ପାଠ କରାଯାଇଥିଲା। ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ସହ ଏ ଦିଗରେ ସଫଳ ଶିକ୍ଷାନୁଷ୍ଠାନଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ସବୁ ଘୋଷଣାରେ ସୀମିତ ରହିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe